ଟୋକିଓ,୨୦।୪: ଜାପାନରେ ସୋମବାର ସକାଳେ ଆସିଛି ଭୟଙ୍କର ଭୂମିକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଛି। ଜାପାନର ପାଣିପାଗ ବିଭାଗ (ଜେଏମ୍ଏ) ସୁନାମୀ ଚେତାବନୀ ଦେଇଛି। ଏଥିପାଇଁ ଉପକୂଳବର୍ତ୍ତୀ ଅଞ୍ଚଳ ନିକଟରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅପିଲ କରାଯାଇଛି। ସେଭଳି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ଏଭଳି ପ୍ରାକୃତିକ ବିପତ୍ତିକୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠିତ କରାଯାଇଛି।
ଜେଏମ୍ଏ କହିଛି ଭୂମିକମ୍ପ ଜାପାନର ଉତ୍ତର ଭାଗରେ ଘଟିଛି। ଏହାର ପ୍ରଭାବ ଦ୍ବାରା ସୁନାମୀ ଆସିପାରେ, ଯାହା ଫଳରେ ସମୁଦ୍ର ଜୁଆର ୧୦ ଫୁଟ ଉଚ୍ଚା ଉଠିବାର ଆଶଙ୍କା କରାଯାଇଛି। ଭୂକମ୍ପ ସ୍ଥାନୀୟ ସମୟାନୁସାରେ ସନ୍ଧ୍ୟା ୪ଟା ୫୩ ମିନିଟରେ ଆସିଥିଲା। ଉତ୍ତର ଇଭାନ୍ତେ ପ୍ରଦେଶର ପ୍ରଶାନ୍ତ ମହାସାଗର ଥିବା ଅଞ୍ଚଳରେ ଏହି ଭୂକମ୍ପ ଆସିଥିବା ବେଳେ ଏହାର ପ୍ରଭାବ ବହୁତ ଦୂର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। ଏହାର ଝଟକା ଏତେ ଜୋରଦାର ଥିଲା ଯେ, ଶତାଧିକ କିଲୋମିଟର ଦୂର ଟୋକିଓର ବଡ଼ ବଡ଼ ବିଲ୍ହିଂ ବି ଦୋହଲି ଯାଇଛି।
ଆଗକୁ ସୁନାମୀ ଲହରୀ ଖୁବ୍ ଶୀଘ୍ର ଉତ୍ତର ଉପକୂଳରେ ପହଁଞ୍ଚି ବୋଲି ଜେଏମ୍ଏ ସୂଚନା ଦେଇଛି। ଉପକୂଳବର୍ତ୍ତୀ ଅଞ୍ଚଳ ଓ ନଦୀ କୂଳରେ ଥିବା ସ୍ଥାନକ ତୁରନ୍ତ ଖାଲି କରି ଉଚ୍ଚା ସ୍ଥାନକୁ ସୁରକ୍ଷିତ ଭାବରେ ଚାଲିଯିବାକୁ କୁହାଯାଇଛି।’ ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ, ସୁନାମୀ କାରଣରୁ ବଡ଼ ଧରଣର କ୍ଷତି ହୋଇପାରେ। ସରକାର ଭୂକମ୍ପ ଓ ସୁନାମୀର ମୁକାବିଲା ପାଇଁ ଏକ ଟିମ୍ ତିଆରି କରିଛନ୍ତି। ପ୍ରଧାନମନ୍ତ୍ରୀ ସନାଏ ତାକାଇଚି କହିଛନ୍ତି, ଯେଉଁ ଅଞ୍ଚଳରେ ଚେତାବନୀ ଜାରି କରାଯାଇଛି, ସେଠାରେ ରହୁଥିବା ଲୋକ ଦୟାକରି ଉଚ୍ଚା ସ୍ଥାନ ଓ ସୁରକ୍ଷିତ ଜାଗାକୁ ଚାଲି ଯାଆନ୍ତୁ।’ ସୁରକ୍ଷା ଦୃଷ୍ଟି ହାଚିନାହୋ ବନ୍ଦରରେ ଥିବା ଜାହାଜ ଗୁଡିକୁ ବାହାର କରାଯିବା ଆରମ୍ଭ ହୋଇଛି। ଟୋକିଓ ଏବଂ ଓମିରି ଭିତରେ ଚାଲିଥିବା ବୁଲେଟ୍ ଟ୍ରେନ୍ ଚଳାଚଳକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏହା ପୂର୍ବରୁ ୨୦୧୧ ରେ ଜାପାନରେ ୯.୦ ତୀବ୍ରତାରେ ଭୂକମ୍ପ ଆସିଥିଲା, ଯେଉଁଥିରେ ୧୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।