ସମ୍ବଲପୁର, ୦୩/୦୮ (ଯଜ୍ଞଦତ୍ତ ଜ୍ୟୋତିଷ): କାହିଁ କେତେ ପିଢ଼ିରୁ ଗାଁରେ ରହୁଛୁ । ଅଣଜେଜେ, ଜେଜେ ଘର ତିଆରି କରିଛନ୍ତି । କେବେ କିଛି ଅସୁବିଧା ନ ଥିଲା । ୨୦୧୭ ମସିହାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଗାଁକୁ ଆସିଲେ । କହିଲେ, ଗାଁ ତାଙ୍କର । ତୁରନ୍ତ ଘର ଖାଲି କର । ଗ୍ରାମରେ ୭୦ ପରିବାର ରହୁଛୁ । କାହାରି ନାଁରେ ଜମି ଖଣ୍ଡିଏ ନାହିଁ । ୮ବର୍ଷ ହେଲା ଗାଁରେ କୌଣସି ନିର୍ମାଣ କାମ ହୋଇପାରୁନି । ରାସ୍ତା ନାହିଁ କି ପାଣି ଆସୁନି । ଘର ଭାଙ୍ଗିବାକୁ ବସିଲାଣି । ତଥାପି କଷ୍ଟରେ ବଞ୍ଚିଛୁ । ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ୱର ତହସିଲ ବଦୁଆପାଲି ପଞ୍ଚାୟତ ଝାଙ୍କରବାହାଲିର ୮୦ ବର୍ଷୀୟ ବୃଦ୍ଧା ବିହାରୀ ରାୟ ।
ଝାଙ୍କରବାହାଲି ଗ୍ରାମରେ ରହୁଛନ୍ତି ପ୍ରାୟ ୭୦ ପରିବାର । ଜନସଂଖ୍ୟା ୩୦୦ । ଏମାନଙ୍କ ମଧ୍ୟରୁ ୩ଟି ପରିବାର ଆଦିବାସୀ । ଅନ୍ୟମାନେ ଦଳିତ ବର୍ଗର । ସମସ୍ତେ ଭୂମିହୀନ । କିନ୍ତୁ ପିଢ଼ି ପରେ ପିଢ଼ି ସେମାନେ ଝାଙ୍କରବାହାଲିରେ ରହି ଆସୁଛନ୍ତି । ଗାଁକୁ କେବେ ଆସିଥିଲେ କେହି ଠିକ୍ ଭାବେ କହିପାରୁ ନ ଥିଲେ ମଧ୍ୟ ବାପା, ଦାଦା ଏଠାରେ ଜନ୍ମ ହୋଇଥିବା କହିଛନ୍ତି । କିନ୍ତୁ ୨୦୧୭ ମସିହା ପରେ ସେମାନେ ବିସ୍ଥାପନ ଭୟରେ ଜୀବନ ବିତାଉଛନ୍ତି । କାରଣ ବଦୁଆପାଲିର ଜଣେ ବ୍ୟକ୍ତି ଗାଁ ଉପରେ ନିଜର ମାଲିକାନା ଦାବି କରୁଛନ୍ତି । ସମ୍ପୂର୍ଣ୍ଣ ଗ୍ରାମ ତାଙ୍କ ନାମରେ ରେକର୍ଡଭୁକ୍ତ ଥିବା କହି ତୁରନ୍ତ ଘର ଖାଲି କରିବାକୁ ଧମକାଉଛନ୍ତି³ ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାମବାସୀ ।
ଝାଙ୍କରବାହାଲିର ରାମନନ୍ଦନ ନାଏକ (୬୬) କହିଛନ୍ତି, ୨୦୧୭ପରଠୁ ଗାଁରେ କୌଣସି ନିର୍ମାଣ ହୋଇପାରୁନି । ବିକାଶ କାର୍ଯ୍ୟରେ ଗାଁର ମାଲିକାନା ଦାବି କରୁଥିବା ବ୍ୟକ୍ତି ବାଧକ ସାଜୁଛନ୍ତି । ରାସ୍ତା ପାଇଁ ଟଙ୍କା ଆସି ଫେରିଗଲା । ନଳକୂଅ ପାଇଁ ଆସିଥିବା ଗାଡ଼ିକୁ ଫେରାଇଦେଲେ । ଘରକୁ ସଜାଡ଼ିବାକୁ ଦେଉନାହାନ୍ତି । ଫଳରେ ଭଙ୍ଗାଦଦରା ଘରେ ରହିବାକୁ ପଡ଼ୁଛି । କେତେବେଳେ କାହାର ଜୀବନ ପଳାଇବ ଠିକ ନାହିଁ । ବର୍ଷ ବର୍ଷ ଧରି ବଢ଼ିଥିବା ଗାଁରୁ ଏବେ ଯିବୁ କୁଆଡ଼େ ବୋଲି ସେ ପ୍ରଶ୍ନ କରିବା ସହ ଥଇଥାନ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ଗ୍ରାମର ଗୁଣବନ୍ତ ଭୋଇ ମଧ୍ୟ ସମାନ କଥା ଦୋହରାଇଛନ୍ତି । ୨୦୧୮-୧୯ରେ ୫୨ଟି ପରିବାରକୁ ଅନ୍ୟତ୍ର ବିଜୁ ପକ୍କା ଘର ଦେବାକୁ ପ୍ରଶାସନ କହିଥିଲା । ଉକ୍ତ ପ୍ରକଳ୍ପ ଅଧାପନ୍ତରିଆ ହୋଇପଡ଼ିଛି । ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରି ନ ଥିବାରୁ ସେଠାକୁ ମଧ୍ୟ ଯାଇପାରୁନୁ । ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଗୁଣବନ୍ତ ଦାବି କରିଛନ୍ତି ।
ଘଟଣା ସମ୍ପର୍କରେ ମାନେଶ୍ୱର ତହସିଲଦାର ବ୍ରଜକିଶୋର ସାହୁ କହିଛନ୍ତି, ବଦୁଆପାଲି ଅଞ୍ଚଳରେ ଏଭଳି ଅଭିଯୋଗ ହୋଇଛି । ସେମାନଙ୍କ ପାଖରେ ପଟ୍ଟା ଅଛି କି ନାହିଁ ଜାଣିନି । ୧୯୭୫-୭୬ ମସିହାରେ ସେମାନଙ୍କୁ ସିଲିଂରେ ଏହି ଜାଗା ମିଳିଥିଲା । ସିଲିଂ ଜମି ବନ୍ଦୋବସ୍ତ ସମୟରେ ସେମାନେ କୌଣସି ଦସ୍ତାବିଜ ଦେଖାଇପାରି ନ ଥିଲେ । ଚକବନ୍ଦୀ ବନ୍ଦୋବସ୍ତରେ ଜମି ଅନ୍ୟ କାହା ପାଖକୁ ଚାଲିଯାଇଥିବା ଅନୁମାନ କରାଯାଉଛି । ମାମଲାଗୁଡ଼ିକ ଆଡିସିନାଲ୍ କମିଶନରଙ୍କ କୋର୍ଟରେ ବିଚାରାଧୀନ ରହିଛି । ଏବେ ପର୍ଯ୍ୟାୟକ୍ରମେ ରିପୋର୍ଟ ପ୍ରଦାନ କରୁଛୁ । ୨୫ରୁ ଊଦ୍ଧ୍ୱର୍ ମାମଲାର ରିପୋର୍ଟ ଆର୍ଆଇ ଦେଇସାରିଛନ୍ତି ।