ଜୟପୁର: ରାଜସ୍ଥାନ ରୟାଲ୍ସକୁ ୧୦ ରନରେ ପରାସ୍ତ କରିଛି ପଞ୍ଜାବ କିଙ୍ଗସ୍ । ଏହି ମ୍ୟାଚ୍ରେ ପଞ୍ଜାବ ଦଳ ପ୍ରଥମେ ବ୍ୟାଟିଂ କରି ୨୧୯ ରନ୍ କରିଥିଲା । ଏହାର ଜବାବରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ କେବଳ ୨୦୯ ରନ୍ କରିପାରିଥିଲା। ଏହି ମ୍ୟାଚ୍ ଜିତି ପଞ୍ଜାବ ପ୍ଲେଅଫରେ ନିଜର ସ୍ଥାନ ପ୍ରାୟ ନିଶ୍ଚିତ କରିସାରିଛି। ପଞ୍ଜାବର ବିଜୟରେ ନେହାଲ ୱାଧେରା ଏବଂ ହରପ୍ରୀତ ବ୍ରାର ସବୁଠାରୁ ବଡ଼ ଅବଦାନ ଦେଇଥିଲେ। ୱାଧେରା ୭୦ ରନ କରିଥିଲେ ଏବଂ ହରପ୍ରୀତ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ ।
ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୨୨୦ ରନ୍ର ଟାର୍ଗେଟ ମିଳିଥିଲା। ଏହାର ଜବାବରେ ଯଶସ୍ବୀ ଜୟସ୍ବାଲ ଏବଂ ବୈଭବ ସୂର୍ଯ୍ୟବଂଶୀ ନିଜ ଦଳକୁ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ମିଶି ୫ମ ଓଭରରେ ଦଳର ସ୍କୋରକୁ ୬୦ ରନ ଅତିକ୍ରମ କରାଇଥିଲେ। ଏହି ସମୟରେ, ସୂର୍ଯ୍ୟବଂଶୀ ୧୫ ବଲରେ ୪୦ ରନ୍ କରି ଆଉଟ୍ ହୋଇଥିଲେ । ଯଶସ୍ୱୀ ଜୟସ୍ୱାଲ ଅର୍ଦ୍ଧଶତକ ପୂରଣ କରିବା ପରେ ତୁରନ୍ତ ଆଉଟ ହୋଇଥିଲେ। ଜୟସ୍ବାଲ ତାଙ୍କ ଇନିଂସରେ ୨୫ ବଲରୁ ୫୦ ରନ୍ କରିଥିଲେ ଯେଉଁଥିରେ ୯ ଚୌକା ଏବଂ ୧ ଛକା ଅନ୍ତର୍ଭୁକ୍ତ ।
ରାଜସ୍ଥାନ ରୟାଲ୍ସକୁ ଶେଷ ଓଭରରେ ୩୦ ରନ କରିବାର ଥିଲା । ୧୯ତମ ଓଭରରେ ଅର୍ଶଦୀପ ସିଂହ ବୋଲିଂ କରିବାକୁ ଆସିଥିଲେ, ଯେଉଁଥିରେ ସେ କେବଳ ୮ ରନ୍ ଦେଇଥିଲେ । ମାର୍କୋ ଜାନସେନ୍ ଶେଷ ଓଭର ପକାଇଥିଲେ, ତାଙ୍କର ପ୍ରଥମ ୪ ବଲ୍ ପରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ହୋଇଥିଲା। ପ୍ରଥମ ଦୁଇଟି ବଲରୁ କେବଳ ଦୁଇ ରନ୍ ଆସିଥିଲା । ପରବର୍ତ୍ତୀ ଦୁଇଟି ବଲରେ ସେ ଧ୍ରୁବ ଜୁରେଲ ଏବଂ ୱାନିନ୍ଦୁ ହସରଙ୍ଗାଙ୍କୁ ଆଉଟ୍ କରିଥିଲେ। ଶେଷ ୨ଟି ବଲ୍ରେ ଦୁଇଟି ଚୌକା ମାରି ରାଜସ୍ଥାନକୁ କୌଣସି ଲାଭ ମିଳିନଥିଲା ।