ଭୁବନେଶ୍ୱର,୨୧/୧୧: ଶ୍ରୀବୈକୁଣ୍ଠନାଥ ଧାମ ଆଶ୍ରମରେ ରହିଛି ଏକ ଗୁପ୍ତ କୋଠରୀ । କିନ୍ତୁ କୋଠରୀ କବାଟରେ ବିରାଟ ତାଲା ଝୁଲୁଛି । ଜିମ୍ ଘର ଝରକାରୁ କୋଠରୀର ଅଳ୍ପ ଝଲକ ଦେଖାଯାଉଛି । କୋଠରୀରେ ଏସି ଫ୍ରିଜ୍ ଖଞ୍ଜାଯାଇଛି । ଦାମୀ ପଲଙ୍କ ବି ରଖାଯାଇଛି । ହେଲେ ପୁଲିସ କି ପ୍ରଶାସନ କେହି କୋଠରୀକୁ ନେଇ ତନାଘନା କରିବାକୁ ଇଚ୍ଛୁକ ନୁହେଁ । ଯେଉଁଥିପାଇଁ ରହସ୍ୟ ଆହୁରି ଘନୀଭୂତ ହେଉଛି । କୁନି ସାରଥୀଙ୍କ ପାଦରେ ତୁଳସୀ ପତ୍ର ପ୍ରସଙ୍ଗରେ ବିବାଦୀୟ ହୋଇପଡିଥିବା ଶ୍ରୀବୈକୁଣ୍ଠନାଥ ଧାମ ଆଶ୍ରମ ଦୀର୍ଘ ୪ ଦିନ ଧରି ପୁଲିସ କବ୍ଜାରେ ଅଛି । ଭରତପୁର ଥାନାର ଜଣେ ସବ୍-ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱ ମୁଣ୍ଡାଇଛନ୍ତି । ୨ ସେକ୍ସନ ପୁଲିସ ଫୋର୍ସ ମଧ୍ୟ ୨୪ ଘଣ୍ଟିଆ ପହରା ଦେଉଛନ୍ତି । ଆଶ୍ରମର ଉପର ମହଲାର ଗୋଟିଏ ରୁମ୍, ତଳ ମହଲାର ୨ଟି ରୁମ୍ରେ ପୁଲିସ କର୍ମଚାରୀ ରହୁଛନ୍ତି । ରାତିରେ ଶୋଉଛନ୍ତି । କିନ୍ତୁ କୋଠରୀ ସମ୍ପର୍କରେ ପୁଲିସଙ୍କୁ ପଚାରିଲେ କହୁଛନ୍ତି, ବାବା ଓ ଆଶ୍ରମର ଭକ୍ତମାନେ ଚାବି ନେଇ ପଳାଇଛନ୍ତି ।
ଗୁପ୍ତ କୋଠରୀଟି ତଳ ମହଲାର ଏକ କୋଣରେ ଜିମ୍ ଘରକୁ ଲାଗିକରି ନିର୍ମାଣ ହୋଇଛି । କୋଠରୀ ଭିତରେ ଅତ୍ୟାଧୁନିକ ଇଣ୍ଟେରିୟର ଖଞ୍ଜାଯାଇଛି । ଆଶ୍ରମର ସମସ୍ତ କୋଠରୀ ଖୋଲା ଥିବା ବେଳେ ଏହି ରୁଦ୍ଧ କୋଠରୀକୁ ନେଇ ସ୍ଥାନୀୟ ଲୋକଙ୍କ ଚର୍ଚ୍ଚା ଚାଲିଛି । ଆଶ୍ରମ ଭିତରୁ ଭାଇରାଲ ହୋଇଥିବା କିଛି ଭିଡିଓରୁ ଜଣାପଡୁଛି, ଆଶ୍ରମକୁ ନାମୀ ଦାମୀ ଅତିଥିଙ୍କ ଯା’ ଆସ ଲାଗି ରହିଥିଲା । ସେମାନେ ସପ୍ତାହେ ୨ସପ୍ତାହ ଧରି ଆଶ୍ରମରେ ସମୟ ବିତାଉଥିବା ସୂଚନା ମିଳିଛି । ଅଭିଯୋଗ ଉଠିଛି, କୋଠରୀରେ ନାମୀଦାମୀ ଅତିଥିଙ୍କୁ ନାନା ଉପାୟରେ ଆପ୍ୟାୟିତ କରାଯାଉଥିଲା । ଆଶ୍ରମକୁ ପୁଲିସ ଜଗିବା ପୂର୍ବରୁ ଭକ୍ତମାନେ ଉକ୍ତ ଘରୁ ଅନେକ ସନ୍ଦିଗ୍ଧ ସାମଗ୍ରୀ ଉଭାନ୍ କରି ଦେଇଛନ୍ତି ।