ଭୁବନେଶ୍ଵର, ୯।୭ : ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ବୁଧବାର  ଜେଲ୍‌ରୁ ମୁକୁଳିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ବୁଧବାର ଜାମିନ ପ୍ରଦାନ କରିଥିଲେ । ଜଣେ ଜାମିନଦାର ଓ ୩୦ ହଜାର ଟଙ୍କା ବଦଳରେ ତାଙ୍କୁ ଜାମିନ୍ ମିଳିଛି। 

ଝାରପଡ଼ା ଜେଲ୍‌ରୁ ମୁକୁଳିବା ପରେ ତାଙ୍କୁ ବାହାରେ ଦଳୀୟ ନେତା ଓ କର୍ମୀ ସ୍ଵାଗତ ସମ୍ଵର୍ଦ୍ଧନା ଦେଇଛନ୍ତି। ଏପରିକି ବିଜେପିର ମହିଳା ନେତ୍ରୀ ବେକରେ ଫୁଲମାଳ ସହ ବନ୍ଦାପନା କରିଛନ୍ତି । 

ଗତ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଏହା ପରେ  ତାଙ୍କୁ ପୋଲିସ ଗିରଫ କରିଥିଲା।  ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଥିଲା। ଏହା ପରେ ଜଗନ୍ନାଥ ପ୍ରଧାନଙ୍କୁ କୋର୍ଟରେ ହାଜର କରାଯାଇଥିଲ।। ଜାମିନ ନାମଞ୍ଜୁର ପରେ ଜଗନ୍ନାଥଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା।