ନୂଆଦିଲ୍ଲୀ,୧୬/୧୨: ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ତୃତୀୟ ଟେଷ୍ଟରେ ଭାରତର ପେସ୍ ବୋଲର ଯଶପ୍ରୀତ ବୁମରାଙ୍କର ଦବଦବା ଦେଖିବାକୁ ମିଳିଛି । ସେ ୬ ଟି ୱିକେଟ ହାସଲ କରିଛନ୍ତି । ଏହା ସହ ସେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ୫୦ଟି ଟେଷ୍ଟ ୱିକେଟ ହାତେଇବା ସହ କପିଳ ଦେବକୁ ଟପିଛନ୍ତି ବୁମରା ।

ଏସିଆ ବାହାରେ ୧୦ ଥର ୫ଟି ୱିକେଟ ସଫଳତା ପାଇ ନୂଆ କୀର୍ତ୍ତୀମାନର ଅଧିକାରୀ ହୋଇଛନ୍ତି ଯଶପ୍ରୀତ ବୁମରା । ଏହି ସଫଳତା ସହ କପିଳ ଦେବ (୯ଥର)ଙ୍କୁ ପଛରେ ପକାଇଛନ୍ତି । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ୩ ଥର ଲେଖାଏଁ ଏବଂ ୱେଷ୍ଟଇଣ୍ଡିଜ, ଇଂଲଣ୍ଡରେ ୨ ଥର ଲେଖାଏଁ ସଫଳତା ପାଇଛନ୍ତି ବୁମରା । ସର୍ବାଧିକ ଥର ୫ଟି ୱିକେଟ ସଫଳତା ପାଇବାରେ  ବୁମରା ଅଷ୍ଟମ ସ୍ଥାନରେ ରହି କପିଳ ଦେବକୁ ଟପିଛନ୍ତି ।

ଆଇସିସି ଟେଷ୍ଟ ଚମ୍ପିଆନସିପରେ ବୁମରା ଓ କମିନ୍ସ ମିଳିତ ଭାବେ ୧୦ଥର ୫ ୱିକେଟ ହାସଲ କରି ଉଭୟ ତୃତୀୟ ସ୍ଥାନରେ ରହିଛନ୍ତି । ଆର ଅଶ୍ବିନୀ ପ୍ରଥମ ସ୍ଥାନରେ ରହିଛନ୍ତି । ସେ ୧୧ ଥର ୫ଟି ୱିକେଟ ହାସଲ କରିଛନ୍ତି । ନାଥନ ଲାୟନ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୨୦୨୪ରେ ବୁମରା ୨୦ ମ୍ୟାଚରୁ ୭୩ ୱିକେଟ ସହ ଆଗରେ ରହିଛନ୍ତି । ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ବୁମରା ୭୬ ରନ ଦେଇ ୬ଟି ୱିକେଟ ହାତେଇଛନ୍ତି । ଶତକ ହାସଲ କରିଥିବା ହେଡ ଓ ସ୍ମିଥଙ୍କୁ ପାଭିଲିୟନ ପଠାଇଥିଲେ ବୁମରା ।