ନୂଆଦିଲ୍ଲୀ ୦୫/୦୭: ଶୁକ୍ରବାର ବିଶ୍ୱସ୍ତରରେ ମୁକ୍ତିଲାଭ କରିଛି ବ୍ଲକ୍‌ବଷ୍ଟର ‘ଜୁରାସିକ୍‌ ପାର୍କ’ ଫ୍ରାଞ୍ଚାଇଜିର ନୂଆ ଫିଲ୍ମ ‘ଜୁରାସିକ୍‌ ୱର୍ଲଡ୍‌ ରିବାର୍ଥ’ । ଫିଲ୍ମର ୭ମ ସଂସ୍କରଣ ନୂଆ ଚରିତ୍ର ଓ ଟିମ୍‌ ସହିତ ପରଦାକୁ ଆସିଛି । ନିର୍ଦ୍ଦେଶନା ଦେଇଛନ୍ତି ଗାରେଥ ଏଡ୍‌ୱାର୍ଡସ ଓ କାହାଣୀ ଲେଖିଛନ୍ତି ଡେଭିଡ୍‌ କୋଏପ । ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଛନ୍ତି ସ୍କାର୍ଲେଟ୍‌ ଜୋହାନସନ୍‌ ଯିଏକି ଜଣେ ଗୁପ୍ତ ବିଶେଷଜ୍ଞ ଜୋରା ବେନେଟ୍‌ ଭୂମିକାରେ ଅଭିନୟ କରିଛନ୍ତି । ଜୋନାଥନ୍‌ ବେଲି ଜୀବାଶ୍ମବିଜ୍ଞାନୀ ହେନରୀ ଲୁମିସ୍‌ ଭୂମିକା ପ୍ଲେ କରିଛନ୍ତି । ମାହେରଶାଲା ଅଲି ସମୁଦ୍ର କ୍ୟାପ୍ଟେନ ଡନ୍‌କାନ କିନ୍‌କେଡ୍‌ ଚରିତ୍ର ନିର୍ବାହ କରିଛନ୍ତି । 

ତେବେ ପୂର୍ବ ସଂସ୍କରଣଗୁଡ଼ିକର କୌଣସି ଚରିତ୍ର ଏଥିରେ ନାହାନ୍ତି । କାହାଣୀ ମଧ୍ୟ ପୂରାପୂରି ସ୍ୱତନ୍ତ୍ର । ‘ଜୁରାସିକ୍‌ ୱର୍ଲଡ୍‌ ଡୋମିନିୟନ୍‌’ର ୫ ବର୍ଷ ପରର କାହାଣୀ ଦର୍ଶାଇଛି ‘ଜୁରାସିକ୍‌ ୱର୍ଲଡ୍‌ ରିବାର୍ଥ’ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍‌ କ୍ରେଜ୍‌ ରହିଛି । ଗତ ୨ ତାରିଖରେ ଫିଲ୍ମର ପ୍ରିମିୟର ଆମେରିକାରେ ହୋଇଥିଲା । ୨୨.୩ କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ । ଫିଲ୍ମ ଦେଖିବା ପରେ ଦର୍ଶକ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ।