କଟକ,୧୧/୦୨ : ୩୬ ଡିଗ୍ରୀ ଖରାରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଦର୍ଶକ ପ୍ୟାକ୍‌ ହୋଇଥିଲେ । ଦିନ ସାଢେ ଗୋଟାଏରେ ମ୍ୟାଚ ଆରମ୍ଭ ହେବାର ଥିଲା । ମାତ୍ର ସକାଳ ୮ଟାରୁ ଦର୍ଶକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା । ଦିନ ୧୧ଟାରୁ ଅପରାହ୍ଣ ୫ଟା ଯାଏ ଖୋଲା ଗ୍ୟାଲେରୀରେ ହଜାର ହଜାର ଦର୍ଶକ ମ୍ୟାଚ ଉପଭୋଗ କରିଥିଲେ ଏବଂ ଟିମ୍‌ ଇଣ୍ଡିଆକୁ ଚିୟର୍‌ କରିଥିଲେ । ତାତିରୁ ଲୋକଙ୍କୁ ସାମୟିକ ଆଶ୍ୱସ୍ତି ଦେବାକୁ ଆୟୋଜକ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ତରଫରୁ ଦର୍ଶକଙ୍କ ଉପରେ ପାଣି ସ୍ପ୍ରେ’ କରାଯାଇଥିଲା । ଆୟୋଜକଙ୍କ ଏଭଳି ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ଭାରତୀୟ ଦଳର ୱିକେଟକିପର୍‌ ବ୍ୟାଟର୍‌ ରିଷଭ ପନ୍ତ । 

ରିଷଭ ତାଙ୍କ ସୋସିଆଲ୍‌ ମିଡ଼ିଆ ‘ଏକ୍ସ’ ପୃଷ୍ଠାରେ ଏକ ପୋଷ୍ଟ୍‌ ଭାଇରାଲ୍‌ ହୋଇଛି। ଯେଉଁଥିରେ ପନ୍ତ ଉଲ୍ଲେଖ କରିଛନ୍ତି ଯେ, ‘ଦର୍ଶକଙ୍କ ଉପରେ ପାଣି ଛିଞ୍ଚନ ଦୃଶ୍ୟ ଦେଖି ମୁଁ ବହୁତ ଖୁସି ହେଲି। ଦିନବେଳା କ୍ରିକେଟ ଦେଖିବାକୁ କ୍ରିକେଟପ୍ରେମୀମାନେ ଟାଣ ଖରାରେ ବସି ଆମକୁ ଉତ୍ସାହିତ କରୁଛନ୍ତି। ତେଣୁ ସେମାନଙ୍କ ଲାଗି ଏହା ବେଶ୍‌ ଭଲ ବ୍ୟବସ୍ଥା’ । ସୋମବାର ଅପରାହ୍ଣ ୧ଟା ୧୩ରେ ‘ଏକ୍ସ’ରେ ସେ ଏହି ପୋଷ୍ଟ କରିଥିବାର ଦେଖିବାକୁ ମିଳିଥିଲା । ତାଙ୍କର ଏହି ପୋଷ୍ଟକୁ ବହୁତ ମାତ୍ରାରେ ସେୟାର୍‌ କରାଯାଇଥିବା ବେଳେ ତାଙ୍କୁ ସମର୍ଥନ କରି ସୋସିଆଲ୍‌ ମିଡିଆ ଅନୁଗାମୀମାନେ ଭୂୟସୀ ପ୍ରଶଂସା କରିଛନ୍ତି।