ନୂଆଦିଲ୍ଲୀ: ଇସ୍ରାଏଲୀ-ଆମେରିକା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇସାରିଛି। ତେବେ ଖାମେନେଇଙ୍କ ମୃତ୍ୟୁକୁ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କର ପ୍ରାଥମିକ ପ୍ରତିକ୍ରିୟା ରଖିଛନ୍ତି। ସେ ଖାମେନେଇଙ୍କ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିଛନ୍ତି। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ହତ୍ୟା ପାଇଁ ଗଭୀର ସମବେଦନା ପ୍ରକାଶ କରିଛନ୍ତି।
ପୁଟିନ ଖାମେନେଇଙ୍କ ମୃତ୍ୟୁ ପାଇଁ କ୍ଷୋଭ ପ୍ରକାଶ କରିଛନ୍ତି...
ପୁଟିନ କହିଛନ୍ତି ଯେ, ମାନବିକ ନୈତିକତା ଏବଂ ଅନ୍ତର୍ଜାତୀୟ ଆଇନର ସ୍ପଷ୍ଟ ଅବମାନନା କରି ଏହି ହତ୍ୟାକାଣ୍ଡ କରାଯାଇଛି। ସେ ଆହୁରି ପୁଣି କହିଛନ୍ତି ଯେ, ଖାମେନେଇଙ୍କୁ ରୁଷରେ ଜଣେ ଉତ୍କୃଷ୍ଟ ରାଜନେତା ଭାବରେ ମନେ ରଖାଯିବ । କାରଣ ସେ, ରୁଷ ଏବଂ ଇରାନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ପୁଟିନ ମଧ୍ୟ ଇରାନ ରାଷ୍ଟ୍ରପତି ପେଜେସ୍କିଆନଙ୍କୁ ଖାମେନେଇଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ତାଙ୍କର ଆନ୍ତରିକ ସମବେଦନା ଏବଂ ସମର୍ଥନ ଜଣାଇବାକୁ ଅନୁରୋଧ କରିଛନ୍ତି, ଏବଂ ଇରାନର ସରକାର ଏବଂ ଲୋକଙ୍କ ପ୍ରତି ମଧ୍ୟ ତାଙ୍କର ଆନ୍ତରିକ ସମବେଦନା ପ୍ରକାଶ କରିବାକୁ କହିଛନ୍ତି।
ଆକ୍ରମଣର ପ୍ରତିଶୋଧ ନେବାକୁ ଇରାନ ପ୍ରତିଜ୍ଞା କରିଛି...
ସୁପ୍ରିମ ନେତା ଖାମେନେଇଙ୍କ ମୃତ୍ୟୁ ପରେ, ଇରାନ ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଛି। ଇରାନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିତ୍ୱ ମଧ୍ୟରୁ ଜଣେ, ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନି ଆମେରିକା ଛାତିରେ ଛୁରୀ ମାରିବା କଥା କହିଛନ୍ତି । ସେ ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଆହୁରି ପ୍ରତିଶୋଧ ନେବାର ପ୍ରତିଶ୍ରୁତି ଦେଇ କହିଛନ୍ତି କି, "ଆମର ସାମରିକ ପ୍ରତିକ୍ରିୟା ଆହୁରି ଶକ୍ତିଶାଳୀ ହେବ। ସେମାନେ ଜାଣିବା ଉଚିତ ଯେ ସେମାନେ କେବଳ ଆକ୍ରମଣ କରି ପଳାଇପାରିବେ ନାହିଁ।"
ରୁଷ ବୈଦେଶିକ ମନ୍ତ୍ରଣାଳୟ ଆମେରିକା ଏବଂ ଇସ୍ରାଏଲକୁ ଆକ୍ରମଣ ବନ୍ଦ କରିବାକୁ ଏବଂ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି। ରୁଷ କହିଛି ଯେ, ପରିସ୍ଥିତିକୁ ରାଜନୈତିକ ଏବଂ କୂଟନୈତିକ ସମାଧାନକୁ ଫେରାଇ ଆଣିବା ଉଚିତ।
ଏହା ସହ ପଢନ୍ତୁ : କେମିତି ଲିକ୍ ହୋଇଥିଲା ଖାମେନେଇଙ୍କ ଲୋକେସନ ? ସମୟ ପୂର୍ବରୁ କେମିତି ଟାର୍ଗେଟ ହିଟ୍ କରିଥିଲେ ଆମେରିକା-ଇସ୍ରାଏଲ ? ଯୋଜନା ଥିଲା କିଛି ଏମିତି...