ଦୁବାଇ, ୨୪/୦୨: ଭାରତର ପ୍ରମୁଖ ଫାଷ୍ଟ୍‌ ବୋଲର ଯଶପ୍ରୀତ ବୁମରା ଆଇସିସି ପୁରସ୍କାର  ଗ୍ରହଣ କରିଛନ୍ତି । ଭାରତ-ପାକ୍‌  ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଦୁବାଇ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମରେ  ଆଇସିସି ପକ୍ଷରୁ ବୁମରାଙ୍କୁ ୪ଟି  ପୁରସ୍କାର ପ୍ରଦାନ କରାଯାଇଥିଲା ।ସେ ବର୍ଷର ଶ୍ରେଷ୍ଠ ପୁରୁଷ କ୍ରିକେଟର, ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଟ୍ରଫି ସହ ଶ୍ରେଷ୍ଠ ଟେଷ୍ଟ  ଓ ଟି-ଟ୍ୱେଣ୍ଟି ଦଳର କ୍ୟାପ୍‌ ଗ୍ରହଣ  କରିଥିଲେ । 

ବୁମରା ଗତ ବୋର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଅନ୍ତିମ  ମ୍ୟାଚ୍‌ରେ ଆହତ ହୋଇଥିଲେ । ତାଙ୍କ  ପିଠିରେ ଆଘାତ ଲାଗିଥିଲା । ଆହତ ସତ୍ତେ୍ୱ ତାଙ୍କୁ ଭାରତୀୟ ଚାମ୍ପିଅନ୍ସ ଟ୍ରଫି ଦଳରେ ସାମିଲ କରାଯାଇଥିଲା । ମାତ୍ର ସେ ଫିଟ୍‌ ନହେବାରୁ ଶେଷରେ  ତାଙ୍କୁ ବାଦ୍‌ ଦିଆଯାଇ ହର୍ଷିତ ରାଣାଙ୍କୁ ସାମିଲ କରାଯାଇଥିଲା । ରବିବାର ବୁମରା  ଦୁବାଇ ଷ୍ଟାଡିୟମରେ ପହଞ୍ଚିବା ପରେ  ଦର୍ଶକମାନେ କରତାଳି ଦେଇ ତାଙ୍କୁ  ସ୍ୱାଗତ କରିଥିଲେ । ଆଇସିସି ପୁରସ୍କାର  ଗ୍ରହଣ କରିବା ପରେ ଷ୍ଟାଡିୟମରେ ବସି ଭାରତ-ପାକ୍‌ ମ୍ୟାଚ୍‌ର ମଜା  ନେଇଥିଲେ।