ଭବାନୀପାଟଣା, ୩୦/୯ : କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ଵରୀଙ୍କ ଛତର ଯାତ୍ରା ସମ୍ପନ୍ନ। ଗୁପ୍ତ ରୀତିନୀତିରେ ହେଲା ମା'ଙ୍କ ପୂଜାର୍ଚ୍ଚନା। ରକ୍ତ ରଞ୍ଜିତ ହେଲା ଭବାନୀପାଟଣା। ଅହୋରାତ୍ର ମା'ଙ୍କ ପୂଜାର୍ଚ୍ଚନା ସହ ବଳି ପକାଯାଇଛି। ଭୋର୍ ୪ଟା ୪୦ରେ ମା'ଙ୍କ ବିଜୟ ଛତରଯାତ୍ରା ଜେନାଖାଲରୁ ବାହାରି ମୁଖ୍ୟ ରାସ୍ତାରେ ଢୋଲ ନିଶାନର ତାଳେ ତାଳେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଝୁମିଝୁମି ଆସୁଛନ୍ତି। ମାନସିକଧାରୀମାନେ ରସ୍ତାର ଦୁଇ ପାର୍ଶ୍ୱରେ କୁକୁଡ଼ା ବୋଦା ବଳି ଦେଉଛନ୍ତି। ଦିନ ତମାମ ସହର ପରିକ୍ରମା ପରେ ମା'ଙ୍କ ଛତର ମନ୍ଦିରରେ ପହଞ୍ଚିବ।
ପବିତ୍ର ଆଶ୍ୱିନ ମାସରେ ଶାରଦୀୟ ଉତ୍ସବ ଦୁର୍ଗାପୂଜା ଓ ଦଶହରା। ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଇଷ୍ଟଦେବୀ ମା’ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାକୁ ହିଁ ବୁଝାଇଥାଏ। ଭବାନୀପାଟଣା ଠାରେ ଇଷ୍ଟଦେବୀ ମା' ମାଣିକେଶ୍ଵରୀଙ୍କ ପୀଠ। ଏଠାରେ ବୈଦିକ ରୀତିରେ ଷୋଢଶ ଉପଚାରରେ ପୂଜାର୍ଚ୍ଚନା ସହ ଆଦିବାସୀ ସଂସ୍କୃତିର ମିଶ୍ରଣରେ ବିଶେଷ ପୂଜାର୍ଚ୍ଚନାର ଏକ ନିଆରା ପରମ୍ପରା ରହିଛି। ମୂଳାଷ୍ଟମୀଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ଷୋହଳ ଦିନବ୍ୟାପୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ମହା ନବମୀ ତିଥିରେ ଅନୁଷ୍ଠିତ ହୋଇଥାଏ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଦଶ ମହାବିଦ୍ୟାର ପ୍ରଥମ ମହାବିଦ୍ୟା ମହାକାଳୀ ରୂପେ ପୂଜାବିଧି ପ୍ରଚଳିତ । ତେବେ ଆଦିବାସୀ ସଂସ୍କୃତି, ପରମ୍ପରା ସହ ବୈଦିକ ସଂସ୍କୃତିରେ ପରିପୃଷ୍ଟ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନନ୍ୟ ଏବଂ ସମଗ୍ର ପୃଥିବୀରେ ଏକ ସ୍ୱତନ୍ତ୍ର ଯାତ୍ରା। ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ(ମୂଳାଷ୍ଟମୀ) ତିଥିରେ ମାଣିକେଶ୍ୱରୀଙ୍କ ମୁଣ୍ଡବସା ପର୍ବରୁ ଦଶହରା ଯାତ୍ରାର ଶୁଭାରମ୍ଭ ହୋଇ ୧୬ଦିନ ଧରି ମହାଷ୍ଟମୀ ପର୍ଯ୍ୟନ୍ତ ତନ୍ତ୍ରୋକ୍ତ ରୀତିରେ ଷୋଢଶ ଉପଚାର ଓ ତ୍ରିକାଳ ଚଣ୍ଡିପାଠ ପରେ ମହାନବମୀ ତିଥିର ପ୍ରତ୍ୟୁଷରୁ ପ୍ରସିଦ୍ଧ ଛତର ଯାତ୍ରା ଏବଂ ବିଜୟା ଦଶମୀ ତିଥିରେ ଲାଖମରା ପର୍ବ ବା ବାହୁଡ଼ା ଛତର ଯାତ୍ରା ସହ ଉଦ୍ଯାପିତ ହୋଇଥାଏ । ମହାଷ୍ଟମୀର ମଧ୍ୟରାତ୍ରରେ ମାଣିକେଶ୍ୱରୀଙ୍କ ପୀଠରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ମାଆଙ୍କର ବିଜୟ ପ୍ରତିମା ଛତର(ଛତ୍ରକୁ) ମନ୍ଦିରଠାରୁ ପ୍ରାୟ ତିନି କିଲୋମିଟର ଦୂର ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠସ୍ଥ ଫାଶୀ ପାହାଡ ପାଦଦେଶରେ ଥିବା ଜେନାଖାଲକୁ ନିଆଯାଇଥାଏ । ପ୍ରତ୍ୟୁଷରୁ ଜେନାଖାଲରେ ସମ୍ପୂର୍ଣ୍ଣ ଗୁପ୍ତବିଧିରେ ପୂଜାର୍ଚ୍ଚନା କରିସାରି ପୂଜାରୀ, ବାହୁକ, ମୁଣ୍ଡଛିନା ଆଦି ମାଆଙ୍କର ଛତର(ଛତ୍ର)କୁ ଧରି ମନ୍ଦିର ପର୍ଯ୍ୟନ୍ତ ଆସିଥାନ୍ତି। ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜ ମନ୍ଦିରର ସିଂହଦ୍ୱାର ଠାରୁ ମାଆଙ୍କର ଛତରକୁ ସ୍ୱାଗତ କରି ନିଜେ ମନ୍ଦିର ଭିତରକୁ ବୋହି ନେଇଥାନ୍ତି । ଏହାକୁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା କୁହାଯାଏ । ବିଜୟା ଦଶମୀ ତିଥିରେ ପୁଣିଥରେ ମାଆଙ୍କର ଛତର(ଛତ୍ର)କୁ ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠରେ ନକ୍ଟିଗୁଡାଠାରେ ଥିବା ଲାଖମରା ପଡ଼ିଆକୁ ନିଆଯାଇଥାଏ । ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଲାଖବିନ୍ଧା ପର୍ବ ହୋଇଥାଏ ।