ଭୁବନେଶ୍ୱର,୦୬/୦୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନମାନୀ । ଦିଦିଙ୍କର ଏ କି ଜିଦ୍ ? ମୁହଁଟାଣ ଛାଡୁନାହାନ୍ତି ମମତା । ଦୀଘା ଜଗନ୍ନାଥ ମନ୍ଦିର ବିବାଦ ଘଟଣା । ଦୀଘାକୁ 'ଜଗନ୍ନାଥ ଧାମ' ଘୋଷଣା ନେଇ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ଜିଦରେ ଅଟଳ ପଶ୍ଚିମବଙ୍ଗ ସରକାର । ରାତାରାତି ଆଉ ଏକ ସେଲ୍ଫି ପଏଣ୍ଟ ଲଗାଇଛି ପଶ୍ଚିମବଙ୍ଗ ପ୍ରଶାସନ । ଦୀଘାରେ ପୁଣି ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ । ମନ୍ଦିର ସାମ୍ନାରେ ବଡ଼ ବଡ଼ ଅକ୍ଷରରେ 'ଜଗନ୍ନାଥ ଧାମ' ହୋର୍ଡିଂ ଲାଗିଛି । ପୂର୍ବରୁ ମନ୍ଦିରରେ ଅସ୍ଥାୟୀ ହୋର୍ଡିଂ ଲଗାଯାଇଥିଲା । 'ଜଗନ୍ନାଥ ଧାମ' ବିବାଦ ଭିତରେ ପୁଣି ସ୍ଥାୟୀ ହୋର୍ଡିଂ ଲଗାଯାଇଛି ।
ଚାରିଧାମକୁ ବେଖାତିର କରି ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛନ୍ତି ପଶ୍ଚିମବଙ୍ଗ ପ୍ରଶାସନ । ଯାହାକୁ ନେଇ ଅସନ୍ତୋଷ ଜଗନ୍ନାଥ ପ୍ରେମୀ । ତେଜୁଛି ବିବାଦ । ପଚାରିବାରୁ ରାଗି ତାତି ଯାଉଛନ୍ତି ଦିଦି । ଆଉ କହୁଛନ୍ତି, ସବୁଠି ହେଉଛି ଦୀଘାରେ ହେଲେ କାହିଁକି ବାଧୁଛି ? ସେପଟେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିର କେବେ ବି 'ଜଗନ୍ନାଥ ଧାମ' ହୋଇପାରିବନି ବୋଲି ସଫା ସଫା କହି ଦେଇଛନ୍ତି ଗଜପତି ମହାରାଜ । ପ୍ରଥମେ ପଶ୍ଚିମବଙ୍ଗ ସରକାର ହୋର୍ଡିଂ ହଟାଇଥିଲେ । ଏହାପରେ ପୁଣି ଏକ ସ୍ଥାୟୀ 'ଜଗନ୍ନାଥ ଧାମ' ହୋର୍ଡିଂ ଲଗାଇଛନ୍ତି ପଶ୍ଚିମବଙ୍ଗ ପ୍ରଶାସନ ।
ଅଧିକ ପଢନ୍ତୁ...'ସବୁଠି ସବୁ ମନ୍ଦିର ହେଉଛି, ଦୀଘାରେ ହେଲେ କାହିଁକି ବାଧୁଛି ?' ତାତିଗଲେ ଦିଦି...
ୱେବ୍ସାଇଟ୍ରେ ଠାକୁରଙ୍କ ଫଟୋ ଓଲଟପାଲଟ
ଅନ୍ୟପଟେ ଜଗନ୍ନାଥ ଟେମ୍ପୁଲ୍ ଦୀଘା ଡଟ୍ କମ୍ ୱେବ୍ସାଇଟ୍ରେ ପଶ୍ଚିମବଙ୍ଗର ଦୀଘାଠାରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର, ପ୍ରତିଷ୍ଠିତ ଠାକୁର, ରଥ ତ୍ରୟ ପ୍ରଭୃତିର ଅନେକ ଫଟୋ ସେୟାର କରାଯାଇଛି । ୩ ବିଗ୍ରହଙ୍କ ଫଟୋ ପୋଷ୍ଟ କରାଯାଇଛି । ଏହି ବିଗ୍ରହଙ୍କୁ ଓଲଟ ପାଲଟ ଭାବେ ଉପସ୍ଥାପିତ କରାଯାଇଛି । ବାମରୁ ପ୍ରଥମେ ବଡ଼ଠାକୁରଙ୍କ ସ୍ଥାନରେ ଜଗନ୍ନାଥ ଓ ଡାହାଣରେ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ବଡ଼ଠାକୁରଙ୍କୁ ଫଟୋ ରହିଛି । ସେହିପରି ଏହି ଫଟୋରେ ଶ୍ରୀସୁଦର୍ଶନଙ୍କ ଫଟୋ ନାହିଁ । ଯାହା ସମାଲୋଚନାର ବିଷୟ ହୋଇଛି ।
ଗୁଗଲ ମ୍ୟାପ୍ରେ 'ଜଗନ୍ନାଥ ଧାମ' ଦୀଘାକୁ ଯିବାକୁ ବାଟ ଉଲ୍ଲେଖ
ସେହିପରି ଫଟୋ ତଳେ ନଜର ଆସୁଥିବା ଗୁଗଲ ମ୍ୟାପ୍ରେ 'ଜଗନ୍ନାଥ ଧାମ' ଦୀଘାକୁ ଯିବାକୁ ବାଟ ଉଲ୍ଲେଖ କରାଯାଇଛି । ବହୁ ସମାଲୋଚନା ପରେ ମଧ୍ୟ ଏପର୍ଯ୍ୟନ୍ତ ଏହାକୁ ହଟାଇବାକୁ ପଶ୍ଚିମବଙ୍ଗ ସରକାର କିମ୍ବା ଦୀଘା ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ପଦକ୍ଷେପ ନେଇନାହାନ୍ତି ।