ବାଲେଶ୍ୱର, ୦୭/୦୧ : ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ ସରକାର ହାତକୁ ନେଇଥିଲେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା(ଏମକେୱାଇ)। ଗତବର୍ଷ ଫେବ୍ରୁଆରୀରୁ ଏହି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରୁଛି। ବାଲେଶ୍ଵର ଜିଲ୍ଲାରେ ଏହି ଯୋଜନାକୁ ଆଶାନୁରୂପ ସଫଳତା ମିଳିଛି । ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧିରେ ଏହା ସହାୟକ ହୋଇଛି । ତେବେ ଏହି ଯୋଜନାକୁ ଅଧିକ ଲୋକାଭିମୁଖୀ ସହ ଦୁଗ୍ଧ ଚାଷୀଙ୍କଠାରୁ ସିଧାସଳଖ ଦୁଗ୍ଧ କ୍ରୟ କରିବାକୁ ଦାବି ହେଉଛି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଏମକେୱାଇକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ଯୋଜନାରେ ମୁଖ୍ୟତଃ ଗାଈ, ମଇଁଷି ପାଳନ ସହ ଘାସ ଚାଷ, ଉନ୍ନତ ପ୍ରଜାତିର ମାଈ ବାଛୁରୀ (ଛଡ଼ା) ସୃଷ୍ଟି, ଗୋ ସମ୍ପଦ ବୀମା ଯୋଜନା ଉପରେ ଗୁରୁତ୍ୱ ଦିଆଯାଉଛି। ଯୋଜନାରେ ସାମିଲ ହେବା ପାଇଁ ଆବେଦନକାରୀ "ଗୋ ସୁଗମ' ପୋର୍ଟାଲରେ ନିଜ ନାମ ପଞ୍ଜୀକରଣ କରିପାରିବେ।
ପଞ୍ଜୀକରଣ ସମୟରେ ସେମାନେ ଆଧାରକାର୍ଡ, ଜମି ପଟ୍ଟା, ବ୍ୟାଙ୍କ୍ ପାସ୍ବୁକ୍, ଜାତିଗତ ପ୍ରମାଣପତ୍ର ଦେବେ । କିନ୍ନର ହୋଇଥିଲେ ପ୍ରମାଣପତ୍ର, ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ପୋର୍ଟାଲରେ ଅପ୍ଲୋଡ୍ କରିବେ । ଏମକେୱାଇ ଜଣେ ବ୍ୟକ୍ତି ୨ଟି ଗାଈ କିଣି ପାରିବେ । ଯୋଜନାରେ ସାମିଲ ବ୍ୟକ୍ତିଙ୍କର ପୂର୍ବରୁ ଗାଈ ନ ଥିବ, ଯଦିବା ଗାଈ ଥିବ ତାହା ୫ରୁ କମ୍ ହୋଇଥିବା ଉଚିତ୍ । ଆବେଦନକାରୀ ଏସ୍ସି/ଏସ୍ଟି ମହିଳା, ଭିନ୍ନକ୍ଷମ (୪୦ ପ୍ରତିଶତ ବା ତଦୁଦ୍ଧ୍ୱର୍ ବ୍ୟକ୍ତି) କିମ୍ବା କିନ୍ନର ହୋଇଥିଲେ ସେମାନଙ୍କୁ ୭୦ ପ୍ରତିଶତ ସବ୍ସିଡି ମିଳିବ । ଆବେଦନକାରୀ ପୁରୁଷ ହୋଇଥିଲେ ୬୦ ପ୍ରତିଶତ ସବ୍ସିଡି ମିଳିବ । କେବଳ ଗାଈ ନୁହେଁ ଆବେଦନକାରୀଙ୍କ ଗୁହାଳ ନ ଥିଲେ ଏହି ଯୋଜନାରେ ସେମାନଙ୍କୁ ୧୨୦୦ ସ୍କୋୟାର ଫୁଟ୍ର ଗୁହାଳ ନିର୍ମାଣ ପାଇଁ ପ୍ରତି ସ୍କୋୟାର ଫୁଟ୍ ୪୨୦ ଟଙ୍କା ହିସାବରେ ୫୦ ହଜାର ୪୦୦ ଟଙ୍କା ମିଳୁଛି । ପରିବହନ ସମେତ ପ୍ରତି ଗାଈର ମୂଲ୍ୟ ୯୦ ହଜାର ଟଙ୍କା ହିସାବରେ ୨ ଗାଈର ମୂଲ୍ୟ ବାବଦରେ ୧ ଲକ୍ଷ ୮୦ ହଜାର ଟଙ୍କା ସରକାର ଦେଉଛନ୍ତି । ଉଭୟ ଗୁହାଳ ଓ ଗାଈ କ୍ରୟ ବାବଦରେ ମୋଟ ୨ ଲକ୍ଷ ୩୦ ହଜାର ୪୦୦ ଟଙ୍କା ଦେଉଛନ୍ତି । ଯେଉଁ ଆବେଦନକାରୀ ଥରେ ଆବେଦନ କରିବେ ସେମାନେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଆବେଦନ କରିପାରିବେନି । ଏହି ଯୋଜନାରେ ଯେଉଁ ଗାଈ କିଣାଯିବ ତାହା ଗୀର ଭଳି ଉନ୍ନତ ପ୍ରଜାତିର।
ତଥ୍ୟ ମୁତାବକ, ଏହି ଯୋଜନାରେ ଜିଲ୍ଲାରେ ୨୦୨୪-୨୦୨୫ ଓ ୨୦୨୫-୨୦୨୬ ବର୍ଷରେ ୨୦୮ ଜଣ ଚାଷୀ ମଇଁଷି ପାଳନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ବର୍ତ୍ତମାନ ସୁଦ୍ଧା ୭୨ଜଣ ଏହି ଯୋଜନାରେ ଉପକୃତ ହୋଇଛନ୍ତି । ୧୮୫ ଜଣ ଆବେଦନ ପତ୍ର ଯାଞ୍ଚ ସରିଛି । ସେହିଭଳି ଗାଈ ପାଳନ ପାଇଁ ୧୧୦୫ ଚାଷୀ ଟାର୍ଗେଟ ଥିଲା । ସେଥିମଧ୍ୟରୁ ୪୪୨ଜଣ ଚାଷୀଙ୍କୁ ଗାଈ ମିଳି ସାରିଛି । ୧୧୬୦ ଆବେଦନକାରୀଙ୍କ ଆବେଦନପତ୍ର ଯାଞ୍ଚ ପ୍ରକ୍ରିୟା ଚାଲିଛି । ଘାସ ଚାଷ ପାଇଁ ୪୪୦ ଲକ୍ଷ୍ୟ ରଖାଯାଇଥିଲା । ସେଥିମଧ୍ୟରୁ ୭୩.୨୫ ହେକ୍ଟର ଜମିରେ ଘାସ ଚାଷ ହୋଇଛି । ୩୨୭ ଚାଷୀଙ୍କ ଆବେଦନ ଫର୍ମର ଯାଞ୍ଚ ଚାଲିଛି । ସେହିଭଳି ଉନ୍ନତ ବାଛୁରୀ ପାଳନ ପାଇଁ ୧୯୮୫ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ସେଥିମଧ୍ୟରୁ ୧୨୭୯ ଜଣଙ୍କୁ ଏହି ସୁବିଧା ମିଳିଛି । ଏହି ଯୋଜନାକୁ ଗୁରୁତ୍ୱ ଦେଲେ ମିଳିଥିବା ସଫଳତା ସନ୍ତୋଷଜନକ ନୁହେଁ ବୋଲି ଆଶା କରାଯାଏ । ଜିଲ୍ଲାର ଏହାର ସଫଳତା ପାଇଁ ଅଧିକ ପ୍ରଚାରପ୍ରସାର ଆବଶ୍ୟକତା ଥିବା ଜିଲ୍ଲାର ଚାଷୀ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ଏହା ବ୍ୟତୀତ ଦୁଗ୍ଧ ଚାଷୀ ଦୁଗ୍ଧ ବିକ୍ରି କରିବାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କଠାରୁ ଦୁଗ୍ଧ କେମିତି ସହଜରେ କିଣାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେବାକୁ ସେମାନେ ଦାବି କରିଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ରବିନାରାୟଣ ପଟ୍ଟନାୟଙ୍କ ସହ ଆଲୋଚନା କରାଯାଇଥିଲା । ତାଙ୍କ କହିବା କଥା ବର୍ତ୍ତମାନ ସୁଦ୍ଧା ଏମକେୱାଇକୁ ନେଇ ଯେତେ ଆବେଦନ ଫର୍ମ ଆସୁଛି ଦୁଗ୍ଧ ଚାଷୀ ଏହି ଯୋଜନାକୁ ନେଇ ସଚେତନ ଥିବା ପ୍ରମାଣ କରୁଛି । ଏହି ଯୋଜନାକୁ ଜିଲ୍ଲାରେ ପ୍ରଚାର ପ୍ରସାର କରିବା ପାଇଁ ଆମେ ବିଭିନ୍ନ ପଦକ୍ଷେପ ନେଇଛୁ । ବିଭିନ୍ନ ସରକାରୀ ମେଳା, ମହୋତ୍ସବରେ ଏହି ଯୋଜନା ଉପରେ ବିଜ୍ଞାପନ ଦେଉଛୁ । ଗ୍ରାମାଞ୍ଚଳରେ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ବ୍ଲକସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛୁ । ଆଗାମୀ ଦିନରେ ଏହାକୁ ଆହୁରି କେମିତି ଅଧିକ ପ୍ରଚାରପ୍ରସାର କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେବୁ । ଯେଉଁମାନେ ଏହି ଯୋଜନାରେ ଗାଈ କିଣୁଛନ୍ତି³ ସେମାନଙ୍କ ଘରକୁ ଯାଇ ଦୁଗ୍ଧ ଆଣିବା ପାଇଁ ଆମେ ଓମ୍ଫେଡ୍ ସୋସାଇଟି ସହ କଥା ହୋଇଛୁ ବୋଲି ସେ କହିଥିଲେ ।
ଏହି ଖବରଟିକୁ ପଢନ୍ତୁ- ଟ୍ଵିନ୍ସିଟିକୁ ପ୍ରଦୂଷଣ କଟକଣା : ସନ୍ଧ୍ୟା ୬ ରୁ ସକାଳ ୧୦ ନିର୍ମାଣ କାର୍ଯ୍ୟ ବନ୍ଦ, ସଫେଇ ବେଳେ ପାଣି ସିଞ୍ଚିବାକୁ ନିର୍ଦ୍ଦେଶ