ଶ୍ରୀନଗର ୦୧/୧୦: ମଙ୍ଗଳବାର ଜମ୍ମୁ-କାଶ୍ମୀରରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଶେଷ ପର୍ଯ୍ୟାୟରେ ୭ ଜିଲ୍ଲାର ୪୦ଟି ଆସନରେ ଭୋଟିଂ ଜାରି ରହିଛି । ମୋଟ୍ ୩୯.୧୮ ଲକ୍ଷ ଭୋଟର ୪୧୫ ପ୍ରାର୍ଥୀଙ୍କ  ଭାଗ୍ୟ ନିର୍ଦ୍ଧାରଣ କରିବେ । ୪୦ ଆସନ ମଧ୍ୟରୁ ୨୪ଟି ଜମ୍ମୁ ଡିଭିଜନ ଏବଂ  ୧୬ଟି କାଶ୍ମୀର ଘାଟିରୁ ରହିଛି । ଶେଷ ପର୍ଯ୍ୟାୟରେ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୮୭ ପୁରୁଷ ଓ  ୨୮ ମହିଳା ରହିଛନ୍ତି । 

ଏହି ପର୍ଯ୍ୟାୟରେ ମୋଟ୍ ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୬୯ଜଣ କୋଟିପତି ଥିବାବେଳେ ୬୭ ଜଣଙ୍କ ବିରୋଧରେ ଫୌଜଦାରୀ  ମାମଲା ରହିଛି । ଜମ୍ମୁର ନଗରୋଟାରୁ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ସିଂହ ରାଣାଙ୍କ ସମ୍ପତ୍ତି ମୂଲ୍ୟ ସର୍ବାଧିକ ୧୨୬ କୋଟି ଟଙ୍କା । ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ ଅଫଜଲ ଗୁରୁର ବଡ଼ଭାଇ ଏଜାଜ୍‌ ଅହମ୍ମଦ ଗୁରୁଙ୍କ ଭାଗ୍ୟ ପରୀକ୍ଷା ହେବ । ସେ ସୋପୋର  ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ଉତ୍ତର କାଶ୍ମୀରର  ଲଙ୍ଗେଟରୁ ଇଞ୍ଜିନିୟର ଶେଖ ଅବ୍‌ଦୁଲ୍‌ ରସିଦଙ୍କ  ଭାଇ ଖୁର୍ସିଦ ଅହମ୍ମଦ ଶେଖ ନିର୍ବାଚନ ଲଢ଼ୁଛନ୍ତି । ଆସନ୍ତା ୮ ତାରିଖରେ ରେଜଲ୍ଟ ଆସିବ ।