ଭୁବନେଶ୍ୱର,୨୦/୧୦: ଓଁ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ । ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱାହା ନମସ୍ତୁତେ... ଆଉ ମାତ୍ର କିଛି ସମୟର ଅପେକ୍ଷା । ଆଲୋକର ପର୍ବ ଦୀପାବଳି ଅବସରରେ ବିରାଜିବେ ନ୍ୟାୟର ଦେବୀ ମା’ ଶ୍ୟାମାକାଳୀ । ମା’ଙ୍କ ଦର୍ଶନ ପାଇଁ ମଣ୍ଡପକୁ ଭକ୍ତଙ୍କ ସୁଅ ଛୁଟିବ । ସୋମବାର ରାତିରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ । ଭୁବନେଶ୍ୱରର ପୁରୁଣା ଷ୍ଟେସନ ବଜାର, ସହିଦନଗର, ପ୍ରେସଛକ, ଲକ୍ଷ୍ମୀସାଗର ବ୍ୟତୀତ ଅନ୍ୟ କିଛି ସ୍ଥାନରେ ମା’କାଳୀଙ୍କ ପୂଜା ବେଶ୍ ଧୁମ୍ଧାମରେ ଆୟୋଜିତ ହେବାକୁ ଯାଉଛି ।
ମୃଣ୍ମୟୀ ମୂର୍ତ୍ତି ସହ ରାଜଧାନୀରେ ଥିବା ବିଭିନ୍ନ ମା’କାଳୀଙ୍କ ପୀଠ ଗୁଡ଼ିକରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜା । ସତ୍ୟନଗର ସତ୍ୟକାଳୀ ମନ୍ଦିରର ପୂଜା ଅନ୍ୟ ମନ୍ଦିରଠୁ ଟିକେ ଭିନ୍ନ ଓ ଅନନ୍ୟ । ସବୁବର୍ଷ ଭଳି ଏଥର ମଧ୍ୟରେ ମା’ଙ୍କ ଭବ୍ୟ ଓ ଦୁର୍ଲଭ ଦଶ ମହାବିଦ୍ୟା ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ । ଚଳିତବର୍ଷ ପୂଜା ୪୬ବର୍ଷରେ ପହଞ୍ଚିଛି । ସୋମବାରଠୁ ୨୯ ତାରିଖ ପର୍ଯ୍ୟନ୍ତ ୧୦ଦିନ ଧରି ମା’ଙ୍କ ପୂଜା କରାଯିବ । ପୂଜା ବିଧି ଅନୁଯାୟୀ ପ୍ରଥମ ଦିନ ରାତିରେ କଳସ ଅଧିବାସ, ମା'ଙ୍କର ଉପଚାର ପୂଜା, ଚଣ୍ଡୀପାଠ, ନିଶାର୍ଦ୍ଧେ ବଳିଦାନ ହେବ । ପ୍ରଥମ ଦିନ ମହାକାଳୀ ବେଶରେ ମା’ପ୍ରକଟ ହେବେ । ୨୨ ତାରିଖରେ ତାରାବେଶ, ୨୨ରେ ଷୋଡ଼ଶୀ ବେଶ, ୨୩ରେ ଭୁବନେଶ୍ୱରୀ ବେଶ, ୨୪ରେ ଭୈରବୀ ବେଶ, ୨୫ରେ ଛିନ୍ନମସ୍ତା ବେଶ, ୨୬ରେ ଧୂମାବତୀ ବେଶ, ୨୭ରେ ବଗଳା ବେଶ, ୨୮ରେ ମାତଙ୍ଗୀ ବେଶ ଓ ୨୯ ମା'ଙ୍କର କମଳା ବେଶରେ ସଜ୍ଜିତ ହେବେ ମା’ । ପୂଜା ଅବସରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୀନାବଜାର ଓ ଦୋଳି ଆଦି ପଡ଼ିବ ବୋଲି ଶ୍ରୀଶ୍ରୀ ସତ୍ୟକାଳୀ ମନ୍ଦିର ପରିଚାଳନା ସମିତିର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ବରମୁଣ୍ଡା ଦକ୍ଷିଣକାଳୀ ମନ୍ଦିରରେ ଆରମ୍ଭ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ । ୭ ଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ଚାଲିବ । ବରମୁଣ୍ଡା ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ଅନୁଯାୟୀ ଶନିବାର ଅଧିବାସ, ଅଙ୍କୁରାରୋପଣ, ଜଳଯାତ୍ରା ଅନୁଷ୍ଠିତ ହେବା ପରେ ୧୦୮ କଳସ ଓ ପାଶ୍ୱର୍ ଦେବଦେବୀଙ୍କ ଉପସ୍ଥତିରେ ଯଜ୍ଞ ଆରମ୍ଭ ହୋଇଛି ।
ଅପରପକ୍ଷେ, ପୁରୁଣା ଷ୍ଟେସନବଜାର ଛକରେ ମାଙ୍କ ପୂଜା ହେବ । ଚଳିତବର୍ଷ ଏହି ପୂଜା ୭୦ବର୍ଷରେ ପହଞ୍ଚିଛି । ଏଥରକ ମା’ କାଳୀଙ୍କ ପ୍ରତିମୂର୍ତ୍ତିରେ ରୂପା ଅଳଙ୍କାର ଶୋଭାପାଇବ । ସୋମବାର ମଧ୍ୟ ରାତ୍ରିରେ ମାଙ୍କ ଆବାହନ କରାଯିବ । ଭକ୍ତଙ୍କୁ ସ୍ୱାଗତ ପାଇଁ ପୂଜା ପେଣ୍ଡାଲ ସାମ୍ନାରେ ବିଶାଳ କାଳ୍ପନିକ ତୋରଣ ମଧ୍ୟ ତିଆରି ହୋଇଛି । ପୂଜା ବେଳେ ତିନିଦିନ ଧରି ମେଲୋଡି କାର୍ଯ୍ୟକ୍ରମ ଚାଲିବ ବୋଲି କମିଟିର ସଭାପତି ଗଣେଶ ପ୍ରସାଦ ସାହୁ ଓ ସମ୍ପାଦକ ଦୀପକ ଜେନା ସୂଚନା ଦେଇଛନ୍ତି । ସେହିପରି ସହିଦନଗରରେ ୨୪ତମ କାଳୀପୂଜା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ ଏହି ପୂଜା ଅବସରରେ ପୂଜା ସହ ମା’ଙ୍କ ବିସର୍ଜନ ଗୋଟିଏ ଦିନରେ ହିଁ ହେବ । କମିଟି ପକ୍ଷରୁ ଗିରିଶ ରଥ କର୍ତ୍ତା ଭାବେ ବସିବେ । ସେହିପରି ୨୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ମେଲୋଡି ଆୟୋଜିତ ହେବ ବୋଲି ସମିତିର ସମ୍ପାଦକ ସଚ୍ଚିନନ୍ଦନ ନାୟକ ସୂଚନା ଦେଇଛନ୍ତି।