ନୂଆଦିଲ୍ଲୀ,୧୬/୦୧: ପୁଣିଥରେ ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଇସ୍ରୋର ସ୍ପେଡେକ୍ସ ମିଶନ ଜରିଆରେ ଭାରତ ପ୍ରଥମ ଥର ଲାଗି ମହାକାଶରେ ଦୁଇଟି ସାଟେଲାଇଟ୍‌ର ସଫଳ ଡକିଂ ପ୍ରକ୍ରିୟା ଶେଷ ହୋଇଛି । ଆମେରିକା, ଋଷ ଓ ଚୀନ ପରେ ଭାରତ ଏହି ଉପଲବ୍ଧି ହାସଲ କରିବାରେ ଚତୁର୍ଥ ଦେଶ  ପାଲଟିଛି । 

ଏହା ମଧ୍ୟ ପଢନ୍ତୁ-ସ୍ପେଶ ଡ଼କିଂ ମିଶନରେ ମିଳିବ ବଡ଼ ସଫଳତା, ୧୫ ମିଟର ଦୂରରେ ୨ ସାଟେଲାଇଟ୍

ଏହା ପୂର୍ବରୁ ଇସ୍ରୋ ଡକିଂର ପ୍ରୟାସ କରିଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୭ ଓ ୯ ଜାନୁଆରୀରେ ଏହା ସମ୍ଭବ ହୋଇପାରିନଥିଲା । ସେହିପରି ୧୨ ଜାନୁଆରୀରେ ଇସ୍ରୋ ସାଟେଲାଇଟକୁ ୧୫ ମିଟର ଓ ୩ ମିଟର ପର୍ଯ୍ୟନ୍ତ ଆଣିବାରେ ସଫଳତା ହାସଲ କରିଥିଲା  । ଏନେଇ ଇସ୍ରୋ କହିଥିଲା ଯେ , ଦୁଇଟି ସାଟେଲାଇଟ୍ସର ଦୂରତାକୁ ୧୫ ମିଟରୁ ୩ ମିଟର ପର୍ଯ୍ୟନ୍ତ ଆଣିବାର ପ୍ରୟାସର ସଫଳ ରହିଛି, ଯାହାପରେ ଦୁଇଟି ସାଟେଲାଇଟ୍ସକୁ ପରସ୍ପରଠାରୁ ଦୂରେଇବାକୁ ପଡିବ। ଇସ୍ରୋ କହିଥିଲା ଯେ, ବର୍ତ୍ତମାନ ମିଳିଥିବା ଡାଟାର ବିଶ୍ଳେଷଣ ପରେ ଡକିଂର ପ୍ରୟାସ କରାଯିବ। ପ୍ରକାଶ ଥାଉକି,  ପୋଲାର ସାଟେଲାଇଟ୍ ଲଞ୍ଚିଂ ଯାନ ୨୨୦ କିଲୋଗ୍ରାମର ଦୁଇଟି ସାଟେଲାଇଟ୍‌କୁ ଡିସେମ୍ବର ୩୦ରେ ଲଞ୍ଚ କରାଯାଇଥିଲା । ଏହି ମିଶନ ମାଧ୍ୟମରେ ମହାକାଶରେ ଡକିଂ ଓ ଅନଡକିଂ ପ୍ରକ୍ରିୟାକୁ ପରୀକ୍ଷଣ କରୁଛି ଇସ୍ରୋ । 'ଡକିଂ'ର ଅର୍ଥ ହେଉଛି ଗୋଟିଏ ମହାକାଶଯାନକୁ ଅନ୍ୟ ସହିତ ସଂଯୋଗ କରିବା ଏବଂ ମହାକାଶରେ ସଂଯୁକ୍ତ ଦୁଇଟି ମହାକାଶଯାନର ପୃଥକୀକରଣ ବା ଅଲଗା ହେବାକୁ 'ଅନଡକିଂ' କୁହାଯାଏ ।