ମନମୁଣ୍ଡା, ୨୪/0୫: ଅସରାଏ ବର୍ଷାରେ ବେହାଲ ଗାଁ ଦାଣ୍ଡ । କାଦୁଅ ସରସର ରାସ୍ତାରେ ଚାଲିବା ବି ମୁସ୍କିଲ୍ । କାଳବୈଶାଖୀ ବର୍ଷାରେ ଏଭଳି ଅବସ୍ଥା, ତେବେ ଭାବନ୍ତୁ ବର୍ଷା ଦିନେ କ’ଣ ହେଉଥିବ ସ୍ଥିତି । ଏଭଳି ଚିତ୍ର ଆସିଛି ବୌଦ୍ଧ ଜିଲ୍ଲାର ସବୁଠୁ ବଡ଼ ପଞ୍ଚାୟତ ମନମୁଣ୍ଡାରୁ । ଏହି ପଞ୍ଚାୟତର କଲତାପାଲି ଉପ-ଗାଁର ଅବସ୍ଥା ଗ୍ରୀଷ୍ମ ଦିନରେ ବେହାଲ । ସାମାନ୍ୟ କାଳବୈଶାଖୀ ବର୍ଷାରେ ଗାଁ ଦାଣ୍ଡରେ ଜମି ରହୁଛି ପାଣି । ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ କାଦୁଅ ସରସର ରାସ୍ତାରେ ଚାଲିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଏହାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ସୂଚନା ଅନୁଯାୟୀ, ମନମୁଣ୍ଡା ଉତ୍ତମ ପଞ୍ଚାୟତର ପୁରସ୍କାର ପାଇଛି । ସମସ୍ତ କୋଣକୁ ବିକାଶ ଛୁଇଁଛି ବୋଲି ଚର୍ଚ୍ଚା ହୁଏ । ମାତ୍ର କଲତାପାଲି ଏଥିରୁ ବ୍ୟତିକ୍ରମ । ଏଯାଏ ରାଜସ୍ବ ଗାଁର ମୋହର ବାଜି ନାହିଁ । ଏବେ ବି ମହୁଲବାହାଲିର ଉପ-ଗ୍ରାମ ହୋଇରହିଛି । ତେଣୁ କଲତାପାଲିଠାରୁ ବିକାଶ ବହୁ ଦୂରରେ ରହିଛି ବୋଲି ଏଠିକାର ବାସିନ୍ଦା ଅଭିଯୋଗ କରିଆସୁଛି । ପଞ୍ଚାୟତ ଠାରୁ ପ୍ରଶାସନ, ରାଜନେତାଙ୍କ ଠାରୁ ଅଧିକାରୀ କାହାରି ଏହି ଗାଁ ଉପରେ ନଜର ପଡ଼ିନାହିଁ । ଆନ୍ତରିକତା ଅଭାବରୁ କଲତାପାଲି ଉପ-ଗାଁ ବିକାଶରୁ ବହୁ ଦୂରରେ ରହିଛି । ଏହାର ଜ୍ବଳନ୍ତ ଉଦାହରଣ ହେଉଛି, ପ୍ରଚଣ୍ଡ ଗ୍ରୀଷ୍ମରେ ଅସରାଏ ବର୍ଷା ହେଲେ ଗାଁ ଦାଣ୍ଡରେ ପାଣି ଜମୁଛି । ବର୍ଷା ଦିନରେ ଆଣ୍ଠୁଏ ଆଣ୍ଠୁଏ ପାଣି ରହୁଥିବା ଲୋକେ କହିଛନ୍ତି । କଂକ୍ରିଟ୍ ରାସ୍ତା କିମ୍ବା ଡ୍ରେନେଜ୍ ସୁବିଧା ନଥିବାରୁ ଏଭଳି ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଲୋକେ ।
ଏଣୁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ବର୍ଷା ଦିନ ପୂର୍ବରୁ ଉକ୍ତ ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କଂକ୍ରିଟ୍ ରାସ୍ତା ସହ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ଗାଁର ସଚେତନ ନାଗରିକ ନରେନ୍ଦ୍ର କଲତା, ଅଭିମନ୍ୟୁ ବାଘ, କୁତାର୍ଥ ନାଏକ, ଉମେଶ କଲତା, ମନ୍ଦିର କଲତା, ମହିଳା ସଂଯୁକ୍ତା ବାଘ୍, ବାସନ୍ତୀ ବାଘ, ଗୁରୁବାରି କଲତା, ସୁବର୍ଣ୍ଣା କଲତା, ମମତା କର୍ମୀ ପ୍ରମୁଖ ଦାବି କରିଛନ୍ତି । ସମସ୍ୟା ଯଦି ସମାଧାନ ନହୁଏ ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ୟଳୟ ସାମ୍ନାରେ ଧାରଣା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।