କଟକ, ୩୧/୦୩: ସରିଲା ନିର୍ଗୁଣ୍ଡି ନିକଟ ଟ୍ରାକ୍‌ ମରାମତି। ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ। ରବିବାର ଅପରାହ୍ନରୁ ଆରମ୍ଭ ପୁନରୁଦ୍ଧାର କାର୍ଯ୍ୟ ୨୦ ଘଣ୍ଟାରେ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କଲେ ରେଳବାଇ କର୍ମଚାରୀ। ସାଧାରଣ ଟ୍ରେନ୍‌ ସେବା ସୁନିଶ୍ଚିତ କରିବା ପାଇଁ ସୋମବାର ସକାଳ ସୁଦ୍ଧା ରେଳ କର୍ମଚାରୀମାନେ ଟ୍ରାକଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ କଠିନ ପରିଶ୍ରମ କରିଥିଲେ । ସମଗ୍ର ଉଦ୍ଧାର କାର୍ଯ୍ୟ ଇସିଓଆର୍‌ ମହାପ୍ରବନ୍ଧକଙ୍କ ଦ୍ୱାରା ତଦାରଖ କରାଯାଇଥିଲା।

ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ହେବ । କଟକ ରେଳ ଷ୍ଟେସନ୍‌ ଛାଡ଼ି ଆସାମର ଗୌହାଟୀ ଅଭିମୁଖେ ଆଗକୁ ବଢ଼ୁଥାଏ ବେଙ୍ଗାଲୁରୁ-କାମାକ୍ଷା ସୁପରଫାଷ୍ଟ୍‌ ଏକ୍ସପ୍ରେସ୍‌ । ଟ୍ରେନ୍‌ଟି ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର୍‌ ହଲ୍ଟ ପରେ ଏକ ବୁଲାଣି ଅତିକ୍ରମ କରୁଥିଲା । ହଠାତ୍‌ ଧଡ଼ଧଡ଼ ଶବ୍ଦ କରିବା ସହ ଟ୍ରେନ୍‌ର ଅଧାରୁ ଅଧିକ କୋଚ୍‌ ରେଳ ଲାଇନ୍‌ରୁ ବାହାରି ବାମପଟକୁ ଢଳିପଡ଼ିଥିଲା । କୋଚ୍‌ଗୁଡ଼ିକ ପରସ୍ପର ସହିତ ଧକ୍କା ହୋଇ କିଛି ମିଟର ମାଟିରେ ଘୁଷୁଡ଼ିବା ପରେ ଅଟକି ଯାଇଥିଲା । ଏହି ରେଳ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ  ଯାତ୍ରୀ ଆହତ ହୋଇଛନ୍ତି । ତେବେ ସୌଭାଗ୍ୟବଶତଃ, କୋଚ୍‌ଗୁଡ଼ିକ ପଲଟି ନଥିବାରୁ ବଡ଼ ଏକ ବିପଦ ଟଳିଯାଇଥିବା ଓ ଟ୍ରେନ୍‌ରେ ଥିବା ୧୬ ଶହରୁ ଅଧିକ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିବା କୁହାଯାଉଛି । 

ମାର୍ଚ୍ଚ ୩୧ ତାରିଖ (ସୋମବାର)ଦିନ ବାରଙ୍ଗ- ନରାଜ - କପିଳାସ ରୋଡ୍‌ ଦେଇ ଯିବାକୁ ଥିବା ଟ୍ରେନ୍‌-

• ୨୦୮୯୨ ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ 

• ୨୨୫୦୩ କନ୍ୟାକୁମାରୀ-ଡିବ୍ରୁଗଡ ଏକ୍ସପ୍ରେସ 

• ୧୨୨୭୮ ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ସପ୍ରେସ 

• ୧୨୦୭୪ ଭୁବନେଶ୍ୱର-ହାୱଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ 

• ୧୮୪୧୪ପୁରୀ-ପାରାଦୀପ ଏକ୍ସପ୍ରେସ 

• ୧୮୪୧୬ ପୁରୀ-ବଡ଼ବିଲ ଏକ୍ସପ୍ରେସ 

ଏହାଛଡ଼ା ଆହୁରି ଅନେକ ଟ୍ରେନ୍‌ ବାରଙ୍ଗ- ନରାଜ - କପିଳାସ ରୋଡ୍‌ ଦେଇ ଯାତାୟାତ କରିବ । ଏହି ଘଟଣା ସମୟରେ ପ୍ରଭାବିତ ହୋଇଥିବା ଟ୍ରେନ୍‌ରେ ଯାତ୍ରୀମାନଙ୍କର ସୁରକ୍ଷା ଉପରେ ପ୍ରାଥମିକତା ଦିଆଯାଇଥିଲା। ରବିବାର ସନ୍ଧ୍ୟା ସୁଦ୍ଧା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇବା ଉପରେ ଧ୍ୟାନ ଦିଆଯାଇଥିଲା । ସେଥିପାଇଁ ଟ୍ରେନ୍‌ ଟ୍ରାକ୍‌ର ମରାମତି କରାଯାଇଥିଲା।