ଭୁବନେଶ୍ୱର୧୯/୦୧: ଚଳିତ ବର୍ଷ ଖଣ୍ଡଗିରି ମାଘ ମେଳାଙ୍କୁ ଧୁମଧାମ୍‌ର ସହିତ ପାଳନ କରାଯିବ । ଆଲୋକମାଳରେ ସଜେଇ ହେବ ଖଣ୍ଡଗିରି ଅଞ୍ଚଳ । ଏହା ସହ ସାଧୁସନ୍ଥକୁ ସ୍ୱାଗତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ । ତେବେ ଏଥର ଖଣ୍ଡଗିରି ଯାତ୍ରାରେ ଚାଲିବନି ଅଶ୍ଳୀଳତା। ଏଥିପାଇଁ ଖୁବ୍‌ଶୀଘ୍ର ଜାରି ହେବ ମାର୍ଗଦର୍ଶିକା । ଅଶ୍ଳୀଳ ନୃତ୍ୟ ବ୍ୟାନ ନେଇ ସରକାର ଏସ୍‌ଓପି ଆଣିବେ ବୋଲି ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସୂଚନା।

ନିକଟରେ ଯାତ୍ରା କମିଟି, କଳାକାର ଓ ମାଲିକମାନଙ୍କ  ସହ ସରକାରଙ୍କ ଏକ ବୈଠକ ବସିଥିଲା । ଯାତ୍ରାକୁ  ଶୃଙ୍ଖଳିତ କରିବା ସହ ସବୁପ୍ରକାର ସରକାରୀ ସୁବିଧା,  ସୁଯୋଗ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ।  ଅଶ୍ଳୀଳତା ପ୍ରସଙ୍ଗରେ ତୁରନ୍ତ କଠୋର ଆଇନ୍‌ ନ ଆଣିବାକୁ ସଂସ୍କୃତି ମନ୍ତ୍ରୀଙ୍କୁ ଯାତ୍ରା ଅନୁଷ୍ଠାନମାନଙ୍କ ପକ୍ଷରୁ ଅନୁରୋଧ  କରାଯାଇଥିଲା ।

 ରବିବାର ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା  ରଖି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, ଖଣ୍ଡଗିରି ମେଳାକୁ  ନେଇ ଗୃହ ବିଭାଗ ଓ ପୁଲିସ୍‌ ବିଭାଗ ତା’ର ଆଇନ୍‌  ଶୃଙ୍ଖଳା ଦିଗଟିକୁ ଦେଖୁଛି । ଅଶ୍ଳୀଳତା ପ୍ରସଙ୍ଗ ଉପରେ  ବି ଆମେ ସଚେତନ ରହିଛୁ । ଏହା ଉପରେ ଆମେ  ଖୁବ୍‌ଶୀଘ୍ର ମାର୍ଗଦର୍ଶିକା ଜାରି କରିବାକୁ ଯାଉଛୁ । ଏନେଇ  ଯାତ୍ରା କମିଟି, କଳାକାର ଓ ମାଲିକଙ୍କ ସହ ଆଲୋଚନା  କରିଛୁ । ସେମାନଙ୍କର ଅନୁରୋଧ ରହିଥିଲା ଯେ, ତୁରନ୍ତ  କିଛି କଠୋର ପଦକ୍ଷେପ ନିଆନଯାଉ ବା ଆଇନ୍‌ ନ  ଅଣାଯାଉ । ତାଙ୍କୁ କିଛି ସମୟ ଦିଆଯାଉ । ତାଙ୍କରି କଥାକୁ  ନେଇ ସମୟ ଦିଆଯାଇଛି ଏବଂ ଆମେ ଲକ୍ଷ୍ୟ ରଖିଛୁ ।  


ଆସନ୍ତା ଫେବ୍ରୁଆରୀ ୬ରୁ ୧୭ ତାରିଖ ପର୍ଯ୍ୟନ୍ତ  ଖଣ୍ଡଗିରି କୁମ୍ଭମେଳା ଅବସରରେ ଚାଲିବ ଯାତ୍ରା  ମହାସମର । ୬ ପେଣ୍ଡାଲ୍‌ରେ ୧୨ ଯାତ୍ରା ପାର୍ଟି ବିଭିନ୍ନ  ଯାତ୍ରା ପରିବେଷଣ  କରିବେ । ଏହାକୁ  ଶାନ୍ତି ଶୃଙ୍ଖଳାରେ  ସମାପନ କରିବା  ସହ ଖଣ୍ଡଗିରିରେ ଅଶ୍ଳୀଳତାକୁ ପୂରେଇ ନଦେବାକୁ ଗଠିତ  ସ୍ୱତନ୍ତ୍ର କୋର୍‌  କମିଟି ନିଷ୍ପତ୍ତି  ନେଇଛି ।