ନୂଆଦିଲ୍ଲୀ,୧୧/୦୨: କୁଖ୍ୟାତ ନାବାଳିକା ଯୌନ ଅପରାଧୀ ଏପଷ୍ଟିନ୍ ଏବେ ବିଶ୍ୱର ସବୁଠୁ ଚର୍ଚ୍ଚିତ ନାଁ। ମୃତ୍ୟୁକୁ ୭ ବର୍ଷ ବିତିଗଲାଣି, କିନ୍ତୁ ତା’ର କଳା କାରନାମାର ଗୋଟିଏ ପରେ ଗୋଟିଏ ରହସ୍ୟ ଏବେ ସାମ୍ନାକୁ ଆସୁଛି । ଏହା ଜରିଆରେ ବିଶ୍ୱର ତମାମ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚେହେରା ବି ସାମ୍ନାକୁ ଆସୁଛି । ଏପଷ୍ଟିନ୍ ପ୍ରତ୍ୟେକ ନୂଆ ଫାଇଲ ଜାରି ହେବା ସହିତ ନୂଆ ରହସ୍ୟ ଉପରୁ ପରଦା ଉଠୁଛି । ଏପଷ୍ଟିନ୍ ଏକ ହାଇପ୍ରୋଫାଇଲ ଟ୍ରାଫିକିଙ୍ଗ୍ ର୍ୟାକେଟ୍ ଚଳାଉଥିଲା । ଏଥିରେ ନାବାଳିକାଙ୍କୁ ଜୋର ଜବରଦସ୍ତି ଶାରୀରିକ ଶୋଷଣ କରୁଥିଲା । ଏହି କିଶୋରୀମାନଙ୍କୁ ନିଜର ପ୍ରଭାବଶାଳୀ ଓ ଧନୀ ଗ୍ରାହକଙ୍କ ପାଖରେ ପହଞ୍ଚାଉଥିଲା । ଏଥିପାଇଁ ସେ ନିଜର ଜେଟ୍ ବ୍ୟବହାର କରୁଥିଲା । ଏହି ଜେଟରେ ପାର୍ଟି ହେଉଥିଲା, ଯେଉଁଥିରେ ୧୪ ବର୍ଷୀୟ କିଶୋରୀଙ୍କୁ ସାମିଲ କରାଯାଉଥିଲା ।
ସେଥିପାଇଁ ଏପଷ୍ଟିନ୍ ପ୍ରାଇଭେଟ୍ ଜେଟକୁ ‘ଲୋଲିତା ଏକ୍ସପ୍ରେସ୍’ ନାମ ଦିଆଯାଇଥିଲା । ରୁଷ-ଆମେରିକୀୟ ଲେଖକ ଭ୍ଲାଦିମିର ନାବୋକୋଭ୍ ୧୯୫୫ରେ ‘ଲୋଲିତା’ ନାମକ ଏକ ଉପନ୍ୟାସ ଲେଖିଥିଲେ । ଏହାର ମୁଖ୍ୟ ଚରିତ୍ରର ନାଁ ଥିଲା ଲୋଲିତା । ଏପଷ୍ଟିନ୍ ପ୍ରାଇଭେଟ୍ ଜେଟ୍ର ନାଁ ଏହି ଚରିତ୍ର ଦ୍ୱାରା ପ୍ରେରିତ ଥିଲା । କାରଣ ନାବୋକୋଭ୍ ନିଜ ଉପନ୍ୟାସରେ ଲୋଲିତା ନାମ୍ନୀ ଏଭଳି ଜଣେ ଝିଅର ଚରିତ୍ରକୁ ଉପସ୍ଥାପନ କରିଛନ୍ତି, ଯିଏ ନିଜ ବୟସ ତୁଳନାରେ ଅଧିକ ଯୁବ ଓ ଖୁବ୍ ଅଧିକ ସ୍ପଷ୍ଟବାଦୀ । ଲୋକଙ୍କୁ ଆକର୍ଷଣ କରିବା ଭଳି ସୌନ୍ଦର୍ଯ୍ୟର ସେ ଅଧିକାରିଣୀ । ନିଜ ସୌନ୍ଦର୍ଯ୍ୟର ଉପଯୋଗ ମଧ୍ୟ ତାକୁ ବେଶ ଜଣା । ପପ୍ ସଂସ୍କୃତିରେ ‘ଲୋଲିତା’ କମ୍ ବୟସ୍କ ଆକର୍ଷଣୀୟ ସୌନ୍ଦର୍ଯ୍ୟର ଅନ୍ୟ ନାମ ପାଲଟିଥିଲା । ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତି ଏପଷ୍ଟିନ୍ ବନ୍ଧୁ ଓ ଗ୍ରାହକ ଥିଲେ ।ୋ
ସେମାନଙ୍କ ପାଇଁ ସେ ପାର୍ଟି ଆୟୋଜନ କରୁଥିଲା, ଯେଉଁଥିରେ ୧୪-୧୮ ବର୍ଷୀୟା ଝିଅ ରହୁଥିଲେ । ସେମାନଙ୍କୁ ପାର୍ଟିକୁ ନେବା ଲାଗି ଏପଷ୍ଟିନ୍ ନିଜର ଜେଟ୍ ବ୍ୟବହାର କରୁଥିଲା । ଲୋଲିତା ଏକ୍ସପ୍ରେସରେ ଯାତ୍ରା କରିଥିବା ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଛି । ଭର୍ଜିନ ଦ୍ୱୀପରେ ସ୍ଥିତ ଏପଷ୍ଟିନର ଦ୍ୱୀପକୁ କେବଳ ହେଲିକପ୍ଟର କିମ୍ବା ଡଙ୍ଗା ଯାତାୟାତ କରୁଥିଲା । ଏପଷ୍ଟିନ୍ ସେଠାକୁ ଯିବା ଲାଗି ଲୋଲିତା ଏକ୍ସପ୍ରେସ୍ ବ୍ୟବହାର କରୁଥିଲା । ଏହା ଏକ ବୋଇଂ ୭୨୭-୧୦୦ ବିମାନ ଥିଲା । ଏହି ଜେଟ୍ ଜରିଆରେ ଝିଅମାନେ ଓ ତା’ର ଅତିଥି ସେଣ୍ଟ୍ ଥୋମାସ ସାମୁଦ୍ର କୂଳ ଯାଏ ଆସୁଥିଲେ । ତା’ପରେ ହେଲିକପ୍ଟରରେ ଏପ୍ଷ୍ଟିନ୍ ଦ୍ୱୀପକୁ ଯାଉଥିଲେ । ଏପଷ୍ଟିନ୍ ଦୀର୍ଘ ବର୍ଷ ଧରି ନିଜର ଧନୀ ଓ ନାମୀ ବନ୍ଧୁଙ୍କ କୁକର୍ମକୁ ଲୁଚାଇବା ପାଇଁ ‘ଲୋଲିତା ଏକ୍ସପ୍ରେସ୍’ର ବ୍ୟବହାର କରିଥିଲା ।
ଆହୁରି ପଢନ୍ତୁ-ଭାରତ-ୟୁଏସ୍ ଟ୍ରେଡ୍ ଡିଲ୍ରେ ଆମେରିକାର ସାଇଲେଣ୍ଟ ୟୁ-ଟର୍ଣ୍ଣ, ଫ୍ୟାକ୍ଟ ସିଟ୍ ବଦଳାଇଲା ହ୍ୱାଇଟ୍ ହାଉସ୍
ଆମେରିକୀୟ ଯୌନ ଅପରାଧୀ ଜେଫରି ଏପଷ୍ଟିନର ପୀଡ଼ିତାମାନେ ଏପଷ୍ଟିନ୍ କଳାଦୁନିଆର ଅଧିକ ରହସ୍ୟ ବାହାରକୁ ଆଣିବା ପାଇଁ ଦାବି କରିଛନ୍ତି । ଏପରି ଦାବି ନେଇ ପୀଡ଼ିତାଙ୍କ ବିଜ୍ଞାପନ ମଧ୍ୟ ଜାରି ହୋଇଛି । ୱାର୍ଲ୍ଡ ୱିଦ୍ଆଉଟ୍ ଏକ୍ସପ୍ଲଏଟେସନ ଗ୍ରୁପ୍ ପକ୍ଷରୁ ଆମେରିକାରେ ସୁପର ବାଓଲ ସନ୍ଡେ’ରେ ଏକ ୪୦ ସେକେଣ୍ଡର ଭିଡିଓ ଜାରି କରାଯାଇଛି । ଏଥିରେ ପୀଡ଼ିତାମାନେ ନିଜ ନିଜର କିଶୋର ବୟସର ଫଟୋ ଧରିବା ସହ ‘ଆମେ ସମସ୍ତେ ସତ ବାହାରକୁ ଆସୁ ବୋଲି ଚାହୁଁ’ କହିଛନ୍ତି । ଭିଡିଓର ଜଣେ ପରେ ଜଣେ କ୍ୟାମେରା ଆଗକୁ ଆସୁଛନ୍ତି । ବର୍ଷ ବର୍ଷ ଧରି ନୀରବ ଏବଂ ଏକୁଟିଆ ରହିବା ପରେ ଏବେ ଏକାଠି ହୋଇଛୁ, କାରଣ ଏହି ପିଲାମାନେ ସତ ଜାଣିବାକୁ ଚାହାନ୍ତି ବୋଲି ସେମାନେ ମିଳିତ ଭାବେ ପ୍ରକାଶ କରିଛନ୍ତି ।
କେବଳ ଏପଷ୍ଟିନଙ୍କ ବାବଦରେ ନୁହେଁ ବରଂ ଏହି ଯୌନ ଅପରାଧୀଙ୍କୁ ସହଯୋଗ କରିଥିବା ଏବଂ ତାଙ୍କୁ ସକ୍ଷମ କରିଥିବା ସମସ୍ତ ବ୍ୟକ୍ତିଙ୍କ ସହ ଜଡ଼ିତ ସୂଚନା ସାର୍ବଜନୀନ କରିବାକୁ ପୀଡ଼ିତାମାନେ ଦାବି କରିଛନ୍ତି । ବିଜ୍ଞାପନର ଶେଷ ଭାଗରେ ଏକ ବାର୍ତ୍ତା ରହିଛି ‘ଆମ ସହ ଛିଡ଼ା ହୁଅ । ଆଟର୍ଣ୍ଣି ଜେନେରାଲ ପାମ୍ ବଣ୍ଡିଙ୍କୁ କୁହ: ଏବେ ସତର ସମୟ ଆସିଛି ।’ ନ୍ୟାସନାଲ ଫୁଟବଲ ଲିଗକୁ ଆମେରିକାରେ ବହୁସଂଖ୍ୟାରେ ଲୋକ ଦେଖୁଥିବାରୁ ସୁପର୍ ବାଉଲ ସନ୍ଡେରେ ଏହି ବାର୍ତ୍ତା ପ୍ରସାରଣ କରାଯାଇଛି, ଯାହା ଦ୍ୱାରା ଅଧିକାଂଶ ଆମେରିକୀୟ ତାହାକୁ ଦେଖିପାରିବେ । ଫେବ୍ରୁଆରୀ ମାସର ଦ୍ୱିତୀୟ ରବିବାର ନ୍ୟାସନାଲ ଫୁଟବଲ ଲିଗ୍ର ବାର୍ଷିକ ଚାମ୍ପିୟନସିପ୍ ଗେମ୍ ଡେ’କୁ ସୁପର ବାଉଲ ସନ୍ଡେ କୁହାଯାଏ । ପ୍ରକାଶଥାଉ କି, ଆମେରିକାର ନ୍ୟାୟ ବିଭାଗ ଗତବର୍ଷ ଡିସେମ୍ବରରେ ସବୁ ଫାଇଲ ରିଲିଜ କରିବାର ଥିଲା । କିନ୍ତୁ ଅଦ୍ୟାବଧି ଅଳ୍ପ ଫାଇଲ ଜାରି ହୋଇଥିବାବେଳେ ଆହୁରି ଲକ୍ଷ ଲକ୍ଷ ଫାଇଲ ସାମ୍ନାକୁ ଆସିନାହିଁ । ପ୍ରକାଶିତ ହୋଇ ନ ଥିବା ଫାଇଲଗୁଡ଼ିକ ଅପ୍ରାସଙ୍ଗିକ, ନକଲି କିମ୍ବା ବିଚାରମୂଳକ ପ୍ରକ୍ରିୟା କିମ୍ବା ବିଶେଷାଧିକାର ଆଇନ ବଳରେ ଲୁଚାଯାଇଥିବା ନ୍ୟାୟ ବିଭାଗ କହିଛି । ଏଥିସହ ଅନେକରେ ହିଂସା ବାବଦ ତଥ୍ୟ ରହିଛି ବୋଲି ବିଭାଗ ପକ୍ଷରୁ ଜଣାଯାଇଛି।