ଟୋକିଓ,୨୯/୧୦: ଜାପାନରେ ଅନୁଷ୍ଠିତ ନିର୍ବାଚନରେ କ୍ଷମତାସୀନ  ଲିବରାଲ ଡେମୋକ୍ରାଟିକ ପାର୍ଟି (ଏଲ୍‌ଡିପି) ମେଣ୍ଟକୁ ସଂସଦରେ ବହୁମତ  ମିଳିପାରି ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦଳ ଏଲ୍‌ଡିପିକୁ  ୧୯୧ ଆସନ ମିଳିଛି । ଦଳ ଏଥର ୬୫ ଆସନ ହାତଛଡ଼ା କରିଛି । ଗତ  ୫ ବର୍ଷ ମଧ୍ୟରେ ଏଲ୍‌ଡିପିର ଏହା ସବୁଠୁ ଖରାପ ପ୍ରଦର୍ଶନ । ଏଲ୍‌ଡିପି ଓ  ଏହାର ସହଯୋଗୀ ଦଳ କୋମିଟୋକୁ ମୋଟ ୨୧୫ ଆସନ ମିଳିପାରିଛି ।  

ଦେଶରେ ସରକାର ଚଳାଇବା  ପାଇଁ ବହୁମତ ଅଙ୍କ ୨୩୩  ରହିଛି । ଦୀର୍ଘ ୧୫ ବର୍ଷ ପରେ  ଏଲ୍‌ଡିପି ମେଣ୍ଟ ବହୁମତଠାରୁ  ପଛରେ ପଡ଼ିଯାଇଛି । ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଗତମାସରେ ଦଳର ଅଧ୍ୟକ୍ଷ ପଦ ନିର୍ବାଚନ  ଜିତିଥିଲେ । ଏହାପରେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ  ପରେ ସେ ନିର୍ବାଚନ କରାଇବା ପାଇଁ ଘୋଷଣା କରିଥିଲେ । ନିର୍ବାଚନ ଫଳ  ଆସିବା ପରେ ଜାପାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜନତା ନିଜର କଠୋର  ରାୟ ଶୁଣାଇଛନ୍ତି । ସେ ବିନମ୍ରତାର ସହ ଏହାକୁ ସ୍ୱୀକାର କରୁଛନ୍ତି । ତେବେ  ସେ ବର୍ତ୍ତମାନ ମେଣ୍ଟରେ ଅନ୍ୟ ଦଳକୁ ଯୋଡ଼ିବା ପାଇଁ କୌଣସି ଉଦ୍ୟମ  କରୁ ନ ଥିବା କହିଛନ୍ତି । 

ଉଲ୍ଲେଖଯୋଗ୍ୟ, ନିର୍ବାଚନ ପୂର୍ବରୁ ଜାପାନର  ଗଣମାଧ୍ୟମ ସଂସ୍ଥାଗୁଡ଼ିକ କହିଥିଲେ କି ଏଲ୍‌ଡିପିକୁ ଯଦି ଏଥର ବହୁମତ  ନ ମିଳେ, ତେବେ ଇଶିବା ପ୍ରଧାନମନ୍ତ୍ରୀ ପଦ ଛାଡ଼ିପାରନ୍ତି । ଯଦି ସେଭଳି  ହୁଏ, ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସେ ସବୁଠୁ କମ୍‌ ସମୟ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ । କିନ୍ତୁ ସେ ପଦ ଛାଡ଼ିବେ ନାହିଁ ବୋଲି କହିଛନ୍ତି ।