ଜଟଣୀ,୦୭/୦୯: ଆଜି ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଭସାଣି ଉତ୍ସବ । ଗଣେଶ ଚତୁର୍ଥୀରୁ ଆରମ୍ଭ ହୋଇଥିଲା ଏହି ପୂଜା । ୧୧ ଦିନ ଉତ୍ସବ ମୁଖର ହୋଇଉଠିଥିଲା ଜଟଣୀ ସହର । ଭସାଣୀ ପାଇଁ ପୂଜା ମଣ୍ଡପ କର୍ମକର୍ତ୍ତା ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମସ୍ତ ମେଢ଼ ସ୍ଥାନୀୟ ସୀତାରାମ ଛକରେ ପହଞ୍ଚି ଆଗପଛ ହୋଇ ଧାଡ଼ିରେ ମୁଖ୍ୟ ରାସ୍ତା ଦେଇ ବିସର୍ଜନ ସ୍ଥଳକୁ ଶୋଭାଯାତ୍ରାରେ ଯିବେ । ୪୦ ମଣ୍ଡପର ମେଢ଼ ବାଜା, ରୋସଣି, ନୃତ୍ୟ ଗୀତରେ ମୁଖ୍ୟ ରାସ୍ତା ରବିବାର ଦୁଲୁକି ଉଠିବ ।
ଏବର୍ଷ ମଧ୍ୟ ଡିଜେ ମନା ହୋଇଥିବାରୁ ପାରମ୍ପରିକ ବାଜା ସହିତ କେତେକ ପୂଜା ମଣ୍ଡପ ଶୋଭାଯାତ୍ରାରେ ବାହାର ରାଜ୍ୟର କଳାକାର ସାମିଲ ହୋଇ ସେମାନଙ୍କ କଳା ପ୍ରଦର୍ଶନ କରିବେ । ପ୍ରଦୂଷଣ ମୁକ୍ତ ବିସର୍ଜନ ପାଇଁ ସ୍ଥାନୀୟ ଷଣ୍ଢପୁର ମୌଜାରେ ପୌର ପରିଷଦ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏଠାରେ ଅସ୍ଥାୟୀ ଜଳାଶୟ ସହିତ ସ୍ୱତନ୍ତ୍ର ରାସ୍ତା, ପ୍ରବେଶ ପ୍ରସ୍ଥାନ ଓ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି । ଭସାଣି କମିଟି ମଧ୍ୟ ଅନେକ ପ୍ରସ୍ତୁତି କରିଛି । ଭସାଣି କମିଟି ସଭାପତି ସଂଗ୍ରାମ କେଶରୀ ରାଉତରାୟ ଶନିବାର ବିଭିନ୍ନ ପୂଜା ମଣ୍ଡପ ବୁଲି ପରମ୍ପରା ଅନୁଯାୟୀ ଗୁଆ, ନଡ଼ିଆ ଓ ଭୋଗ ହାଣ୍ଡି ଅର୍ପଣ କରି ନିମନ୍ତ୍ରଣ କରିଥିଲେ ।
ଶୃଙ୍ଖଳିତ ଭସାଣି ପାଇଁ କମିଶନରେଟ୍ ପୁଲିସ ମଧ୍ୟ ବ୍ୟାପକ ବ୍ୟବସ୍ଥା କରିଛି । ୫ ପ୍ଲାଟୁନ୍ରୁ ଅଧିକ ପୁଲିସ ଫୋର୍ସ ମୁତୟନ ସହିତ ଅପରାହ୍ଣ ୪ଟାରେ ମଣ୍ଡପରୁ ମେଢ଼ ବାହାରିବ ବୋଲି ଇନ୍ସପେକ୍ଟର ଷ୍ଟାଲିନ୍ ବିଶ୍ୱାଳ କହିଛନ୍ତି । ଭସାଣି ସମୟରେ ଭାରିଯାନ ଚଳାଚଳ ପାଇଁ ବିଭିନ୍ନ ରୁଟ୍ ପରିବର୍ତ୍ତନ କରାଯାଇଛି । କୁଦିଆରୀ ମହତାବ ନଗର, ଖୁଦୁପୁର ଛକ, ଷଣ୍ଢପୁର ହନୁମାନ ବାଟିକା ନିକଟରେ ଏହିସବୁ ଯାନକୁ ନିୟନ୍ତ୍ରଣ କରାଯାଇ ଅନ୍ୟ ମାର୍ଗରେ ଛଡ଼ାଯିବ । ଭସାଣି ସମୟରେ ଫ୍ଲାଇଓଭର ବ୍ରିଜ ଉପରେ ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି ।