ନୂଆଦିଲ୍ଲୀ,୦୮/୦୪: ରାଜସ୍ଥାନର ଜୟପୁରରେ ଅଘଟଣ। ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡ଼ିଗଲା କାର୍। ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଜୟପୁରର ନାହରଗଡ଼ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ପୂର୍ବରୁ କାର ଡ୍ରାଇଭର ଅନେକ ବାଇକକୁ ମଧ୍ୟ ଧକ୍କା ଦେଇଥିଲେ ଏବଂ ଦୁର୍ଘଟଣା ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରିଥିଲା। ହେଲେ ଉପସ୍ଥିତ ଲୋକମାନେ ଅଭିଯୁକ୍ତ କାର ଡ୍ରାଇଭରକୁ କାବୁ କରିନେଇଥିଲେ। ଦୁର୍ଘଟଣାରେ ଆହତ ସମସ୍ତ ଲୋକଙ୍କୁ ହସ୍ପିଟାଲକୁ ନିଆଯାଇଥିଲା।
ଏହା ମଧ୍ୟ ପଢନ୍ତୁ- ୨୨୫ ଜଣ ଯାତ୍ରୀଙ୍କୁ ନେଇ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ
ଅନ୍ୟପଟେ ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ସମୟରେ କାର ଡ୍ରାଇଭର ମଦ୍ୟପାନ କରିଥିବା ଜଣାପଡ଼ିଛି। ଏନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ଗାଡ଼ିକୁ ଜବତ କରିଛି। ASI କହିଛନ୍ତି ଯେ, ଅଧିକ ଦ୍ରୁତ ଗତି ଏବଂ ମଦ୍ୟପାନ କରି ଗାଡି ଚାଳନା କରିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ମୃତଦେହକୁ ହେପାଜତକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି।