ନୂଆଦିଲ୍ଲୀ,୨୪/୧୧: ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ୧୫ ମାସ ପର୍ଯ୍ୟନ୍ତ ସିଜେଆଇ ରହିବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ।
ଗତ ଅକ୍ଟୋବର ୩୦ରେ ରାଷ୍ଟ୍ରପତି ତାଙ୍କୁ ନିଯୁକ୍ତି ଦେଇଥିଲେ । ଜଷ୍ଟିସ୍ ବି.ଆର ଗଭଇଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ୧୫ ମାସ ପର୍ଯ୍ୟନ୍ତ ଅର୍ଥାତ ୨୦୨୭ ଫେବ୍ରୁଆରୀ ୯ ପର୍ଯ୍ୟନ୍ତ ସିଜେଆଇ ରହିବେ । ୧୯୬୨ ଫେବ୍ରୁଆରୀ ୧୦ରେ ହରିୟାଣାର ହିସାର ଠାରେ ଜନ୍ମିତ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କୁରୁକ୍ଷେତ୍ର ୟୁନିଭର୍ସିଟିରୁ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଓକିଲାତି ଆରମ୍ଭ କରିଥିଲେ । ୨୦୦୦ ମସିହାରେ ତାଙ୍କୁ ହରିୟାଣାର ଆଡଭୋକେଟ ଜେନେରାଲ ନିଯୁକ୍ତ କରାଯାଇଥିଲା । ୨୦୦୪ରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ସ୍ଥାୟୀ ବିଚାରପତି ନିଯୁକ୍ତ ହୋଇଥିଲେ । ୨୦୧୮ରେ ତାଙ୍କୁ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଥିଲା । ୨୦୧୯ ମେ ୨୪ରେ ତାଙ୍କୁ ପଦୋନ୍ନତି ଦିଆଯାଇ ସୁପ୍ରିମକୋର୍ଟରେ ନିଯୁକ୍ତି ଦିଆଯାଇଥିଲା ।
#WATCH | Delhi: Justice Surya Kant takes oath as the Chief Justice of India, at Rashtrapati Bhavan. President Droupadi Murmu administers the oath to him.
— ANI (@ANI) November 24, 2025
(Video: DD News) pic.twitter.com/ZGpcknj7G8
ସୂର୍ଯ୍ୟକାନ୍ତଙ୍କୁ ଆଲିଙ୍ଗନ କଲେ ଗଭଇ- ଶପଥ ଗ୍ରହଣ କରିବା ପରେ ସମସ୍ତଙ୍କୁ ଭେଟିଥିଲେ ନୂଆ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ସମସ୍ତଙ୍କୁ ହାତ ଯୋଡ଼ିବା ସହିତ ହାତ ମିଳାଇଥିଲେ । ଏହି ସମୟରେ ପୂର୍ବତନ ସିଜେଆଇ ବିଆର ଗଭଇଙ୍କ ପାଖକୁ ଆସିଥିଲେ ନୂଆ ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ଏହି ସମୟର ବିଆର ଗଭଇ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଛି ।
ଏହି ଶପଥ ଗ୍ରହଣ ସମାରୋହରେ ବିଶ୍ୱର ୬ଟି ଦେଶର ମୁଖ୍ୟ ନ୍ୟାୟାଧୀଶ ଯୋଗ ଦେଇଛନ୍ତି । ଏଥି ସହ ସୁପ୍ରିମକୋର୍ଟର ଇତିହାସରେ ପ୍ରଥମ ଥର ଲାଗି କୌଣସି ସିଜେଆଇଙ୍କ ଶପଥ ଗ୍ରହଣରେ ଏତେ ସଂଖ୍ୟାରେ ଅନ୍ୟ ଦେଶର ନ୍ୟାୟିକ ପ୍ରତିନିଧିମଣ୍ଡଳ ଉପସ୍ଥିତ ରହିଛନ୍ତି । ସମାରୋହରେ ଭୁଟାନ, କେନିୟା, ମାଲେସିଆ, ମରିସସ୍, ନେପାଳ ଏବଂ ଶ୍ରୀଲଙ୍କାର ମୁଖ୍ୟ ନ୍ୟାୟାଧୀଶ, ସୁପ୍ରିମକୋର୍ଟର ବିଚାରପତି ଏବଂ ସେମାନଙ୍କ ପରିବାର ସଦସ୍ୟ ହୋଇଛନ୍ତି ।