ଲକ୍ଷ୍ନୌ,୧୬/୧୧: ଦେଶକୁ ଦୋହଲାଇ ଦେଇଛି ଉତ୍ତରପ୍ରଦେଶ ଝାନ୍ସି ମେଡିକାଲ କଲେଜରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡ । ହସ୍ପିଟାଲରେ ନିଆଁ ଲାଗି ଜୀବନ୍ତ ଜଳି ଯାଇଛନ୍ତି ୧୦ ନବଜାତକ ଶିଶୁ । ଅନେକ ଶିଶୁଙ୍କ ଅବସ୍ଥା ଗୁରୁତର ଅଛନ୍ତି । ଘଟଣାକୁ ନେଇ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଦୁନିଆ କଣ ଜାଣିନଥିବା ନିରୀହ ଜୀବନ ଦୁନିଆରୁ ବିଦାୟ ନେଇଛନ୍ତି । କାହାର ତ୍ରୁଟି ପାଇଁ ଭୟଙ୍କର ଅଘଟଣ ଘଟିଲା । ଏଥିପାଇଁ କିଏ ଦାୟୀ । ପ୍ରଥମରୁ ଏହା ପଛରେ ସର୍ଟ ସର୍କିଟ ହୋଇଥିବା କୁହାଯାଉଥିଲା ମାତ୍ର ଏହା ପଛରେ ଅନ୍ୟ କିଛି କାରଣ ଥିବା ଜଣାପଡିଛି ।
ନର୍ସ ଦିଆସିଲି ଲଗାଇବାରୁ ଘଟିଲା ଅଘଟଣ- ଦୁର୍ଘଟଣା ଘଟିବା ସମୟରେ ସେଠିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଘଟଣାକୁ ବଡ କଥା କହିଛନ୍ତି । ଭଗବାନ ଦାସ ନାମକ ଜଣେ ବ୍ୟକ୍ତି କହିଛନ୍ତି, ମୋ ଆଖି ସାମ୍ନାରେ ଅଗ୍ନିକାଣ୍ଡ ଘଟିଛି । ମୋ ନାତି ଏହି ମେଡିକାଲରେ ଭର୍ତ୍ତି ହୋଇଛି । ଶିଶୁ ୱାର୍ଡରେ ଏକ ଅକ୍ସିଜେନ ସିଲିଣ୍ଡର ପାଇପ ଲଗାଇବାକୁ ଦିଆସିଲି ଲଗାଇଥିଲେ । ଏହି ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ସମ୍ପୂର୍ଣ୍ଣ ୱାର୍ଡକୁ ବ୍ୟାପି ଯାଇଥିଲା । ମୁଁ ୩ ରୁ୪ ଜଣ ଶିଶୁକୁ କୋଳରେ ଆଣି ବଞ୍ଚେଇଥିଲି ।
୪ ବର୍ଷ ହେବ ଖରାପ ହୋଇ ପଡିଛି ନିଆଁ ଲିଭା ସିଲିଣ୍ଡର- ଆଶ୍ଚର୍ଯ୍ୟକର ଘଟଣା ଯେ ନିଆଁ ଲାଗିବା ସମୟରେ ଫାୟାର ଆଲାରାମ ବାଜି ନଥିଲା । ୱାର୍ଡ ବାହାରେ ଲାଗିଥିବା ନିଆଁ ଲିଭା ସିଲିଣ୍ଡରରେ ୨୦୧୯ରେ ଫିଲିଙ୍ଗ ତାରିଖ ରହିଛି । ଏକ୍ସପାୟରୀ ତାରିଖ ୨୦୨୦ ରହିଛି । ୪ ବର୍ଷ ହେବ ଖରାପ ହୋଇ ପଡିଛି ନିଆଁ ଲିଭା ସିଲିଣ୍ଡର । ମହାରାଣୀ ଲକ୍ଷ୍ନୀବାଈ ମେଡିକାଲ କଲେଜ ବୁନ୍ଦେଲଖଣ୍ଡ ଅଞ୍ଚଳର ସବୁଠୁ ବଡ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜ । ପ୍ରତିଦିନ ଏଠାକୁ ହଜାର ହଜାର ସଂଖ୍ୟାରେ ରୋଗୀ ଆସିଥାନ୍ତି । ଏତେ ବଡ ହସ୍ପିଟାଲରେ ଏପରି ଚରମ ଅବହେଳା କିପରି ହେଲା ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଭୟଙ୍କର ଅଗ୍ନିକାଣ୍ଡକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତ ଶିଶୁଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଗୁରୁତର ଶିଶୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ମୃତ ଶିଶୁଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଘଟଣାର ତଦନ୍ତ କରି ୧୨ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ।