ନୂଆଦିଲ୍ଲୀ, ୨୮।୯: ଇସ୍ରୋ ଶୁକ୍ରଯାନ (ଭେନସ୍ ଅର୍ବିଟର ମିଶନ) ପାଇଁ ଭାରତୀୟ ପ୍ରତିଷ୍ଠାନଗୁଡ଼ିକଠାରୁ ପ୍ରସ୍ତାବ ଲୋଡ଼ିଛି । ଏହି ମିଶନ ସୂର୍ଯ୍ୟ ସହିତ ଶୁକ୍ରର ବାୟୁମଣ୍ଡଳ, ପୃଷ୍ଠର ଅନୁସନ୍ଧାନ କରିବ । ଏହା ଭାରତର ଗ୍ରହ ଅନୁସନ୍ଧାନ କାର୍ଯ୍ୟକ୍ରମ ପାଇଁ ଏକ ପ୍ରମୁଖ ପଦକ୍ଷେପ । ଇସ୍ରୋ ଶୁକ୍ର ଗ୍ରହରେ ଅନୁସନ୍ଧାନ କରିବା ପାଇଁ ଭାରତୀୟ ପ୍ରତିଷ୍ଠାନଗୁଡ଼ିକର ସାହାଯ୍ୟ ଲୋଡ଼ିଛି । ମିଶନର ମୂଳ ଉଦ୍ଦେଶ୍ୟ ହେଉଛି ଗ୍ରହର ଗଠନ ଓ ଏଠାରେ ଦେଖାଯାଉଥିବା ପରିବର୍ତ୍ତନକୁ ବୁଝିବା ।
କ’ଣ ତଦନ୍ତ କରିବ ଶୁକ୍ରଯାନ ?
ଭୌଗୋଳିକ ମାନଚିତ୍ର, ଖଣିଜ ବିଜ୍ଞାନ ଏବଂ ଶୁକ୍ର ଗ୍ରହର ପୃଷ୍ଠ ଭାଗର ଗଠନ ଉପରେ ତଦନ୍ତ କରିବ । ଏହା ଶୁକ୍ର ଗ୍ରହର ପୃଷ୍ଠଭାଗ ଏବଂ ଏହାର ଖଣିଜ ସମ୍ପଦ ବିଷୟରେ ସୂଚନା ଦେବ । ଭାରତ ସରକାର ଭେନସ୍ ଅର୍ବିଟର ମିଶନକୁ ଅନୁମୋଦନ କରିଛନ୍ତି । ଏହି ମିଶନ ଶୁକ୍ର ଗ୍ରହକୁ ପରିକ୍ରମା କରିବ ଏବଂ ଏହାର ପୃଷ୍ଠଭାଗ, ବାୟୁମଣ୍ଡଳ ଏବଂ ଏହା ଉପରେ ସୂର୍ଯ୍ୟକିରଣର ପ୍ରଭାବ ବିଷୟରେ ଯାଞ୍ଚ କରିବ । ଶୁକ୍ରଯାନ ମିଶନ ଶୁକ୍ର ଗ୍ରହର ଆୟନୋସ୍ଫିୟର ଏବଂ ସୌର ପବନ ସହିତ ଏହାର ପାରସ୍ପରିକ କ୍ରିୟା ଉପରେ ଧ୍ୟାନ ଦେବ । ସୂର୍ଯ୍ୟରୁ ବାହାରୁ ଥିବା ଚାର୍ଜଡ କଣିକାଗୁଡ଼ିକ ଶୁକ୍ର ଗ୍ରହର ଉପର ବାୟୁମଣ୍ଡଳକୁ କିପରି ପ୍ରଭାବିତ କରନ୍ତି ବୈଜ୍ଞାନିକମାନେ ତାହା ଅନୁସନ୍ଧାନ କରିବେ । ଶୁକ୍ର ଗ୍ରହର ଅଧ୍ୟୟନ କରି, ବୈଜ୍ଞାନିକମାନେ ଗ୍ରହଗୁଡ଼ିକର ଉତ୍ପତ୍ତି ଏବଂ ବିନାଶ ବିଷୟରେ ଜାଣିପାରିବେ । ଗ୍ରହଗୁଡ଼ିକ କାହିଁକି ସମାନ କିମ୍ବା ଭିନ୍ନ ତାହା ମଧ୍ୟ ବୁଝିପାରିବେ ।