ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନ ହେତୁ ମୃତ୍ୟୁ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ସେତୁ, ବିଦ୍ୟୁତ୍ ଖୁଣ୍ଟ ଓ ମୋବାଇଲ୍ ଟାୱାର ଭାଙ୍ଗି ଯାଇଛି, ଯାହା ଫଳରେ ଲକ୍ଷାଧିକ ଲୋକଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହାସହ କଟ୍ରାରେ ମାତା ବୈଷ୍ଣୋ ଦେବୀ ତୀର୍ଥ ଯାତ୍ରା ପଥରେ ଏକ ବଡ଼ ଧରଣର ଭୂସ୍ଖଳନରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଏବେ ବି ମାଟି ତଳେ ଚାପି ହୋଇ ଫସି ରହିଥିବା ନେଇ ଆଶଙ୍କା ପ୍ରକାଶ କରାଯାଉଛି।
ମୁଖ୍ୟମନ୍ତ୍ରୀ ଓମାର ଆବଦୁଲ୍ଲା ଏହି ପରିସ୍ଥିତିକୁ ଗମ୍ଭୀର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, "ଆମେ ପ୍ରାକୃତିକ ବିପର୍ଯ୍ୟୟରେ ଭୟରେ ବଞ୍ଚି ପାରିବୁ ନାହିଁ। ଆମକୁ ଏହାର ମୁକାବିଲା କରିବାକୁ ପୂର୍ବ ପ୍ରସ୍ତୁତି ଓ ସତର୍କତା ଗ୍ରହଣ କରିବାକୁ ହେବ।" ସେ ୨୦୧୪ ବନ୍ୟା ପରେ କ'ଣ ଶିକ୍ଷା ନେଇଛୁ ବୋଲି କେନ୍ଦ୍ର ସରକାରକୁ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟକୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଜାମ୍ମୁରେ ଚେନାବ ଓ ତାଓ୍ଵି ନଦୀର ଜଳସ୍ତର ବିପଦ ସୀମା ଉପରେ ରହିଛି, ଯାହା ଫଳରେ ନିମ୍ନାଞ୍ଚଳ ଜଳମଗ୍ନ ହୋଇଛି। ଜମ୍ମୁ-ଶ୍ରୀନଗର ଓ ଜମ୍ମୁ-ପଠାନକୋଟ ରାଜମାର୍ଗ ସମେତ ଅନେକ ଗୁରୁତ୍ଵପୂର୍ଣ୍ଣ ରାସ୍ତା ବନ୍ୟା ଜଳ ମାଡିଯିବା ଯୋଗୁଁ ବନ୍ଦ ରହିଛି। ପରିସ୍ଥିତି ଅଣାୟତ ହେବାରୁ ସ୍କୁଲ, କଲେଜ ଓ ରେଳ ସେବା ମଧ୍ୟ ବାତିଲ କରାଯାଇଛି। ସେନା, NDRF, SDRF ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ରିହଛନ୍ତି। ଜାମ୍ମୁରେ ଗୁଜ୍ଜର ନଗରରେ ବନ୍ୟା ପୀଡ଼ିତଙ୍କ ପାଇଁ ଖାଦ୍ୟ ଓ ପାଣି ବଣ୍ଟନର ବ୍ୟବସ୍ଥା କରାଯାଇଛି।
ମୁଖ୍ୟମନ୍ତ୍ରୀ ଆବଦୁଲ୍ଲା ବନ୍ୟା ପୀଡ଼ିତଙ୍କ ପାଇଁ ୬ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଯେଉଁଥିରେ ମାତା ବୈଷ୍ଣୋ ଦେବୀ ଶ୍ରାଇନ ବୋର୍ଡ ମଧ୍ୟ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବୈଷ୍ଣୋ ଦେବୀ ଯାତ୍ରାରେ ମୃତ ପୀଡ଼ିତଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।
ପାଣିପାଗ ବିଭାଗ ଆଗାମୀ କିଛି ଦିନ ପାଇଁ ସମ୍ପୂର୍ଣ୍ଣ ଜମ୍ମୁ ଓ କାଶ୍ମୀର ପାଇଁ ମଧ୍ୟମରୁ ପ୍ରବଳ ବର୍ଷା ଓ ବନ୍ୟାର ସମ୍ଭାବନା ଥିବା ନେଇ ଚେତାବନୀ ଜାରି କରିଛି। ପ୍ରଶାସନ ଲୋକମାନଙ୍କୁ ନଦୀ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।