ନୂଆଦିଲ୍ଲୀ : ମଙ୍ଗଳବାର ଜେଏନୟୁ କହିଛି ଯେ, ସେହି ଛାତ୍ରମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ,ଯେଉଁମାନେ ଜାନୁଆରୀ ୨୦୨୦ରେ କ୍ୟାମ୍ପସରେ ହୋଇଥିବା ହିଂସାକୁ ନିନ୍ଦା କରିବା ପାଇଁ ଆୟୋଜିତ ପ୍ରତିବାଦ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ଅଭିଯୁକ୍ତ ଛାତ୍ରମାନଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି। ଏଥିରେ କୁହାଯାଇଛି ଯେ ଏପରି କାର୍ଯ୍ୟ ସାମ୍ବିଧାନିକ ପ୍ରତିଷ୍ଠାନ ପ୍ରତି ଜାଣିଶୁଣି ଅସମ୍ମାନ ପ୍ରଦର୍ଶନ କରେ। ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭିଯୁକ୍ତ ଛାତ୍ରମାନଙ୍କୁ ବହିଷ୍କାର କରାଯିବ କିମ୍ବା ନିଲମ୍ବିତ କରାଯାଇ ପାରେ।
ଏହାସହ ମଧ୍ୟ ପଢନ୍ତୁ : ଆମେରିକା ବିରୋଧରେ ଏକାଠି ହେଲେ ଜର୍ମାନୀ , ଫ୍ରାନ୍ସ ସମେତ ୭ ଦେଶ ; ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡ ଦଖଲ କରିବାକୁ ଧମକର ଦେଲେ ଜବାବ
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ପ୍ରଶାସନ ମଙ୍ଗଳବାର ଏକ୍ସରେ ନିଜର ଏକ ପୋଷ୍ଟରେ କହିଛନ୍ତି ଯେ, ସୋମବାର କ୍ୟାମ୍ପସରେ ବିରୋଧ ପ୍ରଦର୍ଶନ ବେଳେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୁଦ୍ଧରେ ଆପତ୍ତିଜନକ ଏବଂ ଉତ୍ତେଜନାମୂଳକ ସ୍ଲୋଗାନ ଦେଇଥିବା ଅଭିଯୁକ୍ତ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣା ସମ୍ପର୍କରେ ପୂର୍ବରୁ ହିଁ ଏଫଆଇଆର ପଞ୍ଜୀକୃତ କରାଯାଇ ସାରିଛି।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ , ବିଶ୍ୱବିଦ୍ୟାଳୟ ସ୍ପଷ୍ଟ ଭାବେ କହିଛି ଯେ, ବିଶ୍ୱବିଦ୍ୟାଳୟକୁ ଘୃଣାର ପ୍ରୟୋଗଶାଳା ହେବାକୁ ଦିଆଯିବ ନାହିଁ। ଉକ୍ତ ଘଟଣାରେ ସାମିଲ ଅଭିଯୁକ୍ତ ଛାତ୍ରମାନଙ୍କୁ କଠୋରରୁ କଠୋରତମ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ କରିବାକୁ ପଡ଼ିବ। ଏଥିରେ ତୁରନ୍ତ ନିଲମ୍ୱନ, ବହିଷ୍କାର କିମ୍ବା ସ୍ଥାୟୀ ରୂପେ ବିଶ୍ୱବିଦ୍ୟାଳୟରୁ ବହିଷ୍କାର ଅନ୍ତର୍ଭୁକ୍ତ ହୋଇପାରେ।
ବିଶ୍ୱବିଦ୍ୟାଳୟ କହିଛି ଯେ, ମତବ୍ୟକ୍ତର ସ୍ୱାଧୀନତା ଏକ ମୌଳିକ ଅଧିକାର, କିନ୍ତୁ ବିଶ୍ବବିଦ୍ୟାଳୟକୁ ଘୃଣାର ପ୍ରୟୋଗଶାଳା ହେବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ବିଶ୍ୱବିଦ୍ୟାଳୟ ଶିକ୍ଷା ଏବଂ ନବସୃଜନର କେନ୍ଦ୍ର। କୌଣସି ପ୍ରକାରର ହିଂସା, ବେଆଇନ ଆଚରଣ କିମ୍ବା ଜାତୀୟ ଏକତାକୁ ଦୁର୍ବଳ କରୁଥିବା କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ।
ଅନ୍ୟପଟେ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ ଜାରି ଏକ ବିବୃତ୍ତିରେ କୁହାଯାଇଛି- ଏପରି କାର୍ଯ୍ୟ ସାମ୍ବିଧାନିକ ପ୍ରତିଷ୍ଠାନ ଏବଂ ସଭ୍ୟ ଓ ଗଣତାନ୍ତ୍ରିକ ଆଲୋଚନାର ପ୍ରତିଷ୍ଠିତ ମାନଦଣ୍ଡ ପ୍ରତି ଜାଣିଶୁଣି ଅସମ୍ମାନ ପ୍ରଦର୍ଶନ କରେ। ଛାତ୍ରମାନଙ୍କୁ ଅସହମତି, ଅପମାନଜନକ ଟିପ୍ପଣୀ ଏବଂ ଘୃଣାପୂର୍ଣ୍ଣ ଭାଷଣ ମଧ୍ୟରେ ପାର୍ଥକ୍ୟ ବୁଝିବା ଉଚିତ।