ନୂଆଦିଲ୍ଲୀ,୨୪/୧୨; ଆଗାମୀ ଡବ୍ଲ୍ୟୁପିଏଲ୍‌ ସିଜନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ନୂଆ ଅଧିନାୟିକା ନିଯୁକ୍ତ କରିଛି । ଦଳର ପ୍ରମୁଖ ସଦସ୍ୟା ତଥା ଭାରତ ବିଶ୍ୱକପ ହିରୋ ଜେମିମା ରୋଡ୍ରିଗ୍ସଙ୍କୁ ନେତୃତ୍ୱ ଭାର ପ୍ରଦାନ କରାଯାଇଛି । ପ୍ରଥମ ୩ଟି ସିଜନରେ ଅଷ୍ଟ୍ରେଲିଆର ମେଗ ଲ୍ୟାନିଂ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ନେଇଥିଲେ । 

୩ଟି ଯାକ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ୍‌ରେ ପ୍ରବେଶ କରିଥିଲେ ହେଁ ଚାମ୍ପିଅନ୍‌ ହୋଇ ପାରିନଥିଲା । ଏଥର କ୍ୟାପିଟାଲ୍ସ ତାଙ୍କୁ ରିଟେନ କରିନଥିଲା । ନୂଆ ସିଜନ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଅଧିନାୟକ ନିଯୁକ୍ତ କରିବାକୁ ଦିଲ୍ଲୀ କ୍ୟାପିଟାଲ୍ସ ଯୋଜନା କରିଥିଲା । ତେଣୁ ଜେମିମା ଅଧିନାୟିକା ନିଯୁକ୍ତ ହେବା ବହୁ ପୂର୍ବରୁ ଅନୁମାନ କରାଯାଉଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଆସନ୍ତା ୧୦ ତାରିଖରେ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ଦଳ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଦିଲ୍ଲୀ ପାଇଁ WPL ରେ ଜେମିମା ତାଙ୍କର ସମସ୍ତ ମ୍ୟାଚ ଖେଳିଛନ୍ତି । ସେ ୨୭ ମ୍ୟାଚରେ ୨୮.୧୬ ହାରରେ ୫୦୭ ରନ୍ କରିଛନ୍ତି । ୬୯ ତାଙ୍କର ସର୍ବାଧିକ ସ୍କୋର ।

ଅଧିନାୟକତ୍ୱ ଦାୟିତ୍ୱ ମିଳିବା ପରେ ଜେମିମା କହିଛନ୍ତି, " ମୋ ଉପରେ ଏହି ବିଶ୍ୱାସ-ଭରସା କରିବା ଭଲ ଲାଗୁଛି । ଦିଲ୍ଲୀ କ୍ୟାପିଟାଲ୍ସ ମାଲିକଙ୍କ ପାର୍ଥ ଜିନ୍ଦଲଙ୍କ ସହିତ କଥାବାର୍ତ୍ତାରେ ରୋଡ୍ରିଗ୍ସ କହିଛନ୍ତି, "ମୁଁ ଜାଣେ DC ମୋ ପାଇଁ କ'ଣ କରିଛି ଏବଂ DC ସବୁବେଳେ ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିବ ଏବଂ ମୁଁ ଦଳ ପାଇଁ ମୋର ସମସ୍ତ ଚେଷ୍ଟା କରୁଛି । '' 

୨୮ ଦିନରେ ମୋଟ ୨୨ଟି ମ୍ୟାଚ୍ ଖେଳାଯିବ- ଡବ୍ଲୁପିଏଲ ୨୦୨୬ ସିଜିନର ଜାନୁଆରୀ ୯ ତାରିଖରୁ ଆରମ୍ଭ ହେବ । ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ୨୮ ଦିନିଆ ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ ସମେତ ୨୨ଟି ମ୍ୟାଚ୍ ଖେଳାଯିବ । ସମସ୍ତ ମ୍ୟାଚ୍ ଦୁଇଟି ସ୍ଥାନରେ ଅନୁଷ୍ଠିତ ହେବ ।  ନଭି ମୁମ୍ବାଇ ଷ୍ଟାଡିୟମ୍ ପ୍ରଥମ ୧୧ଟି ମ୍ୟାଚ୍ ଆୟୋଜନ କରିବ । ଫାଇନାଲ୍ ଭଦୋଦରା ଷ୍ଟାଡିୟମରେ ଖେଳାଯିବ । ଜାନୁଆରୀ ୧୦ ଏବଂ ୧୭ ତାରିଖରେ ଦୁଇ ଦିନ ଡବଲହେଡର୍ ଖେଳାଯିବ । ପ୍ରତ୍ୟେକ ଦିନ ଗୋଟିଏ ମ୍ୟାଚ୍ ଖେଳାଯିବ । ଲିଗ୍ ପର୍ଯ୍ୟାୟ ଫେବୃଆରୀ ୧ ତାରିଖରେ ଶେଷ ହେବ, ଏଲିମିନେଟର ମ୍ୟାଚ୍ ଫେବୃଆରୀ ୩ ତାରିଖରେ ଏବଂ ଫାଇନାଲ୍ ଫେବୃଆରୀ ୫ ତାରିଖରେ ଅନୁଷ୍ଠିତ ହେବ ।