ନୂଆଦିଲ୍ଲୀ,୦୯/୦୩: ଆଇପିଏଲ୍‌ର ୧୮ତମ  ସଂସ୍କରଣ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ । ମୁମ୍ବାଇ  ଇଣ୍ଡିଆନ୍ସର ପ୍ରମୁଖ ଫାଷ୍ଟ୍‌ ବୋଲର ଯଶପ୍ରୀତ ବୁମରା  ଆଇପିଏଲ୍‌ର ପ୍ରଥମ ୨ ସପ୍ତାହ ମିସ୍‌ କରିବା ସମ୍ଭାବନା  ରହିଛି । ସେ ସମ୍ପ୍ରତି ଆହତ ଅଛନ୍ତି ଏବଂ ଏନ୍‌ସିଏରେ ତାଙ୍କର  ଚିକିତ୍ସା ଜାରି ରହିଛି । ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ୩/୪ଟି  ମ୍ୟାଚ୍‌ରୁ ବୁମରା ବାଦ୍‌ ପଡ଼ିବା ଏକପ୍ରକାର ନିଶ୍ଚିତ ରହିଛି ।  ଇତିମଧ୍ୟରେ ସେ ବେଙ୍ଗାଲୁରୁରେ ଥିବା ବିସିସିଆଇର ସେଣ୍ଟର  ଅଫ୍‌ ଏକ୍ସଲେନ୍ସ (ସିଓଇ)ରେ ବୋଲିଂ ଅଭ୍ୟାସ ଆରମ୍ଭ  କରିଛନ୍ତି । ଗତ ବର୍ଡ଼ର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର  ଅନ୍ତିମ ମ୍ୟାଚ୍‌ ବେଳେ ତାଙ୍କ ପିଠିରେ ଆଘାତ ଲାଗିଥିଲା ।  ଫଳରେ ସେ ଇଂଲଣ୍ଡ ବିପକ୍ଷ ଘରୋଇ ସୀମିତ ଓଭର ସିରିଜ ଏବଂ ଚଳିତ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ପଡ଼ିଥିଲେ । 

ବିସିସିଆଇ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,  ବୁମରା ସିଓଇରେ ବୋଲିଂ ଅଭ୍ୟାସ ଆରମ୍ଭ କରିଛନ୍ତି ।  ମାତ୍ର ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି । ଆଗାମୀ ସମୟରେ  ତାଙ୍କ ଉପରେ କାର୍ଯ୍ୟଭାର ବଢ଼ାଯିବ । ଏହାପରେ ତାଙ୍କ  ପ୍ରତ୍ୟାବର୍ତ୍ତନ ଉପରେ ସ୍ପଷ୍ଟ ଚିତ୍ର ଜଣାପଡ଼ିବ । ବୁମରାଙ୍କ ଭଳି ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସର ଚର୍ଚ୍ଚିତ ଯୁବ ପେସ୍‌ ବୋଲର  ମୟଙ୍କ ଯାଦବ ମଧ୍ୟ ପ୍ରାରମ୍ଭିକ କିଛି ମ୍ୟାଚ୍‌ ଖେଳିବେନି । ସେ  ଏପର୍ଯ୍ୟନ୍ତ ଫିଟ୍‌ ହୋଇନାହାନ୍ତି । ଆଗାମୀ ଏପ୍ରିଲ୍‌ ପ୍ରଥମ  ସପ୍ତାହରେ ସେ ଦଳ ସହ ଯୋଗଦେବାର ସମ୍ଭାବନା ରହିଛି ।