ମାଲକାନଗିରି, ୧୨/୭ : ଗତ କିଛିଦିନ ହେବ ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ପାହାଡ଼, ଜଙ୍ଗଲରେ ପ୍ରଚୁର ପରିମାଣରେ ଶ୍ରାବଣ ଛତୁ ଫୁଟୁଛି । ମାଲକାନଗିରି ବଜାରରେ ଏହି ଛତୁ ୮୦୦ରୁ ୯୦୦ଟଙ୍କାରେ ବିକ୍ରି ହେଉଥିବାରୁ ଗ୍ରାହକମାନେ ନିଜ ନିଜ ଘରକୁ ଅନନ୍ଦରେ ଛତୁ କିଣି ନେଉଛନ୍ତି । ଛତୁ ବେପାରିମାନଙ୍କ ନିକଟରେ ପ୍ରବଳ ଗ୍ରାହକମାନଙ୍କ ଭିଡ଼ ଲାଗୁଛି । ଛତୁ ବେପାରିମାନେ ମଧ୍ୟ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ଆଗରୁ ଏହି ଛତୁ ଗୁଡ଼ିକ କେବଳ ଗରିବ ଆଦିବାସୀ ଲୋକମାନେ ବଜାରରେ ବିକ୍ରି କରି ତେଲ ଲୁଣ ଚାଉଳ ସଉଦା କିଣି ନେଉଥିଲେ । ଏବେ କିଛି ବଙ୍ଗୀୟ ଯୁବକମାନେ ଛତୁ ବେପାରକୁ ଏକ ଲାଭବାନ ବ୍ୟବସାୟ ଭାବେ ଆଦରି ନେଇଛନ୍ତି । ଗାଁ ଗାଁ ବୁଲି ଆଦିବାସୀ ଲୋକମାନଙ୍କଠାରୁ ବିଡ଼ା ହିସାବରେ ଛତୁକୁ କିଣି ଆଣି ତାକୁ ବଜାରରେ କିଲୋ ହିସାବରେ ବିକ୍ରି କରି ବେଶ ଦୁଇ ପଇସା ଲାଭ ପାଉଛନ୍ତି । ଆଜି ମାଲକାନଗିରି ହନୁମାନ ମନ୍ଦିର ଛକଠାରେ କିଛି ଆଦିବାସୀ ମହିଳା ଶ୍ରାବଣ ଛତୁ ବିକ୍ରିର ଶୁଭାରାମ୍ଭ କରିଛନ୍ତି । ଅନ୍ୟାନ୍ୟ ସ୍ଥାନରେ ପ୍ରଥମ ଶ୍ରାବଣ ଛତୁ କେଜି ୧୦୦୦ଟଙ୍କାରେ ବିକ୍ରି ହେଉଥିବାବେଳେ ଆଜି ସେ ଗ୍ରାହକମାନଙ୍କୁ ୮୦୦ରୁ ୯୦୦ଟଙ୍କାରେ ସୁଲଭ ମୁଲ୍ୟରେ ବିକ୍ରି କରିଥିବାରୁ ସେ ଆଣିଥିବା ୧୦କେଜି ଛତୁ ଘଟାଂଏ ମଧ୍ୟରେ ବିକ୍ରି ହୋଇ ଯାଇଥିଲା । ବଣପାହଡ଼ ଘେରା ବନାନିର ବନବାସୀଙ୍କ ପାଇଁ ପ୍ରକୃତି ମେଲି ଦେଇଛି ଜଙ୍ଗଲ ଜାତର ପସରା, ଆଉ ଯୋଗାଇ ଦେଇଛି ବର୍ଷକ ୧୨ମାସ ପାଇଁ ପେଟକୁ ଦାନା।
ଆଦିବାସୀଙ୍କ ପେଟର ଭୋକ ମେଟାଂଇବାକୁ ପ୍ରକୃତି ସାଇତି ରଖିଛି ଅନେକ ପ୍ରକାର ଜଙ୍ଗଲ ଜାତ ଦ୍ରବ୍ୟ । ସେଥି ମଧ୍ୟରୁ ଶ୍ରାବଣ ଛତୁ ଅନ୍ୟ ତମ । ବର୍ଷା ହେଲେ ଗଛ ମୂଳେ, ଉଇ ହୁଙ୍କା ପାଖରେ ଭୃରୁ ଭୁରୁ ହୋଇ ଛତୁ ଫୁଟି ଥାଏ । ଏହି ଛତୁକୁ ସାଧାରଣତଃ ଆଦିବାସୀମାନେ ଶ୍ରାବଣ ଓ ନାଡ଼ି ଛତୁ ବୋଲି କହିଥାନ୍ତି । ଅନ୍ୟାନ୍ୟ ଛତୁଠାରୁ ଏହା ଅତ୍ୟନ୍ତ ସୁସ୍ୱାଦୁ ଥିବାରୁ ହାଟ ବଜାରରେ ଶ୍ରାବଣ ଛତୁର ଚାହିଦା ଅଧିକ ଓ ଅଧିକ ଦାମରେ ବିକ୍ରି ହୋଇଥାଏ । ଆଦିବାସୀମାନେ ସକାଳୁ ଡାଲା ପାଛିଆ ଧରି ଜଙ୍ଗଲକୁ ଚାଲି ଯାଆନ୍ତି, ଜଙ୍ଗଲରେ ବୁଲି କେହି ଦୁଇ କେଳି ତ ଆଉ କିଏ ୫କେଜି ପର୍ଯ୍ୟନ୍ତ ଛତୁ ସଂଗ୍ରହ କରିଥାନ୍ତି । ହାଟ ବଜାରରେ ଶାଳପତ୍ର ଦନାରେ ଛତୁ ରଖି ଗୋଟିଏ ବିଡ଼ାକୁ ୫୦ରୁ ୬୦ଟଙ୍କା ମୂଲ୍ୟରେ ବିକ୍ରି କରିଥାନ୍ତି । ଜଣେ ଜଣେ ଲୋକ ଦିନକୁ ଛତୁ ବିକ୍ରି କରି ପ୍ରାୟ ୧୦୦୦ରୁ ୧୫୦୦ଟଙ୍କା ଲେଖା ରୋଜଗାର କରିଥାନ୍ତି । ଛତୁ ବିକ୍ରି ପଇସାରେ ଘର ପାଇଁ ତେଲ ଲୁଣ, ସଉଦାପତ୍ର ନେଇ ଥାନ୍ତି ।
ବର୍ଷା ଦିନେ ଅନେକ ପ୍ରକାର ଛତୁ ଫୁଟିଥାଏ । ହେଲେ ଅନ୍ୟାନ୍ୟ ଛତୁଠାରୁ ଶ୍ରାବଣ ଛତୁରେ ଔଷଧୀୟ ଗୁଣ ଥାଇ ଏହା ନିରୋଗ ଓ ମାଂସ ତରକାରୀ ପରି ସୁସ୍ୱାଦୁ ହୋଇଥିବାରୁ ଅଧିକ ଦାମ୍ ହୋଇଥିଲେ ମଧ୍ୟ ଏହି ଛତୁର ବଜାରରେ ଅଧିକ ଚାହିଦା ଥାଏ । ବେପାରିମାନେ ଗାଁ ଗହଳିରୁ ଆଦିବାସୀମାନଙ୍କଠାରୁ ଏହି ଛତୁକୁ କମ୍ ମୂଲ୍ୟରେ କିଣି ନେଇ ତାକୁ ସଫା ସୁତରା କରି ଦୋକାନ ବଜାରରେ କିଲୋ ପିଛା ୯୦୦ରୁ ୧୦୦୦ଟଙ୍କା ଦରରେ ବିକ୍ରି କରି ବେଶ୍ ଲାଭବାନ ହୋଇଥାନ୍ତି । ସୃଷ୍ଟିର ବିଚିତ୍ର ନୀତିରେ ଗରିବ ଆଦିବାସୀ ଲୋକମାନଙ୍କ ପାଇଁ ସୃଷ୍ଟି କର୍ତ୍ତା ସବୁ ପ୍ରକାର ଗଛ, ଫୁଲ, ଫଳ, ମଳି ଓ ଛତୁ ଜଙ୍ଗଲରେ ଖଞ୍ଜି ଦେଇଛି । ଗରିବ ଲୋକମାନେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ନିଜର ପରିବାର ପ୍ରତି ପୋଷଣ କେଉଁ ଆବାହନକାଳରୁ କରି ଆସୁଛନ୍ତି ।