ନୂଆଦିଲ୍ଲୀ,୨୮/୧୨:ଜମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ । ରାସ୍ତାଘାଟ ସବୁ ବରଫମୟ ହୋଇଛି । ବରଫର ସ୍ବେତ ଚାଦର ପିନ୍ଧି ରୂପା ପରି ଚମକୁଛି ପାହାଡ଼ । ହେଲେ ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତା ଓ ଘର ସବୁଠି ଜମି ରହିଛି ବରଫ । ଯାହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ । ସେହିପରି ତୁଷାରପାତ ପରେ ଶ୍ରୀନଗର- ଜମ୍ମୁ କାଶ୍ମୀର ଜାତୀୟ ରାଜପଥ ବନ୍ଦ ରହିଥିବା ଯୋଗୁଁ ଅନନ୍ତନାଗରେ ୨ ହଜାରରୁ ଅଧିକ ଗାଡ଼ି ଫସିରହିଥିବା ଜଣାପଡିଛି । ଅନ୍ୟପଟେ ପାଣିପାଗ ଖରାପ ଯୋଗୁଁ ଶ୍ରୀନଗରର ଅନ୍ତର୍ଜାତୀୟ ଏୟାରପୋର୍ଟରେ ବିମାନ ଉଡାଣ ପ୍ରଭାବିତ ହୋଇଛି ।
ସେହିପରି ଗତକାଲି ଅର୍ଥାତ ଶୁକ୍ରବାର ଦିନ ଶ୍ରୀନଗର, ଅନନ୍ତନାଗ, କୁଲଗାମ, ପୁଲବାମା ଆଦି ଅଞ୍ଚଳରେ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଲୋକଙ୍କୁ ଖରାପ ପାଗ ଯୋଗୁଁ ସତର୍କ ରହିବାକୁ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନନ୍ତନାଗର ଡେପୁଟି କମିଶନରଙ୍କଠାରୁ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି । ସେହିପରି ଜାତୀୟ ରାଜପଥରେ ଫସି ରହିଥିବା ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପାଣିପାଗ ବିଭାଗ ଅନୁସାରେ , ଜମ୍ମୁ କାଶ୍ମୀରରେ ୨୯ ରୁ ୩୧ ଡ଼ିସେମ୍ବର ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । କିନ୍ତୁ ୧ ରୁ ୫ ଜାନୁଆରୀ ମଧ୍ୟରେ କାଶ୍ମୀର କିଛି ଅଞ୍ଚଳରେ ତୁଷାରପାତ ହେବାର ସମ୍ଭାବନା ରହିଛି। ସେହିପରି ଅନ୍ୟପଟେ ଉତ୍ତରାଖଣ୍ଡ ଆଇଏମଡ଼ି ଉତ୍ତରାଖଣ୍ଡର ପାହାଡି଼ଆ ଅଞ୍ଚଳକୁ ପ୍ରବଳ ତୁଷାରପାତ ହେବା ନେଇ ଆଲର୍ଟ ଜାରି କରିଛନ୍ତି । ତେଣୁ ସମସ୍ତ ସରକାରୀ,ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବା ନେଇ ଘୋଷଣା କରିଛନ୍ତି । ହିମାଚଳ ପ୍ରଦେଶରେ ୬ଟି ପାହାଡିଆ ଜିଲ୍ଲାରେ ମଧ୍ୟ ଗତକାଲି ପ୍ରବଳ ବର୍ଷା ସହ ତୁଷାରପାତ ହୋଇଛି ।