ନୂଆଦିଲ୍ଲୀ,୧୬/୧୧: ଶୁକ୍ରବାର ରାତିରେ ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ଦୁଃଖଦ ଦୁର୍ଘଟଣାରେ ୧୦ ଜଣ ଶିଶୁ ପ୍ରାଣ ହରାଇଛନ୍ତି। ପ୍ରାରମ୍ଭିକ ଅନୁସନ୍ଧାନରେ ବ୍ୟବସ୍ଥାର ବିଫଳତା ଯୋଗୁ ଏପରି ହୋଇଥିବା କୁହାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଡାକ୍ତରଖାନାରେ ରହିଥିବା ଅଗ୍ନି ନିର୍ବାପକ ଯନ୍ତ୍ରର ବୈଧତା ଚାରି ବର୍ଷ ପୂର୍ବରୁ ଶେଷ ହୋଇଛି। କିନ୍ତୁ ଏଗୁଡିକ ପରିବର୍ତ୍ତନ କରାଯାଇ ନାହିଁ। ଏପରିକି ସୁରକ୍ଷା ଆଲାର୍ମ କାମ କରୁନଥିଲା। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ପରବର୍ତ୍ତି ସମୟରେ ଜଣେ ନର୍ସ ଦିଆସିଲି ଲଗାଉଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି।
ଅନେକ ଘଟଣା ହୋଇଛି ଉଜ୍ଜିବିତ:
ଗତ କିଛି ବର୍ଷ ମଧ୍ୟରେ ଦେଶର ଅନେକ ଡାକ୍ତରଖାନାରେ ଏଭଳି ଦୁର୍ଘଟଣା ଘଟିଛି। ଯେଉଁଠାରେ ଡାକ୍ତରଖାନାରେ ନିଆଁ ଲାଗି ରୋଗୀମାନେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣା ପ୍ରତ୍ୟେକ ଥର ବ୍ୟବସ୍ଥାକୁ ଦାୟି କରାଯାଇଛି। ଦୁଃଖର ବିଷୟ, ଏହି ଦୁର୍ଘଟଣାରୁ କେହି କି କୌଣସି ଶିକ୍ଷା ଗ୍ରହଣ କରୁପାରୁ ନାହାନ୍ତି ବରଂ ଏହିପରି ଭାବେ ବ୍ୟବସ୍ଥାର ଅବହେଳା ଜାରି ରହିଛି। ଯାହାର ମୂଲ୍ୟସ୍ବରୁପ ନିରୀହ ଲୋକଙ୍କ ଜୀବନ ଯାଉଛି।
୦୨ ଫେବୃଆରୀ ୨୦୧୦:
ହାଇଦ୍ରାବାଦର ସୋମାଜିଗୁଡାସ୍ଥିତ ପାର୍କ ହେଲଥ କେୟାର ହସ୍ପିଟାଲରେ ଅଗ୍ନିକାଣ୍ଡରେ ଦୁଇ ନର୍ସଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଅନ୍ୟ ୩୮ ଜଣ ଆହତ ହୋଇଥିଲେ। ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ, ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଯେଉଁ କାରଣରୁ ନିଆଁକୁ ନିୟନ୍ତ୍ରଣ କରାଯାଇପାରିନଥିଲା ଏବଂ ଏତେ ବଡ଼ ଦୁର୍ଘଟଣା ଘଟିଥିଲା।
୦୮ ଡିସେମ୍ବର ୨୦୧୬:
ବିଜୟୱାଡାର ସୁର୍ଯ୍ୟରାଓପେଟର ନକ୍କଲ ରୋଡ ସ୍ଥିତ ଶ୍ରୀଦେବୀ ଚକ୍ଷୁ ହସ୍ପିଟାଲର ୟୁପିଏସ୍ ୟୁନିଟରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ଔଷଧ, ଯନ୍ତ୍ରପାତି ଏବଂ ଆସବାବପତ୍ର ସମେତ ପ୍ରାୟ ୧୨ ଲକ୍ଷ ଟଙ୍କା ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଦୁର୍ଘଟଣାରେ କୌଣସି କ୍ଷତାହତ ହୋଇନଥିଲା।
୦୨ ଜାନୁଆରୀ ୨୦୧୭:
ବିଜୟୱାଡାର ସାଣ୍ଟିନି ସୁପର ସ୍ପେସିଆଲିଟି ହସ୍ପିଟାଲର ୟୁପିଏସ୍ ରୁମରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଯେଉଁ କାରଣରୁ ଲୋକମାନେ ବିଲଡିଂ ଭିତରେ ଫସି ରହିଥିଲେ। ଧୂଆଁ ବାହାର କରିବା ପାଇଁ ଝରକା କାଚ ଭାଙ୍ଗିବାକୁ ପଡ଼ିଥିଲା ଏବଂ ପ୍ରାୟ ୫୦ ରୋଗୀଙ୍କୁ ବାହାରକୁ ବାହାର କରାଯାଇଥିଲା। ଏହି ଘଟଣାରେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ଘଟିଥିଲା।
୦୩ ମେ ୨୦୧୮:
ଗୁଣ୍ଟୁର ସରକାରୀ ଡାକ୍ତରଖାନାର ଆଇସିୟୁରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ସମୟରେ ପ୍ରାୟ ୧୨ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ହସ୍ପିଟାଲର କର୍ମଚାରୀମାନେ ନିଆଁକୁ ଠିକ୍ ସମୟରେ ଲିଭାଇ ରୋଗୀଙ୍କ ଜୀବନ ରକ୍ଷା କରିଥିଲେ। ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିଲା।
୨୭ ସେପ୍ଟେମ୍ବର ୨୦୧୮:
ଉତ୍ତର ତେଲେଙ୍ଗାନାର ଏମ୍ଜିଏମ୍ ହସ୍ପିଟାଲର ଏନ୍ଆଇସିୟୁ ୱାର୍ଡରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ୱାର୍ଡ ଭିତରେ ପ୍ରାୟ ୨୩ ନବଜାତ ଶିଶୁ ଥିଲେ। ନିଆଁ ଲାଗିବା ପରେ ଏସିରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା, ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ନବଜାତ ଶିଶୁମାନଙ୍କୁ ତୁରନ୍ତ ୱାର୍ଡରୁ ବାହାରକୁ ନିଆଯାଇଥିଲା। ଏହି ଦୁର୍ଘଟଣାରେ ୨୩ଜଣ ଶିଶୁଙ୍କର ଜୀବନ ଅଳ୍ପକେ ବଞ୍ଚିଯାଇଥିଲା।
୦୮ ଅଗଷ୍ଟ ୨୦୧୯:
୨୦୧୯ରେ, ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲର ତୃତୀୟ ମହଲାର ଅପରେଟିଭ୍ ପେଡିଆଟ୍ରିକ୍ ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ପୁରା ୱାର୍ଡ ପୋଡି ପାଉଁଶ ହୋଇଯାଇଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିଲେ। ତେବେ ସମ୍ପତ୍ତିରେ ବହୁ କ୍ଷୟକ୍ଷତି ହୋଇଥିଲା।
୨୫ ମେ' ୨୦୨୪:
ଚଳିତ ବର୍ଷ ମେ ମାସରେ ଦିଲ୍ଲୀର ବିବେକ ବିହାର ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ୭ ଜଣ ନବଜାତ ଶିଶୁ ପୋଡି ପାଉଁଶ ହୋଇଯାଇଥିଲେ। ଘଟଣା ସମୟରେ ୧୨ ଜଣ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।