ମାଲକାନଗିରି,୨୭/୧୨ : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କୁ ଶନିବାର ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଗତକାଲି ମାଲକାନଗିରି ବ୍ଲକର କନିଷ୍ଟ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ବ୍ଲକ ଅଫିସ ସହ ୪ଟି ସ୍ଥାନରେ ଥିବା ଘର ଉପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ଉ କରା ଯାଇଥିଲା। ଏହି ଚଢ଼ଉରେ ନଗଦ ୨ଲକ୍ଷ ୧୧ହଜାର ଟଙ୍କା, ଏକ ତିନି ମହଲା ବିଶିଷ୍ଟ ପ୍ରାସାଦପୂର୍ଣ୍ଣ କୋଠା ଘର , ୮ଟି ମୂଲ୍ୟବାନ ଜମି ପ୍ଲଟ୍ ଏବଂ ଏକ ଦାମୀ କାର ମିଳିଥିଲା । ଏ ଗୁଡ଼ିକର ମୂଲ୍ୟ ପ୍ରାୟ ୩କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ । ଭିଜିଲାନ୍ସ ଅଧିକାରୀଙ୍କ ଜେରା ସମୟରେ ଯାହା ସେ ଏ ଗୁଡ଼ିକର ସନ୍ତୋଷଜନକ ଭାବେ ହିସାବ ଦେଇପାରି ନ ଥିଲେ।

ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଗତକାଲିଠାରୁ ଜେଇ ଶ୍ରୀ ସରକାରଙ୍କୁ ଭିଜିଲାନ୍ସ କାର୍ଯ୍ୟଳୟରେ ଅଟକ ରଖାଯାଇ ତଦନ୍ତ ଚାଲିଥିଲା। ସେ ନିଜ ରୋଜଗାରଠାରୁ ବେଆଇନ ଭାବେ ଅଧିକ ସମ୍ପତି ଠୁଳ କରିଥିବା ପ୍ରମାଣ ମିଳିବା ପରେ କନିଷ୍ଠ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇ ଆଜି ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତକୁ ପଠାଇ ଦିଆଯାଇଛି । ଯନ୍ତ୍ରୀଙ୍କ ଗିରଫ ପରେ ବିରି ମାଡ଼ରେ କୋଳଥ ଚେପା ପରି ଜିଲ୍ଲାରେ ଥିବା ଅନ୍ୟ ବିଭାଗର ଦୁର୍ନୀତି ପୂର୍ଣ୍ଣ ଯନ୍ତ୍ରୀମାନେ ଭୟଭୀତ ହୋଇଯାଇଥିବା ଶୁଣିବାକୁ ମିଳୁଛି।