ନୂଆଦିଲ୍ଲୀ,୨୩/୦୯: ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କ, ବାଣିଜ୍ୟ ଏବଂ ବର୍ତ୍ତମାନ H-1B ଭିସାକୁ ନେଇ ଉତ୍ତେଜନା ଜାରି ରହିଛି। ଏହାରି ମଧ୍ୟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଭାରତ ସହିତ ସମ୍ପର୍କ ଆମେରିକା ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ।
ନ୍ୟୁୟର୍କରେ ଅନୁଷ୍ଠିତ ମିଳିତ ଜାତିସଂଘର ସାଧାରଣ ପରିଷଦରେ ରୁବିଓ-ଜୟଶଙ୍କରଙ୍କ ସାକ୍ଷାତ ହୋଇଥିଲା। ସରକାରୀ ସୂଚନାରେ ରୁବିଓ କହିଥିଲେ ଯେ, ନୂଆଦିଲ୍ଲୀ ସହିତ ସମ୍ପର୍କ ଆମେରିକା ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ଦୁଇ ନେତା ଏହା ମଧ୍ୟ ସହମତ ହୋଇଥିଲେ ଯେ ଆମେରିକା ଏବଂ ଭାରତ କ୍ୱାଡ୍ ମାଧ୍ୟମରେ ଏକ ମୁକ୍ତ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଏକାଠି କାମ କରିବେ। ଏହି ବୈଠକ ଚାଲିଥିବା ଟାରିଫ ଉତ୍ତେଜନା ମଧ୍ୟରେ ହୋଇଥିଲା। ଏହା ବ୍ୟତୀତ, ଆମେରିକା ନାଟକୀୟ ଭାବରେ H1B ଭିସା ଶୁଳ୍କକୁ ୧୦୦,୦୦୦ ଡଲାରକୁ ବୃଦ୍ଧି କରିଛି। ଯାହା ଭାରତୀୟ ଟେକ୍ ଶିଳ୍ପ ଉପରେ ସର୍ବାଧିକ ପ୍ରଭାବ ପକାଇବାର ସମ୍ଭାବନା ଅଛି।
ସେପଟେ ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଲେଖିଛନ୍ତି, "ଆମର ଆଲୋଚନା ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ଫୋକସ୍ କରିଥିଲା। ପ୍ରାଥମିକତା କ୍ଷେତ୍ରରେ ପ୍ରଗତି ପାଇଁ ନିରନ୍ତର ଆଲୋଚନାର ଗୁରୁତ୍ୱ ଉପରେ ଆମେ ସହମତ ହୋଇଥିଲୁ। ସେ ବୈଠକକୁ "ଭଲ" ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ ଆମେ ସମ୍ପର୍କରେ ରହିବୁ। ପ୍ରକାଶ ଥାଉକି, ଟ୍ରମ୍ପ ପ୍ରଶାସନ ଦ୍ୱାରା ନିଆଯାଇଥିବା ଏକାଧିକ କାର୍ଯ୍ୟାନୁଷ୍ଠାନ ପରେ ଗତ କିଛି ମାସ ଧରି ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ତିକ୍ତ ହୋଇଛି। ନୂଆଦିଲ୍ଲୀର ରୁଷୀୟ ତୈଳ କ୍ରୟ ଉପରେ ଟ୍ରମ୍ପ ଜରିମାନା ସ୍ୱରୂପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, ଯାହା ଫଳରେ ଭାରତ ଉପରେ ଆମେରିକା ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି କରିଛି।