ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ସୁପ୍ରିମକୋର୍ଟ ଝଟକା ଦେଇଛନ୍ତି । ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୧୫ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାକୁ ନେଇ ଖବରରେ ରହି ଆସିଥିବା ଜ୍ୟାକଲିନଙ୍କୁ ଆଶ୍ବସ୍ତି ମିଳିନାହିଁ । ଜ୍ୟାକଲିନ୍ ସୁକେଶଠାରୁ ମହଙ୍ଗା ଉପହାର ପାଇଥିଲେ। ସୁକେଶଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ୍ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ତାଙ୍କ ବିରୋଧରେ ହୋଇଥିବା ମାମଲା ରଦ୍ଦ କରିବା ପାଇଁ ଅଭିନେତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । 

ଜଷ୍ଟିସ୍ ଦୀପଙ୍କର ଦତ୍ତ କହିଛନ୍ତି, ‘ଅଭିଯୋଗ ହେଉଛି  ଆପଣ ୨୧୫ କୋଟିର ଉପହାର ପାଇଛନ୍ତି। ଆଇନ ଏପରି ଯେ, ଯେକେହି ଏଥିରେ ସମ୍ପୃକ୍ତ ହୋଇପାରିବେ। ଦୁଇଜଣ ଅତି ଘନିଷ୍ଠ ବନ୍ଧୁ, ଯଦି ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁକୁ କିଛି ଦିଅନ୍ତି ଏବଂ ତା'ପରେ ସେ ଅପରାଧ କରନ୍ତି, ତେବେ ସେମାନଙ୍କୁ ଅଲଗା ରଖିବା ବହୁତ କଷ୍ଟକର।’

ଜଷ୍ଟିସ୍ ଦତ୍ତ ଏହା ମଧ୍ୟ କହିଛନ୍ତି, ‘ଆମେ ବୁଝିପାରୁଛୁ ଯେ, ଏହାର ସମୀକ୍ଷା ଆବଶ୍ୟକ । ସର୍ବୋତ୍ତମ ବିକଳ୍ପ ହେଉଛି ଏହି ଆବେଦନକୁ ପ୍ରତ୍ୟାହାର କରିନିଅନ୍ତୁ ଏବଂ ଉପଯୁକ୍ତ ସମୟରେ ଆସନ୍ତୁ।’ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆବେଦନକୁ ଖାରଜ କରାଯାଇଛି। ସୁପ୍ରିମକୋର୍ଟଙ୍କ ପୂର୍ବରୁ, ଜ୍ୟାକଲିନଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଖାରଜ ହୋଇଯାଇଥିଲା। 

ଏହା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ସେଠାରେ ମଧ୍ୟ ତାଙ୍କୁ କୌଣସି ଆଶ୍ୱସ୍ତି ମିଳି ନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସୁକେଶ ଚନ୍ଦ୍ରଶେଖର ସହିତ ଜଡିତ ୨୦୦ କୋଟି ମାମଲାରେ ଜ୍ୟାକଲିନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ତାଙ୍କୁ ଏହି ମାମଲାରେ ସହ-ଅଭିଯୁକ୍ତ ଭାବରେ ନାମିତ କରାଯାଇଛି। ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଇଡିର ଚାର୍ଜସିଟରେ କୁହାଯାଇଛି ଯେ, ସୁକେଶ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ନେଇ ଜାଣିଥିଲେ ଜ୍ୟାକଲିନ।