ମୁମ୍ବାଇ,୧୭/୦୩: ଭାରତୀୟ କ୍ରିକେଟ୍‌  ପ୍ରେମୀଙ୍କ ପାଇଁ ଖୁସି ଖବର । ଗତ ବର୍ଡର-ଗାଭାସ୍କର  ଟ୍ରଫିର ଅନ୍ତିମ ଟେଷ୍ଟରେ ଆହତ ହୋଇଥିବା ଭାରତର ଷ୍ଟାର୍‌ ପେସ୍‌ ବୋଲର ଯଶପ୍ରୀତ ବୁମରା ଧିରେ ଧିରେ ଫିଟ୍‌ ହେଉଛନ୍ତି । ଆସନ୍ତା ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ମଧ୍ୟରେ ସେ ଫିଟ୍‌ ଘୋଷିତ ହୋଇ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେବେ  ବୋଲି ଅନୁମାନ କରାଯାଉଛି । ତେବେ ସବୁ କିଛି  ଜାତୀୟ କ୍ରିକେଟ୍‌ ଏକାଡେମୀ ଓ ବିସିସିଆଇ  ମେଡିକାଲ୍‌ ଟିମ୍‌ର ନିଷ୍ପତ୍ତି ଉପରେ ନିର୍ଭର କରୁଛି ।  

ସିଡ୍‌ନୀରେ ଅନୁଷ୍ଠିତ ପଞ୍ଚମ ଟେଷ୍ଟରେ ବୁମରା ଆହତ ହୋଇଥିଲେ । ସେବେଠୁ ତାଙ୍କୁ କ୍ରିକେଟ୍‌ରୁ ଦୂରେଇ ରଖାଯାଇଛି । ସେ ଜାତୀୟ କ୍ରିକେଟ୍‌ ଏକାଡେମୀରେ ସମ୍ପ୍ରତି ଚିକିତ୍ସିତ ହେଉଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ବିସିସିଆଇ ପକ୍ଷରୁ ବୁମରାଙ୍କ ଫିଟ୍‌ନେସ୍‌ ସମ୍ପର୍କରେ କୌଣସି ଘୋଷଣା  କରାଯାଇନାହିଁ । ତଥାପି ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ସେ ଫିଟ୍‌ ହେବେ ବୋଲି ଚାମ୍ପିଅନ୍ସ ଟ୍ରଫି ପାଇଁ  ଦଳ ଘୋଷଣା ସମୟରେ ଚୟନ କମିଟି ମୁଖ୍ୟ  ଅଜିତ ଅଗରକର ପ୍ରକାଶ କରିଥିଲେ ।  ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବୁମରା କେତେ  ମ୍ୟାଚ୍‌ ଅନୁପସ୍ଥିତ ରହିବେ, ତାହା ଏବେଠୁ କହିବା  ମୁସ୍କିଲ । ମାତ୍ର ଆଇପିଏଲ୍‌ ପରେ ଭାରତୀୟ ଦଳ  ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଯାତ୍ରା କରିବ । ଏହି ସିରିଜ ଜରିଆରେ ଭାରତର  ୨୦୨୫/୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଅଭିଯାନ  ଆରମ୍ଭ ହେବ । ସେହି ସମୟ ବେଳକୁ ବୁମରା ସମ୍ପୂର୍ଣ୍ଣ ମ୍ୟାଚ୍‌ ଫିଟ୍‌ନେସ୍‌ ଫେରିପାଇବେ ବୋଲି ଯଥେଷ୍ଟ  ସମ୍ଭାବନା ରହିଛି । 

ଚଳିତ ମାସରେ ମୁମ୍ବାଇ ଇଣ୍ଡିଆନ୍ସ  ୩ଟି ମ୍ୟାଚ୍‌ ଖେଳିବ । ୨୩ ତାରିଖରେ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ । ଏହାପରେ ୨୯ ତାରିଖରେ ଘରୋଇ ଗୁଜରାଟ  ଟାଇଟନ୍ସକୁ ଅହମ୍ମଦାବାଦରେ ସାମ୍ନା କରିବ ।  ୩୧ ତାରିଖରେ ଦଳ ପ୍ରଥମ ଘରୋଇ ମ୍ୟାଚ୍‌ ଖେଳିବ । ଡିଫେଣ୍ଡିଂ ଚାମ୍ପିଅନ୍‌ କୋଲକାତା  ନାଇଟ୍‌ ରାଇଡର୍ସ ମୁମ୍ବାଇ ୱାଙ୍ଖଡ଼େ  ଷ୍ଟାଡ଼ିୟମ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ।

ଏପ୍ରିଲ ପ୍ରଥମ ସପ୍ତାହରେ ମୁମ୍ବାଇ ଇଣ୍ଡିଆନ୍ସ  ୨ଟି ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି ।  ୪ ତାରିଖରେ ଏକାନ୍ନା ଷ୍ଟାଡିୟମ୍‌ରେ ଘରୋଇ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ଭେଟିବ । ସେହିପରି  ୭ ତାରିଖରେ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ଘରୋଇ  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସାମ୍ନା କରିବ ।  ବୁମରା ଏହି ୫ଟି ମ୍ୟାଚ୍‌ ଖେଳିବା ସମ୍ଭାବନା କ୍ଷୀଣ ।