ତେହେରାନ: ଇରାନର ରାଜଧାନୀ ତେହେରାନରେ ଇସ୍ରାଏଲର ବିମାନ ଆକ୍ରମଣ 'ଅପରେସନ୍ ରାଇଜିଂ ଲାୟନ୍'ରେ ବିପୁଳ କ୍ଷୟକ୍ଷତି ହୋଇଛି। ଖବର ଅନୁଯାୟି, ମଙ୍ଗଳବାର ସକାଳ ସମୟରେ ତେହେରାନର ଉତ୍ତର-ପୂର୍ବ ଅଞ୍ଚଳରେ ଥିବା ତିନୋଟି ସ୍ଥାନରେ ଇସ୍ରାଏଲୀ ପ୍ରୋଜେକ୍ଟାଇଲ୍ ମାଡ କରିଛି, ଯାହା ଫଳରେ ବିସ୍ଫୋରଣ ଘଟିଛି। ଏହି ଆକ୍ରମଣ ଏତେ ଭୟହ୍କର ଥିଲା ଯେ ରସ୍ତାରେ ଯାଉଥିବା କାରଗୁଡ଼ିକ ଉଡ଼ି ଯାଇଥିବା ବେଳେ ଅନେକ ସ୍ଥାନରେ ବିପୁଳ ଧ୍ୱଂସଲୀଳା ଦେଖାଦେଇଛି।
ଏହି ଆକ୍ରମଣ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷର ଏକ ଅଂଶ ବୋଲି ଇସ୍ରାଏଲ ଘୋଷଣା କରିଛି। ଯେଉଁଠାରେ ଇସ୍ରାଏଲ ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସାମରିକ ଅବକାଠାମୋକୁ ଟାର୍ଗେଟ କରିଛି। ଇରାନୀ ଗଣମାଧ୍ୟମ ଅନୁସାରେ, ଏହି ଆକ୍ରମଣରେ ତେହେରାନରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଧ୍ୱଂସ ହୋଇଛି। ଏହା ପୂର୍ବରୁ ଇସ୍ରାଏଲ ଇରାନର ପରମାଣୁ ସ୍ଥାନ ନାଟାନଜ, ଇସ୍ଫାହାନ ଏବଂ ଫୋର୍ଡୋ ଆଦିକୁ ଆକ୍ରମଣ କରିଥିଲା, ଯେଉଁଠାରେ ବିପୁଳ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିଛି।
ଅନ୍ୟପକ୍ଷରେ, ଇରାନ ମଧ୍ୟ ଇସ୍ରାଏଲ ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଜାରି ରଖିଛି। ଇରାନୀ ବାଲିଷ୍ଟିକ ମିସାଇଲ ଏବଂ ଡ୍ରୋନ ଇସ୍ରାଏଲର ତେଲ ଆଭିଭ, ହାଇଫା ଏବଂ ଜେରୁଜାଲେମ ଆଦି ସହରରେ ବିପୁଳ କ୍ଷୟକ୍ଷତି ଘଟାଇଛି। ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ ମିସାଇଲକୁ ଅଟକାଇଥିଲେ ମଧ୍ୟ, କିଛି ଆକ୍ରମଣ ସଫଳ ହୋଇଛି, ଯେଉଁଥିରେ ଅନେକ ନାଗରିକଙ୍କ ମୃତ୍ୟୁ ହୋଇଛି।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦାବି କରିଛନ୍ତି ଯେ, ଇରାନର ପରମାଣୁ ଅସ୍ତ୍ର ନିର୍ମାଣର ଯୋଜନାକୁ ରୋକିବା ପାଇଁ ଏହି ଆକ୍ରମଣ ଜରୁରୀ ଥିଲା। ଅନ୍ୟପକ୍ଷରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଇସ୍ରାଏଲକୁ "କଠୋର ଶାସ୍ତି" ଦେବାର ଚେତାବନୀ ଦେଇଛନ୍ତି।
ଆନ୍ତର୍ଜାତୀୟ ସ୍ତରରେ ଏହି ସଂଘର୍ଷକୁ ନେଇ ଚିନ୍ତା ବୃଦ୍ଧି ପାଇଛି। ଜି-୭ ନେତାମାନେ ଉଭୟ ପକ୍ଷକୁ ଶାନ୍ତି ପାଇଁ ଆହ୍ୱାନ କରିଛନ୍ତି, କିନ୍ତୁ ଯୁଦ୍ଧ ତୀବ୍ରତର ହେଉଥିବାରୁ ମଧ୍ୟପ୍ରାଚ୍ୟରେ ଏକ ବୃହତ୍ ସଂଘର୍ଷର ଆଶଙ୍କା ଦେଖାଦେଇଛି। ଏହି ପରିସ୍ଥିତିରେ ଭାରତ ଇରାନ ଓ ଇସ୍ରାଏଲରେ ଥିବା ନାଗରିକଙ୍କ ସୁରକ୍ଷା ପାଇଁ କଣ୍ଟ୍ରୋଲ ରୁମ ଏବଂ ଜରୁରୀ କଲ ନମ୍ବର ସ୍ଥାପନ କରିଛି।