ନୂଆଦିଲ୍ଲୀ,୦୭/୦୬; ଯୁଦ୍ଧବିରତି ସତ୍ତେ୍ୱ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍ । ଶୁକ୍ରବାର ଏହାର ହମଲାରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା । ଆଜି ଭୀଷଣ ଏୟାର ଷ୍ଟ୍ରାଇକ୍ ଦ୍ୱାରା ଲେବାନନର ୩ ସେନା ଅଧିକାରୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ୩ ସେନା ଅଧିକାରୀଙ୍କ ମଧ୍ୟରେ ଜଣେ ବ୍ରିଗେଡିୟର ଜେନେରାଲ, ଜଣେ କ୍ୟାପ୍ଟେନ୍ ଏବଂ ଜଣେ ସୈନିକ ରହିଛନ୍ତି । ଦୁଇଦିନରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି । ଆମେରିକା ମଧ୍ୟସ୍ଥତାରେ ଆଲୋଚନା ସମୟରେ ଦୁଇ ଦେଶ ସର୍ତ୍ତମୂଳକ ଯୁଦ୍ଧବିରତି ପାଇଁ ରାଜି ହେବାର କିଛି ଦିନ ପରେ ଦକ୍ଷିଣ ଲେବାନନରେ ଇସ୍ରାଏଲୀ ସେନା ପ୍ରଚଣ୍ଡ ଆକ୍ରମଣ କରିଛି । ଲେବାନନ୍ ରାଷ୍ଟ୍ରପତି ଜୋସେଫ୍ ଆଉନ୍ ଏହି ଆକ୍ରମଣକୁ ନିନ୍ଦା କରି ଏହାକୁ ଲେବାନନ୍ ସାର୍ବଭୌମତ୍ୱ ଏବଂ ଅନ୍ତର୍ଜାତୀୟ ଆଇନ ଏବଂ ମାନଦଣ୍ଡର ଏକ ଖୋଲା ଉଲ୍ଲଂଘନ ବୋଲି କହିଛନ୍ତି । ସେହିପରି ଲେବାନନ୍ ପ୍ରଧାନମନ୍ତ୍ରୀ ନୱାଫ୍ ସଲାମ୍ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ।

ଲେବାନନ ସେନା କହିଛି, ଶନିବାର ସକାଳେ ନବାତିୟେହ ଏବଂ ମରଜାୟୌନକୁ ଯୋଡ଼ୁଥିବା ସଡ଼କ ଉପରେ ଏୟାର ଷ୍ଟ୍ରାଇକ୍ ହେବା ଦ୍ୱାରା ୩ ଜଣ ସେନାଧିକାରୀ ପ୍ରାଣ ହରାଇଛନ୍ତି । ସେହିଭଳି ସକ୍ସାକିୟାହ ଗ୍ରାମ ଉପରେ ହୋଇଥିବା ଦ୍ୱିତୀୟ ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ବିବୃତିରେ ସେନା କହିଛି, ଇସ୍ରାଏଲ୍ର ସେନା ଲଗାତର ଆକ୍ରମଣ କରୁଛି । ତଥାପି ଆମର ମନୋବଳ ଦୁର୍ବଳ ପଡ଼ିବ ନାହିଁ । ଯୁଦ୍ଧବିରତି ଘୋଷଣା ସତ୍ତେ୍ୱ ଇସ୍ରାଏଲ୍ ଏହି ଆକ୍ରମଣ କରିଛି । ଏହା ଆଦୌ ଗ୍ରହଣୀୟ ନୁହେଁ । ଲେବାନନର ରାଷ୍ଟ୍ରପତି ଯୋସେଫ ଆଉନ ଦେଶର ସେନା ଗାଡ଼ି ଉପରେ ହୋଇଥିବା ଇସ୍ରାଏଲୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି । ଏହା ଲେବାନନର ଅଖଣ୍ଡତା ଉପରେ ସିଧାସଳଖ ହମଲା ଏବଂ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ । ବିବାଦ କମାଇବା ଲାଗି ୱାଶିଂଟନରେ ଆଲୋଚନା ଚାଲିଥିବା ବେଳେ ଇସ୍ରାଏଲ୍ ଲଗାତର ଆକ୍ରମଣ କରୁଥିବା ସେ କହିଛନ୍ତି । ଲେବାନନରେ ମାର୍ଚ୍ଚ ୨ରୁ ଜାରି ରହିଥିବା ଇସ୍ରାଏଲୀ ହମଲାରେ ମୃତ୍ୟୁ ସଂଖ୍ୟା ବଢ଼ି ୩,୫୫୮ ହୋଇଛି । ୧୦,୮୭୦ ଜଣ ଆହତ ହୋଇଛନ୍ତି ।

ଏହା ବି ପଢନ୍ତୁ...ବିଶ୍ୱର ପ୍ରଥମ AI-ଡିଜାଇନ୍ ଭ୍ୟାକସିନ୍ ପ୍ରସ୍ତୁତ! କ’ଣ ମହାମାରୀ ଆସିବା ପୂର୍ବରୁ ରୋକି ପାରିବ ?