ନୂଆଦିଲ୍ଲୀ: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ଥର ରାଷ୍ଟ୍ରପତି ହେବା ପରେ ଜୋ ବାଇଡେନଙ୍କୁ ବିଦାୟ ନେବାକୁ ପଡ଼ିଛି । ହ୍ବାଇଟ ହାଉସ୍‌ ଛାଡ଼ିବା ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ ପତ୍ନୀ ଜିଲ୍‌ ବାଇଡେନଙ୍କ ସହ ଏକ ସେଲ୍ଫି ନେଇଛନ୍ତି । ବାଇଡେନ୍‌ ହ୍ବାଇଟ ହାଉସ୍‌ରେ ଶେଷ ସେଲ୍ଫି ନେଇଥିବା କୁହାଯାଉଛି । ହ୍ବାଇଟ ହାଉସ୍‌ ସାମ୍ନାରେ ବାଇଡେନ୍‌ ଦମ୍ପତି ସେଲ୍ଫି ନେଇଥିବା ବେଳେ ଏହାକୁ ଆମେରିକା ରାଷ୍ଟ୍ରପତିଙ୍କ ଏକ୍ସ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । 




ଏଥିରେ ବାଇଡେନ୍‌ କ୍ୟାପ୍ସନ ଦେଇଛନ୍ତି, ‘ରାସ୍ତା ପାଇଁ ଆଉ ଏକ ସେଲ୍ଫି । ଆମେ ତୁମକୁ ଭଲ ପାଉଛୁ, ଆମେରିକା ।’ ଏହା ପରେ ଏକ୍ସ ୟୁଜର ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଏକ୍ସ ୟୁଜର ଲେଖିଛନ୍ତି, ଦୁଇ ମହାନ ବ୍ୟକ୍ତିଙ୍କୁ ଆମେରିକା ଝୁରିବ । ଆପଣ ହ୍ବାଇଟ ହାଉସ୍‌କୁ ଭଦ୍ରତା ଆଣିଛନ୍ତି । ତେବେ ବିଦାୟୀ ରାଷ୍ଟ୍ରପତିଙ୍କ ଏହି ସେଲ୍ଫିକୁ କେତେକ ୟୁଜର୍ସ ମଧ୍ୟ ସମାଲୋଚନା କରିଥିବା ଦେଖିବାକୁ ମିଳିଛି । 


ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ଆଜି (ସୋମବାର) ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଆଜିର ଏହି ସମାରୋହରେ ବହୁ ଦେଶର ରାଷ୍ଟ୍ର ମୁଖ୍ୟ ଏବଂ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ରହିଛନ୍ତି । ତେବେ ଟ୍ରମ୍ପ ପୁଣି ଥରେ ହ୍ବାଇଟ ହାଉସ୍‌କୁ ଫେରିଥିବା ବେଳେ ତାଙ୍କର ଆଗାମୀ କାର୍ଯ୍ୟ ପନ୍ଥା ଉପରେ ସମଗ୍ର ବିଶ୍ବର ନଜର ରହିବ ।