ଭଞ୍ଜନଗର,୨୦/୦୮: ଖାଲି ପଡିଥିବା ଜଗନ୍ନାଥ ପ୍ରସାଦ ବ୍ଳକ ଉପାଧ୍ୟକ୍ଷ ପଦବୀ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେଡିକୁ ଲାଗିଛି ଶକ୍ତ ଧକ୍କା। ଏଠାରେ ଶାସକ ବିଜେପି ସମର୍ଥିତ ସମିତି ସଭ୍ୟ ନିଳାଞ୍ଚଳ ଖିଲାର ୫ ଭୋଟ ବ୍ୟବଧାନରେ ବିଜୟୀ ଘୋଷିତ ହୋଇଛନ୍ତି ।
ମିଳିଥିବା ସୂଚନା ପ୍ରକାରେ, ଜଗନ୍ନାଥ ପ୍ରସାଦ ବ୍ଳକ ଉପାଧ୍ୟକ୍ଷ ପଦବୀ ପାଇଁ ଆଜି ଉପନିର୍ବାଚନ ତାରିଖ ଘୋଷଣା ହୋଇଥିଲା। ଏଥିରେ କ୍ଷେତମୁଣ୍ଡାଳୀ ପଞ୍ଚାୟତର ସମିତି ସଭ୍ୟ ନିଳାଞ୍ଚଳ ଖିଲାର ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କ ବିରୁଦ୍ଧରେ ବିଜେଡି ପକ୍ଷରୁ ରାଉତି ପଞ୍ଚାୟତର ସମିତି ସଭ୍ୟା ପଙ୍କଜା କୁମାରୀ ପ୍ରଧାନ ନାମାଙ୍କନ ପତ୍ର ଭରିଥିଲେ। ଆଉ ଭୋଟ ଗଣତି ପରେ ଫଳାଫଳ ବିଜେପି ସପକ୍ଷରେ ଯାଇଛି। ବିଜେପିର ନିଳାଞ୍ଚଳ ଖିଲାର ୫ ଟି ଭୋଟ ବ୍ୟବଧାନରେ ବିଜୟୀ ଘୋଷିତ ହୋଇଛନ୍ତି। ଫଳରେ ବିଜେଡିର ଗଡ ଭାବେ ପରିଚିତ ଜଗନ୍ନାଥ ପ୍ରସାଦ ବ୍ଳକ ଏବେ ବିଜେପି ଦଖଲକୁ ଯାଇଛି।
ସୂଚନାଯୋଗ୍ୟ ଯେ, ଗତ ପଞ୍ଚାୟତ ନିର୍ବାଚନ ରେ ଜଗନ୍ନାଥ ପ୍ରସାଦ ବ୍ଳକରେ ବିଜେଡିର ବିପୁଳ ବିଜୟ ହୋଇଥିଲା । ବ୍ଳକର ମୋଟ ୨୫ ଟି ପଞ୍ଚାୟତ ମଧ୍ୟରୁ ବିଜେଡ଼ି ୨୨ ଟି ପଞ୍ଚାୟତରେ ବିଜୟ ହାସଲ କରିଥିବା ବେଳେ ବିଜେପି ସମର୍ଥିତ ମାତ୍ର ୩ ଟି ସମିତି ସଭ୍ୟ ବିଜୟୀ ହୋଇଥିଲେ। ଏବେ ଅଧିକାଂଶ ବିଜେଡି ନେତା ବିଜେପିକୁ ଲମ୍ଫ ମାରିଥିବା ବେଳେ ରାଜନୈତିକ ଗଣିତ ଏପଟ ସେପଟ ହୋଇଛି । ପୂର୍ବରୁ ବିଜେଡିର ଉପାଧ୍ୟକ୍ଷ ରହିଥିବା ରଞ୍ଜିତ କୁମାର ପାତ୍ର ଅତର୍କିତ ଭାବେ ନିଜ ପଦବୀରୁ ଇସ୍ତଫା ଦେବା ପରଠାରୁ ଏହି ବ୍ଳକରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଥିଲା। ଯାହା ଆଜିର ଉପନିର୍ବାଚନରେ ପ୍ରତିଫଳିତ ହୋଇଛି।