ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ, ଇସ୍ରାଏଲ ପୁଣି ଥରେ ଇରାନକୁ କଡ଼ା ଚେତାବନୀ ଦେଇଛି।  ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଯଦି ଇରାନ କ୍ଷେପଣାସ୍ତ୍ର ମାଡ଼ ଜାରି ରଖେ, ତେବେ ତେହେରାନ ଜଳିଯିବ। ସେନା ମୁଖ୍ୟଙ୍କ ସହ ଏକ ବୈଠକ ପରେ, ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍‌ କହିଛନ୍ତି, ‘ଆମର ନାଗରିକମାନଙ୍କୁ କ୍ଷତି ପହଞ୍ଚାଇଲେ ଇରାନକୁ ଏହାର ବଡ଼ ମୂଲ୍ୟ ଦେବାକୁ ପଡିବ।’ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନର ପରମାଣୁ ଏବଂ ସାମରିକ ଘାଟି ଉପରେ ଆକ୍ରମଣ ପରେ ଇରାନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେବା ଆରମ୍ଭ କରିଛି। 




ଇସ୍ରାଏଲର ଅଧିକାରୀମାନେ କହିଛନ୍ତି ଯେ, ଦେଶର ମୁଖ୍ୟ ଅନ୍ତର୍ଜାତୀୟ ବିମାନବନ୍ଦର ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରହିବ। ସେପଟେ ଇସ୍ରାଏଲୀ ଆକ୍ରମଣରେ ଇରାନ ତାର ସଶସ୍ତ୍ର ବାହିନୀର ଆଉ ଦୁଇ ଉଚ୍ଚସ୍ତରୀୟ ଜେନେରାଲଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛି। ଇରାନର ସରକାରୀ ଟିଭି ଅନୁଯାୟୀ, ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ନାମ ସେନାର ଜେନେରାଲ ଷ୍ଟାଫର ଡେପୁଟି ଚିଫ୍ ଅଫ୍ ଇଣ୍ଟେଲିଜେନ୍ସ ଜେନେରାଲ ଗୁଲାମ ରଜା ମେହରାବି ଏବଂ ଅପରେସନ୍ସ ବ୍ରାଞ୍ଚର ଡେପୁଟି ଚିଫ୍ ଜେନେରାଲ ମେହେଦି ରବାନୀ ବୋଲି ଚିହ୍ନଟ କରାଯାଇଛି। 

ଉଭୟଙ୍କ ମୃତ୍ୟୁ କେଉଁଠି ହୋଇଛି ତାହା କୁହାଯାଇ ନାହିଁ। ଏହା ପୂର୍ବରୁ ଶୁକ୍ରବାର ଇସ୍ରାଏଲ, ଇରାନ ଉପରେ ଆକ୍ରମଣ କରିଥିଲା । ଏଥିରେ ସେନାର 'ଚିଫ୍ ଅଫ୍ ଷ୍ଟାଫ୍' ଏବଂ ଅର୍ଦ୍ଧସାମରିକ ବାହିନୀ ରିଭୋଲ୍ୟୁସନାରୀ ଗାର୍ଡର ମୁଖ୍ୟ ସମେତ ସଶସ୍ତ୍ର ବାହିନୀର ଅନେକ ଉଚ୍ଚସ୍ତରୀୟ ଅଧିକାରୀ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଦ୍ୱାରା କରାଯାଇଥିବା ଆକ୍ରମଣରେ ଇରାନରେ ୭୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୨୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆକ୍ରମଣ ଜାରି ରହିବ ଏବଂ ଇରାନ ପରମାଣୁ ଠିକଣାକୁ ଟାର୍ଗେଟ କରାଯିବ।