ତେଲ୍‌ ଆଭିଭ,୧୮/୦୧: ହମାସ  ସହ ହୋଇଥିବା ଯୁଦ୍ଧବିରତି ରାଜିନାମାରେ ଶୁକ୍ରବାର ଇସ୍ରାଏଲ ସ୍ୱାକ୍ଷର କରିଛି । ଫଳରେ ଶୁକ୍ରବାରଠାରୁ ଯୁଦ୍ଧବିରତି ଲାଗୁ ହୋଇଛି ।  ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ  ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ  କ୍ୟାବିନେଟ କମିଟିର ବୈଠକ ବସିଥିଲା ।  ବୈଠକରେ ଯୁଦ୍ଧବିରତି ରାଜିନାମା ଉପରେ  ସହମତି ପ୍ରକାଶ ପରେ ତାକୁ ଅନୁମୋଦନ  କରାଯାଇଛି । ଆସନ୍ତା ୧୯ ତାରିଖରୁ ଏହା  ଲାଗୁ ହେବ । ଯାହାଫଳରେ ହମାସ୍‌ କବଳରେ ରହିଥିବା ଇସ୍ରାଏଲ ପଣବନ୍ଦୀ ମୁକୁଳିବେ ।

ଇସ୍ରାଏଲ ଗୁରୁବାର ଯୁଦ୍ଧବିରତି ପ୍ରସ୍ତାବରେ ସ୍ୱାକ୍ଷର କରିବାକୁ ଥିଲେ ମଧ୍ୟ କ୍ୟାବିନେଟ ବୈଠକକୁ ଘୁଞ୍ଚାଇ ଦିଆଯାଇଥିଲା । ହମାସ୍‌ ନୂଆ ଦାବି  ଉଠାଇ ଯୁଦ୍ଧବିରତି ପ୍ରସ୍ତାବରୁ ପଛକୁ ଘୁଞ୍ଚୁଥିବା ନେଇ ନେତନ୍ୟାହୁ ଅଭିଯୋଗ କରିଥିଲେ । କିନ୍ତୁ ଏହାକୁ ହମାସ ପକ୍ଷରୁ  ଖଣ୍ଡନ କରାଯାଇଥିଲା । ସେପଟେ ଗାଜା ସିଟିର ବିଭିନ୍ନ ସ୍ଥାନରେ ଇସ୍ରାଏଲ ସେନା  ପ୍ରଚଣ୍ଡ ଆକ୍ରମଣ କରିବାରୁ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ  ପ୍ରଥମ ପର୍ଯ୍ୟାୟରେ ହମାସ ୩୩ ଜଣ  ପଣବନ୍ଦୀଙ୍କୁ ଛାଡିବ । ସେମାନଙ୍କ ଭିତରେ  ୫ଜଣ ମହିଳା ସୈନିକ ରହିଛନ୍ତି । ଏହି  ୫ ମହିଳା ସୈନିକଙ୍କ ବଦଳରେ ଇସ୍ରାଏଲ  ୨୫୦ ଜଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ  କରିବ । ହମାସ ପାଖରେ ବର୍ତ୍ତମାନ  ୯୪ ଜଣ ଇସ୍ରାଏଲୀ ପଣବନ୍ଦୀ ଅଛନ୍ତି । 

ଯୁଦ୍ଧବିରତି ୪୨ ଦିନ ପାଇଁ କାଏମ ରହିବ । ପରବର୍ତ୍ତୀ ସମୟରେ ସ୍ଥାୟୀ ଯୁଦ୍ଧବିରତି ନେଇ ଆଲୋଚନା ହେବ । ଉଭୟ ଦେଶର  ସୀମାରେ ବଫର ଜୋନ ପ୍ରତିଷ୍ଠା ହେବ । ଅନ୍ୟପକ୍ଷରେ ହମାସ ସହ ହୋଇଥିବା ଯୁଦ୍ଧବିରତି ରାଜିନାମାକୁ ପ୍ରତିରକ୍ଷା ମନ୍ତ୍ରୀ ବେନ-ଗ୍ୱିର ଇତାମାର ବିରୋଧ କରିଛନ୍ତି । ସେ ହମାସ ସହ ବୁଝାମଣାକୁ ଭୁଲ ବୋଲି ଦର୍ଶାଇ ନେତନ୍ୟାହୁଙ୍କ ସରକାରରୁ ସମର୍ଥନ  ପ୍ରତ୍ୟାହାର କରିବାକୁ ଧମକ ଦେଇଛନ୍ତି । କହିଛନ୍ତି ତାଙ୍କ ଓତ୍ୟୋଜ୍‌ମା ୟେହୁଦିତ ପାର୍ଟି  ନେତନ୍ୟାହୁଙ୍କ ଲିକୁଡ ପାର୍ଟି ଠାରୁ ସମର୍ଥନ  ପ୍ରତ୍ୟାହାର କରିନେବ । କେବଳ ଏତିକି ନୁହେଁ ହମାସ ସହ ହୋଇଥିବା ଯୁଦ୍ଧବିରତି  ରାଜିନାମା ପ୍ରତ୍ୟାହାର ସହ ଇସ୍ରାଏଲ ଯଦି ପୁଣି ଗାଜାରେ ଆକ୍ରମଣ କରିବ ତେବେ ତାଙ୍କ ଦଳ ପୁଣି ଥରେ ଲିକୁଡ ପାର୍ଟିକୁ ସମର୍ଥନ  କରିବ ବୋଲି ସେ ସର୍ତ୍ତ ମଧ୍ୟ ରଖିଛନ୍ତି ।