ଭୁବନେଶ୍ୱର,୦୨/୧୧: ଲୋକନୃତ୍ୟ ବା ଲୋକବାଦ୍ୟ ଗୋଟିଏ ଜାତିର ପରିଚୟ । ମାତ୍ର ସମୟ କ୍ରମେ ଓ ପୃଷ୍ଠପୋଷକତାର ଅଭାବରେ ଏହା ନଷ୍ଟ ହୋଇଯାଏ । ଏଭଳି ହୋଇଥିଲା ଝୁମର ନାଚ ସହ । ମୟୂରଭଞ୍ଜ ଜିଲ୍ଲାର ଲୋଧା ଜନଜାତିଙ୍କ ଝୁମର ନାଚ ସମୟ କ୍ରମେ ଅପସରି ଯିବାକୁ ବସିଥିଲା । ଯାହାକି ନିକଟରେ ପୁଣିଥରେ ଉଜ୍ଜୀବିତ ହେବାକୁ ପ୍ରୟାସ କରିଛି । ଆଉ ନିଜର ଦମ୍ଭ ଦେଖାଇପାରିଛି ଦିଲ୍ଲୀର ପ୍ରଗତି ମଇଦାନରେ ରାଷ୍ଟ୍ରପତିଙ୍କ ଆଗରେ । ଆଉ ଏସବୁ ସମ୍ଭବ ହୋଇପାରିଛି ମୋରଡ଼ା ବ୍ଲକ୍ରେ କାମ କରୁଥିବା ନଳକୁଆଁରୀ ସାଂସ୍କୃତିକ ଅନୁଷ୍ଠାନ ଯୋଗୁଁ ।
ଏ ବାବଦରେ ଅନୁଷ୍ଠାନର ସଭାପତି ସର୍ବଣା ନାୟକ କୁହନ୍ତି, ଅନୁଷ୍ଠାନର ମଣି ମଲ୍ଲିକ, ମାନସି ପାରମାଣିକ ଓ ମୋ ପାଖକୁ ଲୋଧା ଜନଜାତିଙ୍କ ନୃତ୍ୟ ଝୁମର ପରିବେଷଣ କରିବାକୁ ଦିଲ୍ଲୀରୁ ଡକରା ଆସିଥିଲା । ନୃତ୍ୟ ସରିବା ପରେ ଆମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିଲା । ରାଷ୍ଟ୍ରପତି ଆମ ନୃତ୍ୟକୁ ପ୍ରଶଂସା କରିବା ସହ ଲୋଧା ଜନଜାତି ପିଲାମାନଙ୍କର ଆବଶ୍ୟକତା ପଚାରି ବୁଝିଥିଲେ । ମୋରଡ଼ାରେ ଥିବା ଲୋଧା ଆଶ୍ରମ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଦୃଷ୍ଟି ଦିଆଯିବ ବୋଲି ମଧ୍ୟ କହିଥିଲେ ।
ଆଗେ ଆଗେ ବିବାହ ନଚେତ ପର୍ବପର୍ବାଣୀରେ ଝୁମର ନାଚ କରାଯାଉଥିଲା । ସମୟ କ୍ରମେ ପରପିଢ଼ି ଆଉ ଏ ଦିଗରେ ଆଗ୍ରହ ଦେଖାଇଲେ ନାହିଁ । ଫଳରେ ଏହା ଲୋପ ପାଇବାକୁ ବସିଥିଲା । ଏଭଳି ସମୟରେ ଶିକ୍ଷା ସନ୍ଧାନ ନାମକ ଏକ ସଙ୍ଗଠନ ଏହାର ପୁନରୁତ୍ଥାନ ପାଇଁ ସାହାଯ୍ୟର ହାତ ବଢ଼ାଇଲା । ମୋରଡ଼ା ବ୍ଲକ୍ର ୧୨ଟି ଗାଁରେ ଲୋଧାମାନଙ୍କର ବିକାଶ ପାଇଁ କାମ କରୁଥିବା ଏହି ସଂସ୍ଥା ଲୋଧା ଜନଜାତିଙ୍କ ସାମାଜିକ, ଅର୍ଥନୈତିକ ବିକାଶ ସହ ଦାଦନକୁ ରୋକିବା ଦିଗରେ କାମ ଆରମ୍ଭ କଲା । କାର୍ଯ୍ୟକ୍ରମ ମାଧ୍ୟମରେ ଲୋଧା ସମ୍ପ୍ରଦାୟଙ୍କ ଜୀବିକା, ଖେଳ, ସାଂସ୍କୃତିକ ସଙ୍ଗଠନର ଉନ୍ନତି ଉପରେ ଗୁରୁତ୍ୱ ଦିଆଗଲା ।
୨୦୧୭ ପରେ ଶିକ୍ଷାସନ୍ଧାନ ପକ୍ଷରୁ ନବଦିଗନ୍ତ ନାମରେ ଏକ ପ୍ରକଳ୍ପ ଆରମ୍ଭ କରାଯିବା ସହ ଲୋଧା ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ସେମାନଙ୍କର ପାରମ୍ପରିକ ଲୋକନୃତ୍ୟ ଝୁମରକୁ ପୁଣିଥରେ ଉଜ୍ଜୀବିତ କରିବାର ଚେଷ୍ଟା ଆରମ୍ଭ କଲା । ନିୟମିତ ଆସି ନୃତ୍ୟ ଦଳକୁ ମଜଭୁତ କରିବାକୁ ଆଲୋଚନା କରାଗଲା । ଫଳରେ ଜନଜାତିର ଲୋକେ ଏକାଠି ହେଲେ, ଏକ୍ଷେତ୍ରରେ ଗୁରୁ ଧରଣୀଧର ମହାପାତ୍ରଙ୍କ ସହଯୋଗ ମଧ୍ୟ ନିଆଗଲା । ପ୍ରତିଦିନ ଘର କାମ ଶେଷ କରି ମହିଳାମାନେ ଏକ୍ଜୁଟ୍ ହୋଇ ନୃତ୍ୟ ଶିକ୍ଷା କଲେ । ଉଦ୍ଦେଶ୍ୟ ଥିଲା ଏହି ନୃତ୍ୟକୁ ପୁଣିଥରେ ଉଜ୍ଜୀବିତ କରିବା ଓ ଏହାକୁ ଅନ୍ୟ ଆଗରେ ପରିବେଷଣ କରିବା । ସେମାନଙ୍କର ଏହି ନୃତ୍ୟଶିକ୍ଷା ଦେଖି ପରପିଢ଼ିର ଝିଅମାନେ ବି ଆଗ୍ରହୀ ହେଲେ । ପରେ ପରେ ରାଜ୍ୟ ସରକାରଙ୍କ ଲୋଧା ଡେଭଲପ୍ମେଣ୍ଟ ଏଜେନ୍ସି ତରଫରୁ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଯୋଗାଇ ଦିଆଗଲା । ସେମାନେ କିପରି ପାଖ ଗାଁ ଓ ପଞ୍ଚାୟତଗୁଡ଼ିକରେ ଯାଇ ନୃତ୍ୟ ପରିବେଷଣ କରିବେ ସେଥିପାଇଁ ସୁଯୋଗ ସୃଷ୍ଟି କରାଗଲା । ନୃତ୍ୟ ପରିବେଷଣ ପାଇଁ କିପରି ଶାଢ଼ୀ ପିନ୍ଧା ହେବ ଓ କେମିତି ସାଜସଜ୍ଜା ହେବ ତା ଉପରେ ବି ଗୁରୁତ୍ୱ ଦିଆଗଲା ।
୨୦୧୯ରେ ବିଧିବଦ୍ଧ ଭାବେ ନଳକୁଆଁରୀ ନାମରେ ଏକ ସାଂସ୍କୃତିକ ଅନୁଷ୍ଠାନ ଗଢ଼ାଯାଇ ଏହା ମାଧ୍ୟମରେ ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କାମ ଆରମ୍ଭ ହେଲା । ମୟୂରଭଞ୍ଜର ବାରିପଦା ବ୍ୟତୀତ କନ୍ଧମାଳ ଓ ଭୁବନେଶ୍ୱରର ଆଦିବାସୀ ମେଳାରେ ବି ଏମାନଙ୍କୁ ନୃତ୍ୟ ପରିବେଷଣ କରିବାର ସୁଯୋଗ ମିଳିଲା । ଫଳସ୍ୱରୂପ ଏବେ ଅନୁଷ୍ଠାନର ନିଜସ୍ୱ ଦଳ ରହିଛି । ପୁଣି ବାଦ୍ୟଯନ୍ତ୍ର ପାଇଁ ପୃଥକ ଟିମ୍ ରହିଛି । ଯେଉଁଠୁ ଆମନ୍ତ୍ରଣ ଆସିଛି ଟିମ୍ ଏବେ ପରିବେଷଣ ପାଇଁ ଯାଉଛି । ଖୁବ୍ ଶୀଘ୍ର ଅନୁଷ୍ଠାନକୁ ରେଜିଷ୍ଟ୍ରିଭୁକ୍ତ କରାଯିବ । ଫଳରେ ଭବିଷ୍ୟତରେ ଅନୁଷ୍ଠାନ ସହ ଯୋଡ଼ି ହୋଇ ରହିଥିବା କଳାକାରମାନେ ପେନ୍ସନ୍ ପାଇବେ ।
ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ଓ ମୋରଡ଼ା ବ୍ଲକ୍ରେ ପ୍ରାୟତଃ ଦେଖାଯାଆନ୍ତି ଲୋଧା ସମ୍ପ୍ରଦାୟ । ଯେଉଁମାନଙ୍କର ଲୋକନୃତ୍ୟ ହେଲା ଝୁମର । ଏହି ଜନଜାତି ହେଉଛନ୍ତି ରାଜ୍ୟର ବିପଦସଙ୍କୁଳ ଅବସ୍ଥାରେ ଥିବା ୧୩ଟି ଜନଜାତିଙ୍କ ମଧ୍ୟରେ ଅନ୍ୟତମ । ୨୦୧୧ ଜନଗଣନା ଅନୁସାରେ ଏମାନଙ୍କର ସଂଖ୍ୟା ହେଉଛି ୩୧୧୨ । କୁହାଯାଏ ବ୍ରିଟିଶ ଶାସନ ସମୟରେ ଏମାନଙ୍କୁ ଜଙ୍ଗଲରୁ ବିତାଡ଼ିତ କରି ଦିଆଯିବା ଫଳରେ ଜୀବିକା ହରାଇ ଏହି ସମ୍ପ୍ରଦାୟ ଚୋରି ଡକାୟତି କରି ଚଳିବା ପାଇଁ ବାଧ୍ୟ ହେଉଥିଲେ । ଫଳରେ ଏମାନଙ୍କୁ କ୍ରିମିନାଲ ଟ୍ରାଇବ ବୋଲି କୁହାଯାଉଥିଲା । କିନ୍ତୁ ଦେଶ ସ୍ୱାଧୀନ ପରେ ୧୯୬୧ ମସିହାରେ ଆଇନ ଆସିବା ପରେ ଏମାନେ କିପରି ଚୋରି ଡକାୟତିରୁ ନିବୃତ୍ତ ରହିବେ ଓ ସେମାନଙ୍କର ବିକାଶ ହେବ ତାହା ଉପରେ ଗୁରୁତ୍ୱ ଦିଆଗଲା । ରାଜ୍ୟ ସରକାର ମଧ୍ୟ ୧୯୮୨ ମସିହାରେ ଲୋଧା ସମ୍ପ୍ରଦାୟଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଲୋଧା ଡେଭଲପ୍ମେଣ୍ଟ ଏଜେନ୍ସି ଆରମ୍ଭ କଲେ ।