ଭୁବନେଶ୍ୱର,୧୬/୦୯: ମୁଁ ନାଲକୋରେ ଏଜିଏମ୍ ଅଛି । ତୁମ ପୁଅକୁ ଚାହିଁଲେ ନାଲକୋରେ ଚାକିରି କରାଇଦେବି । ଏଭଳି ମିଥ୍ୟା ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଧୂର୍ତ୍ତକୁ ଗିରଫ କରିଛି ବଡ଼ଗଡ଼ ଥାନା ପୁଲିସ । ତା ନାମ ବୁଟୁ ଓରଫ ନରେଶ ବାରିକ(୫) । ଘର ଚନ୍ଦ୍ରଶେଖରପୁର ପ୍ରଗତିବିହାର । ପୁଲିସ ନରେଶ ଠାରୁ ନକଲି ନିଯୁକ୍ତିପତ୍ର, ନକଲି ପରିଚୟପତ୍ର, ୨ଟି ଚେକ୍ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି ।
ପୁଲିସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ସର୍ବେଶ୍ୱର ସାମଲ ତାଙ୍କ ପୁଅର ଚାକିରି ପାଇଁ ବିଭିନ୍ନ ଲୋକଙ୍କ ସହ ଯୋଗାଯୋଗ କରୁଥିଲେ । ୨୦୨୧ ମସିହାରେ ତାଙ୍କର ନରେଶ ସହ ସଂପର୍କ ହୋଇଥିଲା । ନରେଶ ନିଜକୁ ନାଲକୋର ଏଜିଏମ୍ ବୋଲି ପରିଚୟ ଦେବା ସହ ତୁମ ପୁଅକୁ ମୋଟା ଦରମାରେ ନାଲକୋରେ ଚାକିରି କରାଇ ଦେବି ବୋଲି କହିଥିଲା । ଏଥିପାଇଁ ତାଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା । ସର୍ବେଶ୍ୱର ୧୮ ଲକ୍ଷ ଟଙ୍କା ଯୋଗାଡ଼ କରି ନରେଶକୁ ଦେଇଥିଲେ । ଅବଶିଷ୍ଟ ୨ ଲକ୍ଷ ଟଙ୍କା ଚାକିରି ହେବାପରେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ନରେଶ ସର୍ବେଶ୍ୱରଙ୍କ ପୁଅକୁ ଏକ ଜାଲ ନିଯୁକ୍ତିପତ୍ର ଧରାଇ ଦେଇଥିଲା । ସର୍ବେଶ୍ୱରଙ୍କ ପୁଅ ଉକ୍ତ ନିଯୁକ୍ତିପତ୍ରକୁ ନେଇ ନାଲକୋ ଅଫିସରେ ଦେଖାଇବା ସମୟରେ ସେଗୁଡ଼ିକ ଜାଲ୍ ବୋଲି ଜଣା ପଡ଼ିଥିଲା ।
ଏହା ସର୍ବେଶ୍ୱର ଜାଣିବା ପରେ ନରେଶକୁ ଯୋଗାଯୋଗ କରିଥିଲେ । ହେଲେ ନରେଶ ଆଉ ତାଙ୍କୁ ଧରାଛୁଆଁ ଦେଇ ନଥିଲା । ଠକାମୀର ଶିକାର ହୋଇଥିବା ସର୍ବେଶ୍ୱର ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ଠକେଇ ମାମଲା ରୁଜୁକରି ତନାଘନା ଚଳାଇଥିଲା । ଆଜି ପୁଲିସ ନରେଶକୁ ଗିରଫ କରିବାରେ ସଫଳ ହୋଇଥିଲା । ତାଠାରୁ ନକଲି ନିଯୁକ୍ତିପତ୍ର, ନକଲି ପରିଚୟପତ୍ର ସମେତ ଅନ୍ୟାନ୍ୟ କାଗଜପତ୍ର ଜବତ କରା ଯାଇଥିଲା । ଅପରାହ୍ଣରେ ନରେଶକୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ନରେଶ ଏପରି କେତେ ଲୋକଙ୍କୁ ଠକିଛି, ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଆବଶ୍ୟକ ପଡ଼ିଲେ ତାକୁ ରିମାଣ୍ଡରେ ଆଣି ଅଧିକ ଜେରା କରାଯିବ ବୋଲି ପୁଲିସ କହିଛ