ନୂଆଦିଲ୍ଲୀ,୧୧।୬: ଜମ୍ମୁ-କଶ୍ମୀର ପହଲଗାମ୍ରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତୀୟ ସୁରକ୍ଷା ଏଜେନ୍ସି ଏବେ ଆଲର୍ଟରେ। ଏହା ମଧ୍ୟରେ ବୁଧବାର ସାମ୍ଭା ଜିଲ୍ଲାରେ କିଛି ଗାଁ ଲୋକ ସୁରକ୍ଷାକର୍ମୀଙ୍କୁ ଦୁଇ ସନ୍ଦିଗ୍ଧ ଆତଙ୍କୀଙ୍କ ଗତିବିଧିର ସୂଚନା ଦେଇଛନ୍ତି। ଏହାପରେ ସ୍ଥାନୀୟ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ଅଧିକାରୀଙ୍କ ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ୍ ଜାରି ରହିଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସୂଚନା ମିଳିପାରିନି। କୁହାଯାଉଛି ଯେ, ଆତଙ୍କବାଦୀମାନେ ସେନା ପୋଷାକ ପିନ୍ଧିଥିଲେ। କିଛି ଗ୍ରାମବାସୀ ରାତିରେ ନୁଡ ଗାଁର ଆଖପାଖରେ ଏକ ସ୍କୁଲ ନିକଟରେ ଦୁଇ ସନ୍ଧିଗ୍ଧଙ୍କୁ ଦେଇଥିଲେ। ସେମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।
ଅଧିକାରୀଙ୍କ କହିବା ଅନୁସାରେ, ପୁରା ଅଞ୍ଚଳକୁ ପୋଲିସ ଓ ସେନାର ମିଳିତ ଟିମ୍ ଘେରାଉ କରିନେଇଛି। ବୁଧବାର ସକାଳେ ତଲାସୀ ଅଭିଯାନ ଆରମ୍ଭ କରି ଦିଆଯାଇଛି। ଏହା ପୂର୍ବରୁ ଗତ ସୋମବାର ସାମ୍ଭା ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ମୋର୍ଟାର ସେଲ୍ ଜବତ କରାଯାଇଛି। ଅଧିକାରୀଙ୍କ କହିବା ଅନୁସାରେ, ତାକୁ ସୁରକ୍ଷିତ ଭାବରେ ନିଷ୍କ୍ରିୟ କରି ଦିଆଯାଇଛି।
ଉଲ୍ଲେଖନୀୟ ଯେ, ପହଲଗାମ୍ ଆକ୍ରମଣ ପରେ ଭାରତର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ଏଜେନ୍ସି ଖୁବ୍ ସତର୍କ ରହିଛି। ୨୨ ଏପ୍ରିଲରେ ଆତଙ୍କବାଦୀମାନେ ପହଲଗାମ୍ର ବୈସରନ ଘାଟିରେ ୨୬ ଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ଏହାପରେ ଭାରତୀୟ ସଶସ୍ତ୍ରବାହିନୀ ଆତଙ୍କୀଙ୍କ ଗଡରେ ପଶି ତାଙ୍କ ଆଡ୍ଡାକୁ ଧ୍ବଂସ କରିଥିଲେ। ଭାରତ ‘ଅପରେସନ୍ ସିନ୍ଦୂର’ ଅନୁସାରେ ପାକ୍ ଓ ପାକ୍ ଅଧିକୃତ କାଶ୍ମୀରରେ ବହୁ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଦେଇଥିଲେ। ଏହି ଅପରେସନ୍ରେ ୧୦୦ରୁ ଅଧିକ ଆତଙ୍କୀ ନିହତ ହୋଇଥିଲେ।