ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ବଡ଼ ସଫଳତା ମିଳିଛି । ମହାକାଶରେ ଜୀବନ ସୃଷ୍ଟି କରିବାର ପ୍ରୟାସ ସଫଳ ହୋଇଛି । ଝୁଡ଼ଙ୍ଗ ମଞ୍ଜି ମହାକାଶରେ ଗଜା ହୋଇଥିବା ଜଣାପଡ଼ିଛି । ତେବେ ଏଥିରୁ ଖୁବଶୀଘ୍ର ପତ୍ର ବାହାରିବ ବୋଲି ବୈଜ୍ଞାନିକମାନେ ଆଶା କରିଛନ୍ତି । ଅତି କମ୍‌ ମାଧ୍ୟାକର୍ଷଣରେ ମଞ୍ଜିରୁ ଗଛ ତିଆରି କରିବା ଲାଗି ଇସ୍ରୋର ଗବେଷଣା କେତେକାଂଶରେ ସଫଳ ହୋଇଛି । ମହାକାଶରେ ଗଛ କିଭଳି ବଢ଼େ ସେନେଇ ବୈଜ୍ଞାନିକଙ୍କୁ ଆହୁରି ତଥ୍ୟ ମିଳିପାରିବ । 

ମହାକାଶରେ ଝୁଡ଼ଙ୍ଗ ମଞ୍ଜିର ଅଙ୍କୁରୋଦଗମ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ଏକ୍ସରେ ଇସ୍ରୋ ପକ୍ଷରୁ ଲେଖାଯାଇଛି, ‘ମହାକାଶରେ ଜୀବନର ଆରମ୍ଭ ! VSSCର କ୍ରପ୍ସ ପରୀକ୍ଷା ସଫଳ ହୋଇଛି । ଯାହାକି ୩୦ ଡିସେମ୍ବର ୨୦୨୪ରେ ପିଏସଏଲଭି-ସି ୬୦ ରକେଟ୍‌ ସାହାଯ୍ୟରେ ମହାକାଶକୁ ପଠାଯାଇଥିଲା । ୪ ଦିନରେ ଝୁଡ଼ଙ୍ଗ ମଞ୍ଜିରୁ ଗଜା ବାହାରିଛି । ପତ୍ର ଖୁବଶୀଘ୍ର ବାହାରିବ ବୋଲି ଆଶା କରାଯାଉଛି ।’ ତେବେ ଡିସେମ୍ବର ୩୦ରେ ଇସ୍ରୋର ବହୁ ଚର୍ଚ୍ଚିତ ସ୍ପେଡେକ୍ସ ମିଶନ ପିଏସଏଲଭି-ସି ୬୦ ରକେଟ୍‌ ସାହାଯ୍ୟରେ ମହାକାଶକୁ ପଠାଇଥିଲା ଇସ୍ରୋ । 




ଏହି ମିଶନରେ ମୋଟ୍ ୨୪ଟି ପେଲୋଡ୍ ମହାକାଶକୁ ଇସ୍ରୋ ପଠାଇଥିଲା । ୨୪ଟି ପେଲୋଡ୍ ରୁ ୧୪ଟି ଇସ୍ରୋ ତିଆରି କରିଥିବା ବେଳେ,୧୦ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଘରୋଇ ଷ୍ଟାର୍ଟଅପ୍ ଦ୍ୱାରା ତିଆରି କରାଯାଇଛି । ତେବେ ଏଥିମଧ୍ୟରୁ ରୋଚକ ପେଲୋଡ୍ ଥିଲା- କ୍ରପ୍ । କ୍ରପ୍ ପେଲୋଡ୍‌ରେ ୮ଟି ଝୁଡ଼ଙ୍ଗ ମଞ୍ଜିକୁ ମହାକାଶକୁ ପଠାଇଥିଲା ଇସ୍ରୋ । ଏବେ ମଞ୍ଜି ଗଜା ହୋଇଥିବା ବେଳେ ସେଥିରୁ ୨ଟି ଲେଖାଏଁ ପତ୍ର ବାହାରିବା ଯାଏଁ ଅନୁଧ୍ୟାନ କରାଯିବ ।  କ୍ଷୀଣ ମାଧ୍ୟାକର୍ଷଣ ଶକ୍ତିରେ କିପରି ମଞ୍ଜିରୁ ଗଛ ବାହାରୁଛି ତାର ଫଟୋ ଉଠାଯିବ ଏବଂ ଅମ୍ଳଜାନ, ଅଙ୍ଗାରକାମ୍ଳ, ଆଦ୍ରତା, ତାପମାତ୍ରା ଆଦି ମପାଯିବ । ସେପଟେ ସ୍ପେଡେକ୍ସ ମିଶନ ଜରିଆରେ ଇସ୍ରୋ ଇନସ୍ପେଶ୍‌ ଡକିଂ ଏବଂ ଅନଡିକଂ ଲାଗି ଯୋଜନା ରଖିଛି । ମହାକାଶରେ ଦୁଇଟି ସ୍ପେଶକ୍ରାଫ୍ଟକୁ ଯୋଡ଼ିବା ଏବଂ ଅଲଗା କରିବା ଏହି ସ୍ପେଡେକ୍ସ ମିଶନର ମୂଳ ଲକ୍ଷ୍ୟ ।