ନୂଆଦିଲ୍ଲୀ,୨।୧୨: ପୁରୁଣା ରଣନୀତି ବଦଳାଇ ଏବେ ହମାସ ରାସ୍ତାରେ ଏବେ ଜୈଶ-ଇ-ମହମ୍ମଦ। ଭାରତ ବିରୋଧରେ ଆରମ୍ଭ କରିଛି ବଡ଼ ଧରଣର ଷଡଯନ୍ତ୍ର। ପିଓକେରେ ଆୟୋଜିତ ଏକ ରାଲିରେ ଖୋଲାଖୋଲି ଭାବରେ ହମାସ ଆତଙ୍କୀଙ୍କୁ ପ୍ରଶଂସା କରିଛନ୍ତି ଜୈଶ ନେତା। ଏହା ସହ ନିଜର ସଦସ୍ୟଙ୍କୁ ହମାସ ଭଳି ରଣନୀତି ଗ୍ରହଣ କରିବାକୁ ଅପିଲ କରାଯାଇଛି।

ପାଲେଷ୍ଟାଇନର ଦୁର୍ଦାନ୍ତ ଆତଙ୍କୀ ସଂଗଠନ ହମାସର ନୀତିକୁ ଗ୍ରହଣ କରିବ ଜୈଶ-ଇ-ମ୍ମହମଦ। ଏନେଇ ପାକିସ୍ତାନର ଏହି ଆତଙ୍କୀ ସଂଗଠନ ପକ୍ଷରୁ ୨୯ ନଭେମ୍ବରରେ ପିଓକେରେ ଦାଦୟାଲରେ ଏକ ରାଲି ଆୟୋଜିତ ହୋଇଥିଲା। ଏଥିରେ ହମାସ ଆତଙ୍କବାଦୀଙ୍କୁ ସମ୍ମାନିତ କରାଯାଇଥିଲା। ଜୈଶ-ଇ-ମହମ୍ମଦର କମାଣ୍ଡର ଇଲିୟାସ୍ କାଶ୍ମିରୀ ଉପସ୍ଥିତ ଥିଲା। ଇଲିୟାସ ସଂଗଠନର ସମସ୍ତ ସଦସ୍ୟଙ୍କୁ ହମାସର ରଣନୀତି ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲା। ବିଶେଷ ଭାବରେ ଯୁବପୀଢିଙ୍କୁ ହମାସର ଆଦର୍ଶରେ ଚାଲି ଯୁଦ୍ଧ ଲଢିବାକୁ ଆହ୍ବାନ ଦେଇଥିଲା । ଗୁଇନ୍ଦା ସଂସ୍ଥାଗୁଡ଼ିକ ଅନୁସାରେ, ଏହି ଧାରା ଜୈଶର ଆଗାମୀ ରଣନୀତିର ଏକ ସଙ୍କେତ ହୋଇପାରେ। ରାଲି ସମୟରେ ଏକ ଗୀତ ମଧ୍ୟ ପରିବେଷଣ କରାଯାଇଥିଲା, ଯାହା ଥିଲା ମୁଁ ପାଲେଷ୍ଟାଇନ,ଏହା ମୋର ଅପରାଧ।’ ଗୀତର ଉଦ୍ଦେଶ୍ୟ ଥିଲା ଭିଡ଼ରେ ସଂଘର୍ଷ ଏବଂ ପ୍ରତିରୋଧର ଭାବନା ସୃଷ୍ଟି କରିବା।

​​​​​​​

ଏଜେନ୍ସି ଗୁଡ଼ିକର କହିବା ଅନୁସାରେ, ଜୈଶ ଏହି ପ୍ରକାରର କାହାଣୀ ମାଧ୍ୟମରେ ଯୁବପିଢ଼ିଙ୍କ ସହିତ ଯୋଡ଼ି ହେବାକୁ ଚେଷ୍ଟା କରୁଛି। ଏହି ସମୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଖୁଲାସା ଏହା ଯେ, ଜୈଶର ଆତଙ୍କୀଙ୍କୁ ହମାସ ଭଳି ସୁଡଙ୍ଗ, ଛୋଟ ଗ୍ରୁପ୍ ଆଟାକ୍ ଓ ଡ୍ରୋନ୍ ଆଧାରିକ ଆକ୍ରମଣର ଟ୍ରେନିଂ ଦିଆଯାଉଛି। ବହୁ ଲଞ୍ଚିଂ ପଏଣ୍ଟ ଉପରେ ନୂଆ ଟ୍ରେନିଂ ମଡ୍ୟୁଲ ସାମିଲ କରାଯାଇଛି। ଦାଦିଆଲ ଦୀର୍ଘ ଦିନ ଧରି ଜୈଶର ଗତିବିଧିର କେନ୍ଦ୍ର ରହିଛି। କିନ୍ତୁ ଏବେ ହମାସ ମଡେଲ ଗ୍ରହଣ କରିବା, ଖୋଲା ରାଲି ଏବଂ ଆତଙ୍କୀ ନେତାଙ୍କ ଖୋଲା ଭାଷଣ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଚିନ୍ତାର କାରଣ ପାଲଟିଛି। ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ, ଏହି ରାଲି ଜୈଶର ଆଗାମୀ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତିକୁ ସୂଚିତ କରୁଛି, ଯାହାକୁ ହାଲୁକା ଭାବରେ ନିଆଯାଇପାରିବ ନାହିଁ।