ନୂଆଦିଲ୍ଲୀ,୧୩/୦୨: ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ଗଣ୍ଡୱାର ଗାଁରେ ଦନ୍ତା ଆତଙ୍କ। ହାତୀ ଆକ୍ରମଣରେ ଗୋଟିଏ ପରିବାରର ୪ ଜଣଙ୍କ ସମେତ ୬ ମୃତ। ସେହିପରି ଜଣେ ଶିଶୁ ଗୁରୁତର ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘରେ ଶୋଇଥିବାବେଳେ ଭୋର୍ ସମୟରେ ଏହି ଅଘଟଣ ଘଟିଛି।

ଆହୁରି ପଢନ୍ତୁ- କେନ୍ଦ୍ରାପଡ଼ା ଅଙ୍ଗନବାଡ଼ିରେ ଦଳିତ ସହାୟିକାଙ୍କ ରନ୍ଧାଖାଦ୍ୟ ନ ଖାଇବା ଘଟଣା: ରାଜ୍ୟସଭାରେ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଲେ ଖଡ଼ଗେ​​​​​​​

ଗତ କିଛି ଦିନ ଧରି ହାତୀ ପଲ ଧନଜୀବନ ନଷ୍ଟ କରୁଥିବାର ଅନେକ ଖବର ମିଳିଛି। ସ୍ଥାନୀୟ ବାସିନ୍ଦା ଏହି ହାତୀମାନଙ୍କୁ ଘଉଡାଇବା  ପାଇଁ ପ୍ରଶାସନ ନିକଟରେ ଦାବି କରିଆସୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ମିଳିନାହିଁ।   ଚର୍ଚ୍ଚୁ ବ୍ଲକର ସ୍ଥାନୀୟ ଲୋକମାନେ ରିପୋର୍ଟ କରିଛନ୍ତି ଯେ, ଗତ କିଛି ସପ୍ତାହ ମଧ୍ୟରେ ହାତୀମାନେ ପୃଥକ ପୃଥକ ସ୍ଥାନରେ ଅନେକ ଗ୍ରାମବାସୀଙ୍କୁ ଦଳି ମାରି ଦେଇଛନ୍ତି। ସେହିପରି  ଗତକାଲି ରାତିରେ ହାତୀମାନଙ୍କ ଦ୍ୱାରା ସେହି ଗାଁର ୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ୧୮ରୁ ଅଧିକ ଏକ ହାତୀପଲ ଏଠାରେ ସକ୍ରିୟ ଅଛନ୍ତି, ଘର ଏବଂ ଫସଲ ନଷ୍ଟ କରୁଛନ୍ତି।


ଅନେକ ବର୍ଷ ଧରି ହଜାରୀବାଗ ଜିଲ୍ଲାର ଚର୍ଚ୍ଚୁ ବ୍ଲକ ଅଞ୍ଚଳରେ ହାତୀ ଆତଙ୍କର ସ୍ଥାୟୀ ସମାଧାନ ମିଳିପାରିନାହିଁ। ପ୍ରତିବର୍ଷ ହାତୀ ଆକ୍ରମଣରେ ଶହ ଶହ ଲୋକ ପ୍ରଭାବିତ ହେଉଛନ୍ତି ଏବଂ ଅନେକ ଲୋକ ଜୀବନ ମଧ୍ୟ ହରାଇଛନ୍ତି। ବନ ବିଭାଗ ଏବଂ ପ୍ରଶାସନର ଅକ୍ଳାନ୍ତ ପ୍ରୟାସ ସତ୍ତ୍ୱେ ଜୀବନ ଏବଂ ସମ୍ପତ୍ତିର କ୍ଷତି ନିରନ୍ତର ଚାଲିଛି। ହାତୀ ଆକ୍ରମଣରେ ଗ୍ରାମବାସୀଙ୍କ ଘର, ଫସଲ ଏବଂ ଗଚ୍ଛିତ ଶସ୍ୟର ବହୁ କ୍ଷତି ହେଉଛି।