ନୂଆଦିଲ୍ଲୀ,୧୧/୧୧: ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା । ଦେଶର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ସଞ୍ଜୀବ ଖାନ୍ନା । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ପଦରେ ସେ ୬ମାସ ଅର୍ଥାତ ୨୦୨୫ ମେ ୧୩ ତାରିଖ ଯାଏ କାର୍ଯ୍ୟ ସମ୍ଭାଳିବେ । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସାମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ ଓ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

୧୯୬୦ ମେ' ୧୪ ତାରିଖରେ ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ଜନ୍ମଗ୍ରହଣ କରିଥିଲେ  । ଦିଲ୍ଲୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଲ ସେଣ୍ଟରରୁ ଆଇନ ପାଠପଢା ଶେଷ କରିଥିଲେ । ଏହାପରେ ୧୯୮୩ରେ ଦିଲ୍ଲୀ ବାର କାଉନସିଲରେ ଯୋଗ ଦେଇ ଓକିଲାତି ଜୀବନ ଆରମ୍ଭ କରିଥିଲେ । ସମ୍ବିଧାନିକ ଆଇନ, ଟିକସ, ମଧ୍ୟସ୍ଥତା ଆଇନ, ବାଣିଜ୍ୟକ ଆଇନ ଉପରେ ତାଙ୍କର ଅଭିଜ୍ଞତା ରହିଛି । ୨୦୧୯ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ନିର୍ବାଚନ ବଣ୍ଡ ରଦ୍ଦଠୁ ଆରମ୍ଭ କରି ଇଭିଏମର ସ୍ବଚ୍ଛତା ଏବଂ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ସହ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କୁ ଜାମିନ ପ୍ରଦାନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ଦେଶର ୫୧ତମ ପ୍ରଧାନ ବିଚାରପତି ନେଇ ସଞ୍ଜୀବ ଖନ୍ନାଙ୍କ ନାମ ଡିୱାଇ ଚନ୍ଦ୍ରଚୂଡ ସୁପାରିଶ କରିଥିଲେ  । ନଭେମ୍ବର ୧୦ ତାରିଖରେ ଅବସର ନେଇଥିଲେ ଡିୱାଇ ଚନ୍ଦ୍ରଚୂଡ । ସୁପ୍ରିମକୋର୍ଟର ବରିଷ୍ଠତା ନିୟମ ଅନୁଯାୟୀ ୨୦୨୫ ମେ ୧୩ ତାରିଖ ତାଙ୍କର ଶେଷ କାର୍ଯ୍ୟଦିବସ ରହିବ ।