ସମ୍ବଲପୁର, ୦୩/୦୮ (ଯଜ୍ଞଦତ୍ତ ଜ୍ୟୋତିଷ): କାହିଁ କେତେ ପିଢ଼ିରୁ ଗାଁରେ ରହୁଛୁ । ଅଣଜେଜେ, ଜେଜେ ଘର ତିଆରି  କରିଛନ୍ତି । କେବେ କିଛି ଅସୁବିଧା ନ ଥିଲା । ୨୦୧୭  ମସିହାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଗାଁକୁ ଆସିଲେ ।  କହିଲେ, ଗାଁ ତାଙ୍କର । ତୁରନ୍ତ ଘର ଖାଲି କର । ଗ୍ରାମରେ  ୭୦ ପରିବାର ରହୁଛୁ । କାହାରି ନାଁରେ ଜମି ଖଣ୍ଡିଏ ନାହିଁ ।  ୮ବର୍ଷ ହେଲା ଗାଁରେ କୌଣସି ନିର୍ମାଣ କାମ ହୋଇପାରୁନି । ରାସ୍ତା ନାହିଁ କି ପାଣି ଆସୁନି । ଘର ଭାଙ୍ଗିବାକୁ ବସିଲାଣି ।  ତଥାପି କଷ୍ଟରେ ବଞ୍ଚିଛୁ । ଏଭଳି ସାଂଘାତିକ ଅଭିଯୋଗ  କରିଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ୱର ତହସିଲ ବଦୁଆପାଲି  ପଞ୍ଚାୟତ ଝାଙ୍କରବାହାଲିର ୮୦ ବର୍ଷୀୟ ବୃଦ୍ଧା ବିହାରୀ ରାୟ । 

 ଝାଙ୍କରବାହାଲି ଗ୍ରାମରେ ରହୁଛନ୍ତି ପ୍ରାୟ ୭୦ ପରିବାର ।  ଜନସଂଖ୍ୟା ୩୦୦ । ଏମାନଙ୍କ ମଧ୍ୟରୁ ୩ଟି ପରିବାର  ଆଦିବାସୀ । ଅନ୍ୟମାନେ ଦଳିତ ବର୍ଗର । ସମସ୍ତେ ଭୂମିହୀନ ।  କିନ୍ତୁ ପିଢ଼ି ପରେ ପିଢ଼ି ସେମାନେ ଝାଙ୍କରବାହାଲିରେ ରହି  ଆସୁଛନ୍ତି । ଗାଁକୁ କେବେ ଆସିଥିଲେ କେହି ଠିକ୍‌ ଭାବେ କହିପାରୁ  ନ ଥିଲେ ମଧ୍ୟ ବାପା, ଦାଦା ଏଠାରେ ଜନ୍ମ ହୋଇଥିବା କହିଛନ୍ତି ।  କିନ୍ତୁ ୨୦୧୭ ମସିହା ପରେ ସେମାନେ ବିସ୍ଥାପନ ଭୟରେ  ଜୀବନ ବିତାଉଛନ୍ତି । କାରଣ ବଦୁଆପାଲିର ଜଣେ ବ୍ୟକ୍ତି ଗାଁ  ଉପରେ ନିଜର ମାଲିକାନା ଦାବି କରୁଛନ୍ତି । ସମ୍ପୂର୍ଣ୍ଣ ଗ୍ରାମ ତାଙ୍କ  ନାମରେ ରେକର୍ଡଭୁକ୍ତ ଥିବା କହି ତୁରନ୍ତ ଘର ଖାଲି କରିବାକୁ  ଧମକାଉଛନ୍ତି³ ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାମବାସୀ ।  

ଝାଙ୍କରବାହାଲିର ରାମନନ୍ଦନ ନାଏକ (୬୬) କହିଛନ୍ତି,  ୨୦୧୭ପରଠୁ ଗାଁରେ କୌଣସି ନିର୍ମାଣ ହୋଇପାରୁନି । ବିକାଶ  କାର୍ଯ୍ୟରେ ଗାଁର ମାଲିକାନା ଦାବି କରୁଥିବା ବ୍ୟକ୍ତି ବାଧକ  ସାଜୁଛନ୍ତି । ରାସ୍ତା ପାଇଁ ଟଙ୍କା ଆସି ଫେରିଗଲା । ନଳକୂଅ ପାଇଁ  ଆସିଥିବା ଗାଡ଼ିକୁ ଫେରାଇଦେଲେ । ଘରକୁ ସଜାଡ଼ିବାକୁ  ଦେଉନାହାନ୍ତି । ଫଳରେ ଭଙ୍ଗାଦଦରା ଘରେ ରହିବାକୁ  ପଡ଼ୁଛି । କେତେବେଳେ କାହାର ଜୀବନ ପଳାଇବ ଠିକ  ନାହିଁ । ବର୍ଷ ବର୍ଷ ଧରି ବଢ଼ିଥିବା ଗାଁରୁ ଏବେ ଯିବୁ କୁଆଡ଼େ  ବୋଲି ସେ ପ୍ରଶ୍ନ କରିବା ସହ ଥଇଥାନ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ଗ୍ରାମର ଗୁଣବନ୍ତ ଭୋଇ ମଧ୍ୟ ସମାନ  କଥା ଦୋହରାଇଛନ୍ତି । ୨୦୧୮-୧୯ରେ ୫୨ଟି ପରିବାରକୁ  ଅନ୍ୟତ୍ର ବିଜୁ ପକ୍କା ଘର ଦେବାକୁ ପ୍ରଶାସନ କହିଥିଲା । ଉକ୍ତ  ପ୍ରକଳ୍ପ ଅଧାପନ୍ତରିଆ ହୋଇପଡ଼ିଛି । ଘର ନିର୍ମାଣ ସମ୍ପୂର୍ଣ୍ଣ  ହୋଇପାରି ନ ଥିବାରୁ ସେଠାକୁ ମଧ୍ୟ ଯାଇପାରୁନୁ । ସରକାର  ଏଥିରେ ହସ୍ତକ୍ଷେପ କରିବାକୁ ଗୁଣବନ୍ତ ଦାବି କରିଛନ୍ତି ।   

ଘଟଣା ସମ୍ପର୍କରେ ମାନେଶ୍ୱର ତହସିଲଦାର  ବ୍ରଜକିଶୋର ସାହୁ କହିଛନ୍ତି, ବଦୁଆପାଲି ଅଞ୍ଚଳରେ ଏଭଳି  ଅଭିଯୋଗ ହୋଇଛି । ସେମାନଙ୍କ ପାଖରେ ପଟ୍ଟା ଅଛି  କି ନାହିଁ ଜାଣିନି । ୧୯୭୫-୭୬ ମସିହାରେ ସେମାନଙ୍କୁ  ସିଲିଂରେ ଏହି ଜାଗା ମିଳିଥିଲା । ସିଲିଂ ଜମି ବନ୍ଦୋବସ୍ତ  ସମୟରେ ସେମାନେ କୌଣସି ଦସ୍ତାବିଜ ଦେଖାଇପାରି  ନ ଥିଲେ । ଚକବନ୍ଦୀ ବନ୍ଦୋବସ୍ତରେ ଜମି ଅନ୍ୟ କାହା  ପାଖକୁ ଚାଲିଯାଇଥିବା ଅନୁମାନ କରାଯାଉଛି । ମାମଲାଗୁଡ଼ିକ  ଆଡିସିନାଲ୍‌ କମିଶନରଙ୍କ କୋର୍ଟରେ ବିଚାରାଧୀନ ରହିଛି ।  ଏବେ ପର୍ଯ୍ୟାୟକ୍ରମେ ରିପୋର୍ଟ ପ୍ରଦାନ କରୁଛୁ । ୨୫ରୁ ଊଦ୍ଧ୍ୱର୍  ମାମଲାର ରିପୋର୍ଟ ଆର୍‌ଆଇ ଦେଇସାରିଛନ୍ତି ।